ଓଡ଼ିଶାର ନେତୃତ୍ୱ ପରିବର୍ତ୍ତନ ଜରୁରୀ, ବିଜେପି ହିଁ ଏହା କରିପାରିବ : ବୈଜୟନ୍ତ

ଭୁବନେଶ୍ୱର: ସବୁ ରାଜନୈତିକ ଚର୍ଚ୍ଚାର ଅବସାନ ଘଟାଇ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିବା ପରେ କ’ଣ କହିଲେ ବୈଜୟନ୍ତ ପଢ଼ନ୍ତୁ।

ବୈଜୟନ୍ତ କହିଲେ, ପବିତ୍ର ମହାଶିବରାତ୍ରୀରେ ସମସ୍ତଙ୍କୁ ନମସ୍କାର ଓ ଶୁଭେଚ୍ଛା। ୨୨ ବର୍ଷ ତଳେ ଯେତେବେଳେ ଆମେ ଓଡ଼ିଶାରେ ଏକ ଆଞ୍ଚଳିକ ଦଳ ଗଠନ କରିଥିଲୁ ସେତେବେଳେ ଏ କଥା ଚିନ୍ତା କରିନଥିଲି। ଦୁଃଖର କଥା ଯେ ଆମକୁ ୨୨ ବର୍ଷ ଭିତରେ ଏଇଠି ଆସି ପହଞ୍ଚିବାକୁ ପଡ଼ିଛି। ଆମ ଦେଶ ଭାରତ ଆଗକୁ ଯିବାକୁ ହେଲେ ଦୃଢ଼ ନେତୃତ୍ୱର ଆବଶ୍ୟକତା ଅଛି।

ଏହା କାହାକୁ ଅଛପା ନୁହେଁ ଯେ, ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନେକ ସମୟରେ ପ୍ରଶଂସା କରିଛି। ତାଙ୍କ ନେତୃତ୍ୱକୁ ଏହି ପ୍ରଶଂସା। ଓଡ଼ିଶାରେ କ୍ଷମତାସୀନ ସରକାରର ମାନ ତଳକୁ ତଳକୁ ଖସିଛି। ଯେଉଁ କିଛିବର୍ଷ ବିଜେପି ସହ ବିଜେଡିର ଗଠବନ୍ଧନ ଥିଲା, ସେତେବେଳେ ନିଶ୍ଚୟ କିଛିଟା ନିୟମକାନୁନ ଥିଲା। ଏବେ କିନ୍ତୁ ଏସବୁ ନଷ୍ଟ ହୋଇଯାଇଛି।

ଓଡ଼ିଶାରେ ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ ବୃଦ୍ଧି ପାଇଛି। ଦୁର୍ନୀତି ସବୁଠାରୁ ଅଧିକ ଉଚ୍ଚତା ଛୁଇଁଛି। ଗୋଟିଏ ରାଜନୈତିକ ଦଳ ଦ୍ୱାରା ଏକ ରାଜ୍ୟ ଦୀର୍ଘବର୍ଷ ଧରି ଚାଲିଲେ କ’ଣ ହୁଏ ତାହା ଓଡ଼ିଶାରୁ ହିଁ ଦୃଶ୍ୟମାନ ହେଉଛି। ଏହା ଅତ୍ୟନ୍ତ ନିରାଶାଜନକ ପରିସ୍ଥିତି। ସେଥିପାଇଁ ପରିବର୍ତ୍ତନ ଆବଶ୍ୟକ। ଆଉ ଏ ପରିବର୍ତ୍ତନ କେବଳ ବିଜେପି ହିଁ ଆଣିପାରିବ। ମୋଦିଜୀ ଓ ଅମିତ୍‌ଜୀଙ୍କ ନେତୃତ୍ୱର ଶକ୍ତି ଅଛି।

ଓଡ଼ିଶାରେ ଥିବା ମୋ ବନ୍ଧୁମାନଙ୍କୁ କହିବାକୁ ଚାହୁଁଛି ଯେ, ପ୍ରଥମେ ମହାଶିବରାତ୍ରୀରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ଏହି ଅବସରରେ ମୁଁ କହୁଛି ଯେ, ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ନେତୃତ୍ୱକୁ ମୁଁ ସ୍ୱୀକର କରୁଛି। ଓଡ଼ିଶାରେ ପରିବର୍ତ୍ତନ ପାଇଁ ଏମାନଙ୍କ ନେତୃତ୍ୱ ହିଁ ଦରକାର। ଏହି ଅବସରରେ ମୁଁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଓଡ଼ିଶା ବିଜେପିର ମାନ୍ୟବର ସଭାପତି ବସନ୍ତ ପଣ୍ଡା, ବନ୍ଧୁ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାରୀ ଅରୁଣ ସିଂହ ଓ ଅନ୍ୟମାନଙ୍କୁ ମୋର ନମସ୍କାର ଓ ଶୁଭେଚ୍ଛା ଜଣାଉଛି।

You might also like