କୋଭିଡ କଟକଣା ଭିତରେ ପାଳିତ ହେଉଛି ଜନ୍ମାଷ୍ଟମୀ

ଭୁବନେଶ୍ୱର: ଆଜି ପବିତ୍ର ଜନ୍ମାଷ୍ଟମୀ । ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ ପାଇଁ ଚାରିଆଡେ ଚାଲିଛି ପ୍ରସ୍ତୁତି। ବିଶେଷ କରି ମଥୁରା, ଦିଲ୍ଲୀ, ରାଞ୍ଚି ସହିତ ପୁରା ଉତ୍ତର ଭାରତରେ ଜନ୍ମାଷ୍ଟମୀ ପର୍ବ ବେଶ ଧୁମଧାମର ସହ ପାଳନ କରୁଛନ୍ତି ଶ୍ରଦ୍ଧାଳୁ।

ସେହିପରି ଦ୍ୱାରିକାରେ ମଧ୍ୟ ଜନ୍ମାଷ୍ଟମୀ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କିନ୍ତୁ କୋଭିଡ ପାଇଁ ସ୍ୱତନ୍ତ୍ର କଟକଣା ଜାରି କରାଯାଇଛି । ଭକ୍ତଙ୍କ ଗହଳିକୁ ରୋକିବା ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି । ମଥୁରାର କେତେକ ସ୍ଥାନରେ ଅନଲାଇନ୍ ଦର୍ଶନର ବ୍ୟବସ୍ଥା କରାଯାଇଛି। ଏହା ସହିତ ଦହିହାଣ୍ଡି ଭଙ୍ଗା ଉପରେ ଲଗାଯାଇଛି କଟକଣା । ଏଥର ଦହିହାଣ୍ଡି ଭଙ୍ଗା ହେବ ନାହିଁ ବୋଲି ଜଣାପଡିଛି।

ଓଡ଼ିଶାରେ ମଧ୍ୟ ଜନ୍ମାଷ୍ଟମୀ ପର୍ବ ପାଳନ ପାଇଁ ପ୍ରସ୍ତୁତି ଚାଲିଛି। ତେବେ ମନ୍ଦିର ଭିତରେ ବିନା ଭକ୍ତରେ ପାଳନ ହେବ ଜନ୍ମାଷ୍ଟମୀ। ଶ୍ରୀମନ୍ଦିରରେ ମଧ୍ୟ ଜନ୍ମାଷ୍ଟମୀ ନୀତିକାନ୍ତି ସହ ପାଳନ କରାଯିବ।

ଗତକାଲି ସପ୍ତମୀ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ସପ୍ତମୀ ତିଥିରେ ସଂଧ୍ୟା ଆଳତିରେ ଠାକୁରଙ୍କୁ ଛଅମୂର୍ତ୍ତି ଅଳଙ୍କାର ଲାଗି ହୋଇଥିଲା । ସଂଧ୍ୟାଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇଥିଲା । ଟେରା ବନ୍ଧା ପରେ ମହାପ୍ରଭୁଙ୍କ ନିକଟରେ ଜେଉଡ ଭୋଗ ଅର୍ଥାତ ଶାଗ, ତରକାରୀ, ପିଠା, ଝିଲି,  ଖିରି ଆଦି ଅଣାଯାଇ ଅସରଣ ପିଣ୍ଡିରେ ରଖାଯାଇଥିଲା ।

ମୁଦିରସ୍ତ ସେବାୟତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥିଲେ।  ତିନି ପୂଜାପଣ୍ଡା ପଞ୍ଚାକ୍ଷର ମନ୍ତ୍ରରେ ପୂଜା କରିବା ସହ ପଣ୍ଡା, ପତି ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରିଥିଲେ । ଏହାକୁ ଗର୍ଭଉଦକ ବନ୍ଦାପନା ମଧ୍ୟ କୁହାଯାଇଥାଏ ।  ପରମ୍ପରା ଅନୁୂସାରେ ଏହା ଗୁପ୍ତନୀତି ହୋଇଥିବାରୁ ଆଜି ସଂଧ୍ୟାଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ । ଦୁଇ ଜଣ ମହାଜନ ସେବକ ଦେବକୀ ଓ ବସୁଦେବ ବେଶରେ ଜନ୍ମ ଚକଡ଼ାରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ସମ୍ପୂର୍ଣ୍ଣ କରିବେ।

You might also like