• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯାଜପୁର : ଯାଜପୁର କେଲୁଅ ନଦୀବନ୍ଧ ରାସ୍ତାରେ ମନୁଷ୍ୟକୃତ ଘାଇ ମାମଲାରେ ଭିଜିଲାନ୍ସ ତଦନ୍ତ କରିବ । କେଲୁଆ ନଦୀବନ୍ଧ ରାସ୍ତାକୁ ଡିନାମାଇଟ୍ ଲଗାଇ ଭାଙ୍ଗି ଦିଆଯାଇଥିବା ଅଭିଯୋଗର ତଦନ୍ତ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି ।  ଏହାସହ ଆସନ୍ତା ୨ ମାସ ମଧ୍ୟରେ ତଦନ୍ତ ସାରି  ରିପୋର୍ଟ ଦାଖଲ କରିବାକୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଆଜି ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୨ତାରିଖକୁ ଧାର୍ଯ୍ୟ କରାଯାଇ ଥିବାବେଳେ ତା’ପୂର୍ବରୁ ଭିଜିଲାନ୍ସ ତା’ର ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିବ।

ଭିଜିଲାନ୍ସ SP କିମ୍ବା ASP ରାଙ୍କର ଅଧିକାରୀ ଘାଇ ଭଙ୍ଗା ଘଟଣାର ତଦନ୍ତ କରିବାକୁ ଲୋକାୟୁକ୍ତ କହିଛନ୍ତି । ନିମ୍ନମାନର କାମ ପାଇଁ ରାସ୍ତା ଧୋଇଯାଇଥିଲା ନା ନାହିଁ ? ଦୁର୍ନୀତିକୁ ଲୁଚାଇବା ପାଇଁ ରାସ୍ତା ନଷ୍ଟ କରାଯାଇଥିଲା କି ନାହିଁ ? ଏଥିରେ କୌଣସି ସରକାରୀ କର୍ମଚାରୀ କିମ୍ବା ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ? ଏହି ୩ଟି ଦିଗ ଉପରେ ପ୍ରାଥମିକ ତଦନ୍ତ କରି ୨ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଲୋକାୟୁକ୍ତ କହିଛନ୍ତି। ସିଲ୍ କଭର ଭିତରେ ଏ ସଂକ୍ରାନ୍ତ ସମସ୍ତ ଦସ୍ତାବିଜକୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ହସ୍ତାନ୍ତର କରିବା ପାଇଁ ନିଜର ସଚିବଙ୍କୁ ଲୋକାୟୁକ୍ତ କହିଛନ୍ତି। ଏହି ମାମଲାର ପ୍ରାଥମିକ ତଦନ୍ତ ରିପୋର୍ଟ ମାର୍ଚ୍ଚ ୧୨ତାରିଖ ପୂର୍ବରୁ ଦାଖଲ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗତ ଅଗଷ୍ଟ ୨୮ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ଏହି କେଲୁଅ ନଦୀବନ୍ଧକୁ ଡିନାମାଇଟ୍ ଲଗାଇ ଉଡାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା ।

ଆଉ ଏ ଘଟଣାକୁ ନେଇ ରାଜ୍ୟରେ ତମ୍ବିତୋଫାନ୍ ସୃଷ୍ଟି ହୋଇଥିଲା । ଏପରିକି ତତ୍କାଳୀନ ମୁଖ୍ୟ ଶାସନ ସଚିବ ମଧ୍ୟ ଏହାକୁ ମନୁଷ୍ୟକୃତ ବୋଲି କହିଥିଲେ । ହେଲେ ଅଦ୍ୟାବଧି ମାମଲାରେ କୌଣସି କାରର୍ଯ୍ୟାନୁଷ୍ଠାନ ହୋଇ ନଥିବାବେଳେ ଲୋକାୟୁକ୍ତ ୬ ଜଣଙ୍କୁ ନୋଟିସ୍ କରିଥିଲେ । ବିଧାୟକ ପ୍ରଣବ ବଳବନ୍ତରାୟ, ଯନ୍ତ୍ରୀ ନରେନ୍ ଜେନାଙ୍କ ସମେତ ୬ ଜଣଙ୍କୁ ଗତ ଅକ୍ଟୋବର ମାସରେ ନୋଟିସ୍ ଜାରି କରିଥିଲେ ଲୋକାୟୁକ୍ତ । ଆଉ ଏବେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ଭିଜିଲାନ୍ସ କେମିତି ତଦନ୍ତ କରୁଛି ତାଉପରେ ନଜର ରହିଛି ।