ପଢ଼ନ୍ତୁ, ବୈଜୟନ୍ତଙ୍କୁ ବିରୋଧ ଏବଂ ବିଜେଡିରୁ ଇସ୍ତଫାର ପୂରା ଘଟଣାକ୍ରମ

ଭୁବନେଶ୍ୱର : ଦିନ ଥିଲା, ଜାତୀୟ ସ୍ତରରେ ବୈଜୟନ୍ତ ଥିଲେ ବିଜେଡିର ଫେସ୍। ହେଲେ ୨୦୧୪ ମସିହା ନିର୍ବାଚନ ପରଠୁ ଉଦ୍ଦେଶ୍ୟମୂଳକ ଭାବେ ବୈଜୟନ୍ତଙ୍କୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖିବାକୁ ଆରମ୍ଭ ହେଲା ଷଡ଼ଯନ୍ତ୍ର। ତାଙ୍କୁ ଅଣ୍ଡାମାଡ଼, ଢେଲାମାଡ଼ ଓ ବିରୋଧ ଭଳି ଘଟଣା ବଢ଼ିଲା।

ବୈଜୟନ୍ତଙ୍କ ବିରୋଧରେ ମିଥ୍ୟା ମାମଲା ସହ ପରିବାର ସଂପୃକ୍ତ ଥିବା ଗୋଟିକ ପରେ ଗୋଟିଏ ସଂସ୍ଥାକୁ ବି ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ୍ କରାଯାଇଥିଲା। ତିକ୍ତତା ଏଭଳି ସ୍ତରରେ ପହଞ୍ଚିଥିଲା ଯେ ବୈଜୟଙ୍କ ବାପା ତଥା ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ବିୟୋଗ ପରେ ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡିର କୌଣସି ନେତା ଶେଷ ଦର୍ଶନ ପାଇଁ ଯାଇନଥିଲେ। ଆସନ୍ତୁ ଜାଣିବା ବୈଜୟନ୍ତଙ୍କୁ ବିରୋଧ ଏବଂ ବିଜେଡିରୁ ଇସ୍ତଫାର ପୂରା ଘଟଣାକ୍ରମ-

୩୦ ମେ ୨୦୧୭ ମସିହା। ବିଜେଡି ଯେ ଆଉ ବୈଜୟନ୍ତଙ୍କୁ ଚାହୁଁନି, ପାଣିଟାଙ୍କି ଉଦ୍‌ଘାଟନ ଭଳି ଜନକଲ୍ୟାଣ କାର୍ଯ୍ୟକ୍ରମ ବେଳେ ମାହାଙ୍ଗାରେ ଦଳ ଭିତରୁ ବୈଜୟନ୍ତଙ୍କ ଉପରକୁ ଅଣ୍ଡା ଓ ଢେଲାପଥର ମାଡ଼ରୁ ସ୍ପଷ୍ଟ ହୋଇଯାଇଥିଲା। ଏହା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ  କଥା ହୋଇ ନଥିଲେ ବୈଜୟନ୍ତଙ୍କ ସହ।

ହେଲେ ବୈଜୟନ୍ତଙ୍କୁ ଦଳ ଭିତରେ କୋଣଠେସା କରିବା ଲାଗି ଷଡ଼ଯନ୍ତ୍ରର ଭିତ୍ତି କିନ୍ତୁ ପଡ଼ି ସାରିଥିଲା ୨୦୧୪ ନିର୍ବାଚନର ଠିକ୍ ପର ଠାରୁ।

ଯେତେବେଳେ ବିଜେଡିକୁ ପଞ୍ଚାୟତ ନିର୍ବାଚନ ଝଟ୍‌କାକୁ ନେଇ, ବୈଜୟନ୍ତଙ୍କ ଆତ୍ମସମୀକ୍ଷାର ବେଳ ଶୀର୍ଷକ ନିବନ୍ଧ ଏକ ଖବରକାଗଜରେ ପ୍ରକାଶ ପାଇଲା  ଏହା ପରେ ପରେ ସଂସଦୀୟ ଦଳ ମୁଖପାତ୍ର ପଦରୁ ବିଦା କରି ବିଧିବଦ୍ଧ ଭାବେ ବୈଜୟନ୍ତଙ୍କ ବିରୋଧରେ ପ୍ରଥମ ଦଳୀୟ କାର୍ଯ୍ୟାନୁଷ୍ଠାନ ନେଲା ବିଜେଡି।

ଏସବୁ ଷଡ଼ଯନ୍ତ୍ର ପଛରେ ପାଣ୍ଡିଆନ୍‌ଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଜୋର୍ ଧରିଲା। ନିଜେ ବୈଜୟନ୍ତ ମଧ୍ୟ ଖୋଲାଖୋଲି ଭାବେ ପାଣ୍ଡିଆନ୍‌ଙ୍କୁ ଏଥିପାଇଁ ଦାୟୀ କରି ବର୍ଷିବାକୁ ଲାଗିଲେ। ଏହାପରେ ବୈଜୟନ୍ତଙ୍କୁ ଦଳରୁ ବିଦା କରିବା ପାଇଁ ଦଳ ବିରୋଧୀ କାର୍ଯ୍ୟର ଅଭିଯୋଗ ଆଣି ୨୦୧୮ ଜାନୁଆରୀ ୧୯ରୁ ପ୍ରାୟୋଜିତ ଭାବେ ସବୁଦିନ ନବୀନ ନିବାସରେ ମେଳିହେଲା ଓ ବହିଷ୍କାର ଦାବି ଉଠିଲା।  ଶେଷରେ ଜାନୁଆରୀ ୨୪ରେ ବୈଜୟନ୍ତଙ୍କୁ ବିଜେଡିରୁ ନିଲମ୍ବିତ କରାଗଲା।

ତେବେ ସେଇଠି ସରିନଥିଲା ବିଜେଡି-ବୈଜୟନ୍ତ କଳି। ବୈଜୟନ୍ତଙ୍କ ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣି ଦଳର ବିଧାୟକ ସାମ୍ବାଦିକ ସମ୍ମିଳନୀ କରି ଇସ୍ତଫା ଦାବି କଲେ। କେନ୍ଦ୍ରାପଡ଼ା କୋର୍ଟରେ ମଧ୍ୟ ଏନେଇ ପ୍ରବର୍ତ୍ତାଇ ମାମଲା ରୁଜୁ କରାଗଲା। ଏମିତିକି ବୈଜୟନ୍ତଙ୍କ ସହଯୋଗୀ ଦେବାଶିଷ ମଲ୍ଲିକଙ୍କୁ  ନେଇ ବୈଜୟନ୍ତଙ୍କୁ ବଦ୍‌ନାମ୍ କରିବାକୁ ଉଦ୍ୟମ ଚାଲିଲା। ଯାହାର ଅଡିଓ ଟେପ୍ ଏକ ସାମ୍ବାଦିକ ସମ୍ମିଳନୀରେ ଜାରି କଲେ ପୂର୍ବତନ ସାଂସଦଙ୍କ ସହଯୋଗୀ ସଲିମ୍ ଖାନ। ସବୁ ଷଡ଼ଯନ୍ତ୍ର ପଦାକୁ ଆସିବା ପରେ ବଢିଲା ବିଜେଡିର ଆକ୍ରୋଶ। ଯାହାର ଟାର୍ଗେଟ୍ ହେଲା ବୈଜୟନ୍ତଙ୍କ ପରିବାର ସଂପୃକ୍ତ ଥିବା ଗୋଟିକ ପରେ ଗୋଟିଏ ସଂସ୍ଥା।

ଓଟିଭିକୁ ଦଳ ବୟକଟ୍ କଲା, ମେକ୍ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରୁ ସିଆଇଆଇ ଓହରିବା ପଛରେ ଜଗି ମଂଗନ୍ତ ପଣ୍ଡାଙ୍କ ହାତ ଥିବା ଅଭିଯୋଗ ଆଣି ଟାର୍ଗେଟ୍ କଲା। ବ୍ରହ୍ମପୁରରେ ଅର୍ଟେଲ ଅଫିସ୍‌ରେ ତାଲା ଓ ଭୁବନେଶ୍ୱର ଅଫିସ୍‌ରେ ଚଢ଼ଉ ସାଙ୍ଗକୁ ଥେରୁବାଲି ଇମ୍ଫାରେ ବି ଚାଲିଲା ପ୍ରାୟୋଜିତ ଆନ୍ଦୋଳନ, ହିଂସାକାଣ୍ଡ।

ଏମିତିକି ଓଡ଼ିଶାରେ ଶିଳ୍ପକୁ ନୂଆ ଦିଶାଦେଇଥିବା ବିଜୁଙ୍କ ସହଯୋଗୀ ବଂଶୀଧର ପଣ୍ଡାଙ୍କ ଦେହାନ୍ତରେ ବି ଶେଷ ଦର୍ଶନ ପାଇଁ ଆସିଲେନି ମୁଖ୍ୟମନ୍ତ୍ରୀ। ଏମିତିକି ଦଳର କେହି ବି ସୌଜନମୂଳକ ଶେଷଦର୍ଶନ ବି କଲେନି। ଫଳସ୍ୱରୂପ ମେ ୨୮, ୨୦୧୮ମସିହାରେ ବିଜେଡିରୁ ଇସ୍ତଫା ଦେଇଥିଲେ ବୈଜୟନ୍ତ।

ଏଭଳି ନୀଚ୍ଚ ମନୋବୃତ୍ତି ଥିବା ଦଳରେ ରହିବା ତାଙ୍କ ଆତ୍ମସମ୍ମାନର ବିରୋଧ ବୋଲି ଦର୍ଶାଇ ଶେଷରେ ବିଜେଡି ସହ ଦୀର୍ଘ ବର୍ଷର ସମ୍ପର୍କ ଛିନ୍ନ କରିଥିଲେ ସେ। ଏହାପରେ ବି ଷଡ଼ଯନ୍ତ୍ର ଥମି ନଥିଲା। ଚିଲିକାରେ ବିବାଦୀୟ ହେଲିକପ୍ଟର ଉଡ଼ାଣ ଅଭିଯୋଗ ମାମଲାରେ ଇମ୍ଫାର ୩ଟି ହେଲିକପ୍ଟରକୁ ସିଜ୍ କରିଥିଲା ପୁରୀ ପୁଲିସ୍। ତେବେ ଡିଜିସିଏର କ୍ଲିନ୍‌ଚିଟ୍ ପରେ ସେ ସବୁକୁ ମୁକ୍ତ କରିବାକୁ ବାଧ୍ୟ ହୋଇଥିଲେ।

ଏସବୁ ଭିତରେ ବୈଜୟନ୍ତଙ୍କ କେନ୍ଦ୍ରାପଡ଼ାରେ ରୀତିମତ ବିଭିନ୍ନ କାର୍ଯ୍ୟକ୍ରମ ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ‘ହେଇଯାଉ’ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ସମର୍ଥନ ପାଇ ଆସିଛନ୍ତି।

You might also like