’ଭାଇ ନୁହେଁ, ଆଜି ମୋ ପୁଅ ଚାଲିଗଲା’- ସହିଦ ଶଶାଙ୍କଙ୍କୁ ଝୁରି କାନ୍ଦୁଛନ୍ତି ବଡ଼ ଭାଇ

ବୀର ପୁଅକୁ ମନେ ପକାଉଛନ୍ତି ପରିବାର ଲୋକେ

ଯାଜପୁର(ଗୁଲାମ ଗସ୍) : ’ଭାଇ ନୁହେଁ ପୁଅ ଥିଲା ମୋର। ଆଜି ମୋ ପୁଅ ଚାଲିଗଲା। ମୋ ଭାଇଟା, ମୋ ଛୁଆ ଭାଇଟା। ସାନ ଭାଇଟାକୁ କୋଳେଇ କାଖେଇ ମଣିଷ କରିଥିଲି, ଆଜି ଦେଶ ପାଇଁ ସହିଦ ହୋଇଗଲା।” ଦେଶମାତୃକା ପାଇଁ ଜୀବନ ଦେଇଥିବାରୁ ଛାତି ଗର୍ବରେ ଫୁଲି ଯାଉଥିଲେ ସୁଦ୍ଧା ଭାଇର ମୃତ୍ୟୁ ଖବରରକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବଡ଼ ଭାଇ। କଥା କହିଲା ବେଳେ ଆଖି ଆପେ ଆପେ ଲୁହରେ ଭରିଯାଉଛି। ତିନି ଦିନ ପୂର୍ବରୁ କଲ କରି ଭାଇର ସହିଦ ହୋଇଥିବାର ଖବର ଦେଇଥିଲେ ମେଜର। ସେପଟେ ସହିଦଙ୍କ ସମ୍ପର୍କୀୟ କାନ୍ଦି କାନ୍ଦି କହିଛନ୍ତି, “ଛୋଟବେଳେ ଯାହାକୁ ବଡ଼ କରିଥିଲୁ, ଆଜି ତାକୁ କାନ୍ଧରେ ନେବାକୁ ପଡ଼ୁଛି । ଏ ବୟସରେ ଏଦିନ ଦେଖିବାକୁ ପଡ଼ିଲା।”

ବୀର ପୁଅକୁ ମନେ ପକାଉଛନ୍ତି ପରିବାର ଲୋକେ। କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ସମସ୍ତଙ୍କ ଆଖିରୁ ଧାର ଧାର ଲୁହ ବହିଯାଉଛି। କାରଣ ଦେଶ ପାଇଁ ସହିଦ ହୋଇଛି ଆଉ ଜଣେ ଓଡିଆ ପୁଅ। ୩ ପିଢ଼ି ହେଲା ସେନାରେ ଭର୍ତ୍ତି ହୋଇ ଭାରତ ମାତାର ସେବା କରି ଆସୁଥିବା ଏହି ବୀର ପରିବାରରୁ ପୁଣି ଦେଶ ପାଇଁ ବଳିଦାନ ଦେଇଛନ୍ତି ସହିଦ ଶଶାଙ୍କ ଶେଖର।

ଶତ୍ରୁକୁ ଦେଶରେ ପୂରାଇ ନଦେବାକୁ ପଣ କରିଥିଲା ଓଡ଼ିଶାର ପୁତ୍ର। ରକ୍ତରେ ନିଆଁ ଲାଗିଥିଲା, ମନରେ ଦେଶ ପ୍ରେମର ଭାବ, ଆସୁ କିଏ ଆସୁଛି ମାରିବି ନହେଲେ ମରିବି। ସୀମାରେ ଆତଙ୍କ ଚଳାଇ, ଛଳ କପଟ କରି ରକ୍ତରେ ହୋଲି ଖେଳିଲେ ଆତଙ୍କୀ। ଆଉ ସିଆଚେନରେ ଛାତି ଫୁଲାଇ ହସି ହସି ମୃତ୍ୟୁକୁ ଆଦରି ନେଲେ ଓଡ଼ିଆ ପୁଅ।

 

ଲଦାଖ ସୀମାରେ ଶତ୍ରୁ ପକ୍ଷଙ୍କ ସହ ମୁକାବିଲା କରି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗ୍ରାମର ଯବାନ ଶଶାଙ୍କ ଶେଖର ସାମଲ ପ୍ରାଣ ହରାଇଛନ୍ତି। ଆଉ ତାଙ୍କ ପାର୍ଥିବ ଶରୀର ଜନ୍ମମାଟିକୁ ଆସିବା ପରେ ସୃଷ୍ଟି ହୋଇଥିଲା ଶୋକାକୂଳ ପରିବେଶ।  ଭାରତ ମାତା କି ଜୟ, ସହୀଦ ଯବାନ ଅମର ରହେ ଧ୍ୱନିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଥିଲା।

ଗତକାଲି ସଂଧ୍ୟାରେ ଶଶାଙ୍କଙ୍କ ମରଶରୀର ଭୁବନେଶ୍ୱରରୁ ଅଣାଯାଇ ଚଣ୍ଡିଖୋଲ ଛକରେ ପହଂଚିଲା ପରେ ଏକ ଶୋଭାଯାତ୍ରାରେ ଗାଁ ମାଟିକୁ ପାଛୋଟି ନିଆଯାଇଥିଲା। ହଜାର ହଜାର ଲୋକ ତାଙ୍କର ଶେଷ ଦର୍ଶନ କରିବା ସହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

କ୍ଷେତ୍ରପାଳ ଗ୍ରାମର ସ୍ୱର୍ଗତ ଯଦୁନାଥ ସାମଲଙ୍କ ପୁଅ ଥିଲେ ଶଶାଙ୍କ। ଗୁରୁବାର ବିଳମ୍ବିତ ରାତିରେ ଡ୍ୟୁଟିରୁ ଫେରୁଥିବା ବେଳେ ଶତ୍ରୁପକ୍ଷଙ୍କ ଆକ୍ରମଣରେ ଅନ୍ୟ ଯବାନଙ୍କ ସହ ଶଶାଙ୍କ ସହିଦ ହୋଇଥିଲେ। ଗତବର୍ଷ ଜୁଲାଇ ମାସରେ ଗ୍ରାମକୁ ଆସିଥିବା ବେଳେ ଅଗଷ୍ଟ ମାସରେ ପୁଣି ଚାକିରୀକୁ ଚାଲିଯାଇଥିଲେ। ଆସନ୍ତା ମାର୍ଚ୍ଚ ମାସରେ ଘରକୁ ଆସିବେ ବୋଲି କହିଥିଲେ । କିନ୍ତୁ ଆସିଲା ତାଙ୍କର ମରଶରୀର।

ଶଶାଙ୍କ ୪ବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କର ୨ବର୍ଷର ପୁଅଟିଏ ଅଛି । ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକେ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଏପଟେ ଆଜି ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ରହିବା ସହ ବହୁ ରାଜନେତା ସାମିଲ ହୋଇ ସହିଦଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି ।

You might also like