ଭୁବନେଶ୍ୱର: କରୋନା ମହାମାରୀ କଟକଣା ଭିତରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି JEE (Main) 2020 ପରୀକ୍ଷା। ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ଓଡ଼ିଶାର ୭ଟି ସହରର ୨୬ଟି ପରୀକ୍ଷା କେନ୍ଦ୍ରରେ ୩୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।
ପ୍ରଥମ ସିଟିଂ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଓ ଦ୍ୱିତୀୟ ସିିଟିଂ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏ ହେବ। ନିୟମ ଅନୁସାରେ, ପରୀକ୍ଷା ଆରମ୍ଭର ୨ ଘଣ୍ଟା ପୂର୍ବରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ। ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିିଂ କରାଯିବ। ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ଉଭୟ ପରୀକ୍ଷା କେନ୍ଦ୍ର ବାହାରେ ଓ ଭିତରେ ସାମାଜିକ ଦୂରତା ରକ୍ଷା ଲାଗି ସବୁ ପ୍ରକାର ବ୍ୟବସ୍ଥା ହୋଇଛି।
ପରୀକ୍ଷା କେନ୍ଦ୍ର ହୋଇଥିବା ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଢେଙ୍କାନାଳ ଓ ବାଲେଶ୍ୱର ସହରରେ ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ଯା’ଆସ, ମାଗଣା ରହଣି, ଖାଦ୍ୟପେୟ ପାଇଁ ସଂପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ପିଲାଙ୍କ ପାଇଁ ଉପଲବ୍ଧ ହଷ୍ଟେଲରେ ବି କୋଭିଡ୍ର ସବୁ ଗାଇଡ୍ଲାଇନ୍ସ ପାଳନ କରାଯାଉଛି।
ଭୁବନେଶ୍ୱରରେ ସର୍ବାଧିକ ୧୬ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହ ବିଏମ୍ସି ମଧ୍ୟ ଶୃଙ୍ଖଳିତ ପରୀକ୍ଷା ଆୟୋଜନ ଲାଗି ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିଛି।