ପନିପରିବା ଚାଷଠୁ, ମୁର୍ତ୍ତି ତିଆରି ତଥା ସଙ୍ଗୀତ କାର୍ଯ୍ୟକ୍ରମ, ଜେଲ ପରିବେଶକୁ କରିଛି ଭିନ୍ନ

ଗାଁଠୁ କମ୍ ନୁହେଁ ଏ ଜେଲ୍ : ସବୁଜିମାରେ ପୂରି ଉଠୁଛି

ଜଳେଶ୍ୱର(ଅଜିତ କୁମାର ଦାସ): ଜେଲ୍ କହିଲେ ମନକୁ ଆସେ ଚାରି କାନ୍ଥ , ଅନ୍ଧାର କୋଠରୀ । ଆଉ ଯେଉଁଠି  ଅଣନିଶ୍ୱାସୀ ଲାଗେ, ଏପରି ଏକ ଜେଲ ଅଛି, ଯାହାର ପରିବେଶ କୌଣସି ଏକ ଗାଁର ପରିବେଶ ଠାରୁ କମ ନୁହେଁ । ପନିପରିବା ଚାଷଠୁ ନେଇ ମୁର୍ତ୍ତି ତିଆରି ତଥା ଭଜନ ଓ ସଙ୍ଗୀତ କାର୍ଯ୍ୟକ୍ରମ ଜେଲ ପରିବେଶକୁ କରିଛି ଭିନ୍ନ ।  ବନ୍ଦୀ ଜୀବନ କାଟୁଥିବା ଅନ୍ତେବାସୀଙ୍କ ପାଇଁ ଏପରି ଆୟୋଜନ କରାଯାଇଛି। ଜଳେଶ୍ୱରର ଉପକାରାଗାରକୁ ସ୍ୱଚ୍ଛ, ସୁସ୍ଥ ଓ ଆଧ୍ୟାତ୍ମିକ ରଖିବାକୁ ଏପରି ପ୍ରୟାସ କରିଛନ୍ତି ଜେଲ ସୁପରିଟେଣ୍ଡେଣ୍ଟ୍ ।

ସବୁଜିମାରେ ପୂରି ଉଠୁଛି ଜେଲ୍। ଜେଲରେ ବିଭିନ୍ନ ପ୍ରକାର ପନିପରିବା ଫସଲ କରି ପରିବେଶକୁ ମହକାଉଛନ୍ତି ଜେଲ ଅନ୍ତେବାସୀ । ଜଳେଶ୍ୱର ଉପକାରାଗାରର ଅନ୍ତେବାସୀ ଖାଲି ପରିବା କାହିଁକି ବିଭିନ୍ନ କଳା କାରିଗରୀ କାମ କରି ଏବେ ଚର୍ଚ୍ଚାରେ । ମାଟିରେ ତିଆରି କରୁଛନ୍ତି ଦେବାଦେବୀଙ୍କ ମୁର୍ତ୍ତି ସହ ସୁନ୍ଦର ସୁନ୍ଦର କଳାକୃତି ନିଜ ଭିତରେ ଲୁଚି ରହିଥିବା ଲୁକାୟିତ ପ୍ରତିଭାକୁ ମଧ୍ୟ ଲୋକଲୋଚନକୁ ଆଣି ପାରିଛନ୍ତି । କେବଳ ଏତିକି ନୁହେଁ ଜେଲର ଚାରି କାନ୍ଥ ଭିତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟ ସୃଷ୍ଟି ହେଉଛି ।

ଅନେକ ଅନ୍ତେବାସୀ ଭଜନ , ପ୍ରବଚନ ଓ ବାଦ୍ୟବିଚିତ୍ରା କାର୍ଯ୍ୟକ୍ରମରେ ନିଜ ଦକ୍ଷତା ଦେଖାଉଛନ୍ତି ଅନ୍ତେବାସୀ । ଏତିକିରେ ସରିନି , ଜେଲ ପରିସରକୁ ନିଜ ରଙ୍ଗତୁଳୀରେ ରଙ୍ଗୀନ ବି କରିଛନ୍ତି । ଜେଲ କାନ୍ଥ ବି ଦେଉଛି ସଚେତନତାର ବାର୍ତ୍ତା । ସବୁଠୁ ବଡ କଥା, ଅନ୍ତେବାସୀ କହିଛନ୍ତି ଜେଲରୁ ମୁକୁଳିଲେ ନିଜ ପ୍ରତିଭାକୁ ପେଷା କରି ପରିବାର ଚଳାଇବେ ।

ଜଳେଶ୍ୱର ସବ ଜେଲରେ ରହିଛନ୍ତି ପ୍ରାୟ ୧୦୦ ଅନ୍ତେବାସୀ ଆଉ ସେମାନଙ୍କୁ ଆଗକୁ ଭଲ ମଣିଷ ହୋଇ ବଞ୍ଚିବାର ରାହା ଦେଖାଇବା ପାଇଁ ଅଣ୍ଟା ଭିଡିଛନ୍ତି । ଜେଲ ସୁପରିନଟେଣ୍ଡଣ୍ଟ ସରକାରୀ ସହାୟତା ସହ ସ୍ୱେଚ୍ଛାସେବୀ ସଂଗଠନର ମିଳିତ ଉଦ୍ୟମରେ ଜେଲରେ ଏସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

 

You might also like