ରାଜ୍ୟ ଓ ଦେଶରେ ଜନତା କର୍ଫ୍ୟୁ: ଘରୋଇ ବସ୍ ଓ ଅଟୋ ବନ୍ଦ
ଭୁବନେଶ୍ୱର: କରୋନା ଭାଇରସର ମୁକାବିଲା ଲାଗି ସାମାଜିକ ଦୂରତ୍ୱକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଆଜି ସାରା ଦେଶ ଜନତା କର୍ଫ୍ୟୁ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଆଜି ସକାଳ ୭ଟାରୁ ଜନତା କର୍ଫ୍ୟୁ ଆରମ୍ଭ ହୋଇ ରାତି ୯ଟା ଯାଏଁ ଚାଲିବ।
ଏହି ସମୟ ମଧ୍ୟରେ ଲୋକଙ୍କୁ ଘରୁ ପଦାକୁ ନବାହାରିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିରେ କେବଳ ଅତ୍ୟାବଶ୍ୟକ ସେବା ଛଡ଼ା ଅନ୍ୟ ସମସ୍ତ ସେବା ବନ୍ଦ ରହିବ।
ଏହି ସମୟ ମଧ୍ୟରେ ମେଡିକାଲ ଭଳି ଅତ୍ୟାବଶ୍ୟକ ସେବାରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଅନ୍ୟମାନେ ଘର ଛାତ ଉପରକୁ ଯାଇ ତାଳି, ଘଣ୍ଟି କିମ୍ବା ଥାଳି ବାଡ଼େଇ ସେମାନଙ୍କୁ ଧନ୍ୟବାଦ ଦେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ତେବେ ଯିଏ ଯେଉଁଠି ଅଛନ୍ତି, ସେହିଠାରେ ହିଁ ଜନତା କର୍ଫ୍ୟୁ ପାଳିବାକୁ ମୋଦି କହିଛନ୍ତି।
ଓଡ଼ିଶାରେ ମଧ୍ୟ ଜନତା କର୍ଫ୍ୟୁର ପାଳନ ହୋଇଛି। ଜନତା କର୍ଫ୍ୟୁରେ ଆଜି ରାଜ୍ୟବ୍ୟାପୀ ଘରୋଇ ବସ ଚଳାଚଳ ବନ୍ଦ ରହିବ। ଘରୋଇ ବସ୍ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଥିବା ସଂଘର ମୁଖପାତ୍ର ଦେବାଶିଷ ନାୟକ ସୂଚନା ଦେଇଛନ୍ତି। ବର୍ତ୍ତମାନ ରାଜ୍ୟରେ ପ୍ରାୟ ୧୩ରୁ ୧୪ ହଜାର ଘରୋଇ ବସ୍ ଚାଲୁଛି।
ଏହାଛଡ଼ା କଟକରେ ଅଟୋ ଚଳାଚଳ ମଧ୍ୟ ବନ୍ଦ ରହିବ। ସହରରେ କେବଳ ୫୦ଟି ଅଟୋକୁ ଛାଡ଼ି ଦେଲେ ସମସ୍ତ ଅଟୋ ଚଳାଚଳ ବନ୍ଦ ରହିବ ବୋଲି ଅଟୋ ରିକ୍ସା ସଂଘ ପକ୍ଷରୁ କୁହାଯାଇଛି।
ସେହିପରି ଜନତା କର୍ଫ୍ୟୁ ପାଇଁ ବନ୍ଦ ରହିବ ରେଳ ସେବା। ଆଜି ଭାରତୀୟ ରେଳ ପକ୍ଷରୁ ୩ ହଜାର ୭୦୦ ଯାତ୍ରୀବାହୀ ଟ୍ରେନ୍ ସେବା ବନ୍ଦ ରଖିବାକୁ ଘୋଷଣା ହୋଇଛି। କେବଳ ପୂର୍ବତଟ ରେଲେଓ୍ୱ ପକ୍ଷରୁ ୪୮ଟି ଏକ୍ସପ୍ରେସ ଓ ୯୩ଟି ସାଧାରଣ ପାସେଞ୍ଜର ଟ୍ରେନ୍ ସମେତ ୧୪୧ଟି ଟ୍ରେନ ବାତିଲ କରାଯାଇଛି। ଭୋର ୪ଟାରୁ ରାତି ୧୦ ମଧ୍ୟରେ ଯାତ୍ରା ଆରମ୍ଭ କରିବାକୁ ଥିବା ସମସ୍ତ ଟ୍ରେନକୁ ବାତିଲ କରି ଦିଆଯାଇଛି। ତେବେ ଭୋର ୪ଟା ପୂର୍ବରୁ ଯାତ୍ରା ଆରମ୍ଭ କରିଥିବା ସମସ୍ତ ଟ୍ରେନ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ଯାଏ ଚାଲିବ।