“ମନକୁ ଫାଭିପିରାଭିର୍ ଖାଇଲେ କ୍ଷତି ବେଶି”

କି ମେଡିସିନ୍‌ ଖାଇବେ କରୋନା ରୋଗୀ?

ଭୁବନେଶ୍ୱର: କରୋନା ରୋଗୀଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ପ୍ରଫେସର ଜୟନ୍ତ ପଣ୍ଡା। କହିଲେ, ମନକୁ ଫାଭିପିରାଭିର୍ ଖାଇଲେ ବେଶି କ୍ଷତି ହେବ।  ହୋମ୍ ଆଇସୋଲେସନରେ ରହୁଥିବା ରୋଗୀଙ୍କ ପାଇଁ ବି ଦେଇଛନ୍ତି ପରାମର୍ଶ। କହିଲେ, ଏହା ଏକ ଭୂତାଣୁ ଜନିତ ରୋଗ, ବେଶି ଔଷଧ ଖାଇବାର କୌଣସି ଆବଶ୍ୟକତା ନାହିଁ।  ଜ୍ୱର ହେଲେ ୬୫୦ ମିଗ୍ରା ପାରାସିଟାମଲ ଦୈନିକ ୪ଟି ପର୍ଯ୍ୟନ୍ତ ଖାଇପାରିବେ। ତା ପରେ ଯଦି ଜ୍ୱର ନକମିଲା ନେପ୍ରକ୍ସିନ ବଟିକା ୨୫୦ମିଗ୍ରା ଦିନକୁ ୨ଟି ଖାଇବାକୁ ଦେଲେ ପରାମର୍ଶ। ହୋମ୍ ଆଇସୋଲେସନରେ ଆଇଭର ମେକଟିନ୍ ଔଷଧ ଖାଇପାରିବେ ରୋଗୀ। ଏହାସହ ବଡ଼ଙ୍କୁ ୧୨ ମିଗ୍ରା ଓ ଛୋଟଙ୍କୁ ୬ ମିଗ୍ରା ଆଇଭର ମେକଟିନ ଦିଆଯାଇପାରିବ। ୩ରୁ ୫ ଦିନ ପର୍ଯ୍ୟନ୍ତ ଆଇଭର ମେକଟିନ ବ୍ୟବହାର କରାଯାଇଥାଏ।

ଠିକ୍‌ ସେହିପରି ଗର୍ଭବତୀ ବା ସ୍ତନ୍ୟପାନ କରାଉଥିଲେ ଆଇଭର ମେକଟିନ ଦିଆଯାଏ । ନିପାରାସିଟାମଲ ଓ ଆଇଭର ମେକଟିନ ବ୍ୟତିତ ଅନ୍ୟ ଔଷଧ ଆବଶ୍ୟକ ନଥାଏ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଏହା ସହ ଭିଟାମିନ ଓ ଜିଙ୍କ୍ ଔଷଧ ଖାଇପାରିବେ ବୋଲି କହିଲେ ପ୍ରଫେସର ପଣ୍ଡା। କେବଳ ଏତିକି ନୁହେଁ, କେଉଁ ରୋଗୀକୁ ଫାଭିପିରାଭିର୍ ଦିଆଯିବ, ସେ ନିଷ୍ପତ୍ତି ଡାକ୍ତର ନେବେ। ଏହାସହ ଭାଇରାଲ ଲୋଡ୍ ବେଶି ଥିଲେ ଡାକ୍ତରଙ୍କ ପରାମର୍ଶରେ ମେଡିସିନ୍‌ ଦିଆଯାଇଥାଏ ବୋଲି ସେ କହିଛନ୍ତି। ମନକୁ ଦୋକାନରୁ ନେଇ ଫାଭିପିରାଭିର ଖାଇଲେ ଲାଭ ଅପେକ୍ଷା କ୍ଷତି ବେଶି ବୋଲି ସେ ସ୍ପଷ୍ଟ ଭାବରେ କହିଛନ୍ତି। ଡାକ୍ତରଙ୍କ ତତ୍ତ୍ୱାବଧାନ ବିନା ଷ୍ଟିରଏଡ୍ ନେଲେ ଭାଇରାଲ ଲୋଡ୍ ବଢ଼ିପାରେ ବୋଲି ଚେତାଇ ଦେଇଛନ୍ତି ପ୍ରଫେସର ପଣ୍ଡା।

ସେପଟେ, କରୋନାକୁ ନେଇ ବଡ଼ ସୂଚନା ଦେଲେ ଡାକ୍ତର। କହିଲେ, ଡାହାଣ ହାତ ମଝି ଆଙ୍ଗୁଠିରେ ଲଗାନ୍ତୁ ଅକ୍ସିମିଟର। କରୋନା ରୋଗୀଙ୍କୁ ଅକ୍ସିଜେନ ଆବଶ୍ୟକତା ସଂପର୍କରେ ବଡ଼ ସୂଚନା ଦେଲେ ବିଶେଷଜ୍ଞ । ସବୁ କରୋନା ରୋଗୀଙ୍କୁ ଅକ୍ସିଜେନ ଆବଶ୍ୟକ ନଥାଏ ବୋଲି କହିଲେ ଡାକ୍ତର। ବିଶିଷ୍ଟ ଛାତି ରୋଗ ବିଶେଷଜ୍ଞ ଡାକ୍ତର କ୍ଷୀରୋଦ ରାଉତ ଦେଲେ ପରାମର୍ଶ। କହିଲେ, ଅକ୍ସିଜେନ ମାତ୍ରା ୯୪ରୁ ତଳକୁ ଖସିଲେ ଡାକ୍ତର ପରାମର୍ଶ ଜରୁରୀ ରହିଛି। ତେବେ କିଛି ବ୍ୟାୟମ ଦ୍ୱାରା ଅକ୍ସିଜେନ ମାତ୍ରା ପୁଣି ବଢ଼େଇ ଦେଇ ହେବ।

ଆଉ ଏପଟେ, ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଲା କରୋନା। ୨୪ ଘଣ୍ଟାରେ ସର୍ବାଧିକ ୧୯ ଜଣଙ୍କ ମୃତ୍ୟୁ ହେବା ସହ ଚିହ୍ନଟ ହୋଇଛନ୍ତି ୧୨ ହଜାର ୨୩୮ ପଜିଟିଭ୍। ସୁନ୍ଦରଗଡ଼ରୁ ସର୍ବାଧିକ ୨ ହଜାର ୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧ ହଜାର ୮ ଶହ ୨୮ ନୂଆ ମାମଲା ସହ ଦ୍ୱିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା। କଟକରୁ ୯୧୬, କଳାହାଣ୍ଡି-୫୮୦, ସମ୍ବଲପୁର-୫୪୪, ଅନୁଗୁଳ-୪୮୦, ବରଗଡ଼-୪୭୫ ଓ ବାଲେଶ୍ୱରରୁ ୪୩୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍-୩୫୭, ଭଦ୍ରକ-୩୮୧, ପୁରୀ-୩୬୯, ଯାଜପୁର-୩୧୮, ଗଂଜାମ-୩୧୨ ଓ ଝାରସୁଗୁଡ଼ାରୁ ୩୦୬ ପଜିଟିଭ୍ ବାହାରିଛନ୍ତି।

You might also like