ବଜାରରେ ବିକ୍ରି ହେଉନାହିଁ ପରିବା, ପାଳରେ ଖତ ଖାଉଛି ଚାଷୀର ଫସଲ

ଚିନ୍ତାରେ ଚାଷୀ

  • ମିଳୁନି ଉଚିତ୍ ମୂଲ୍ୟ, ପାଳରେ ଖତ ଖାଉଛି ସୁନାର ଫସଲ
  • ଚିନ୍ତାରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ପରିବା ଚାଷୀ
  • ପାଳରେ ଚାଷୀ ଛାଡ଼ିଲେ ଟମାଟୋ, ବାଇଗଣ ଓ କୋବି
  • ଶୀତଳ ଭଣ୍ଡାର ନଥିବାରୁ ସ୍ଥିତି ଉପୁଜିଥିବା ଅଭିଯୋଗ

ଯାଜପୁର(ଗୁଲାମ ଗସ): ଖରାଦିନିଆ ଉତ୍ପାଦିତ ପନିପରିବା ବିକ୍ରି ନେଇ ଏବେ ଚିନ୍ତାରେ ଅଛନ୍ତି ଚାଷୀ। ବଜାରରେ ପରିବା ଦର ହ୍ରାସ ପାଉଛି। କମ ଦରରେ ପରିବା ବିକ୍ରି କରିବା ତ  ଦୂର କଥା। ତୋଳିବା ପଇସା ନ ଉଠିବାରୁ ଚାଷୀ ଶେଷରେ ବାଡ଼ରେ ପରିବା ଛାଡ଼ିଦେଲେଣି। ଶୀତଳ ଭଣ୍ଡାର ନଥିବାରୁ ଚାଷୀ ପରିବାର ଉଚିତ୍‌ ମୂଲ୍ୟ ପାଉନଥିବା ବେଳେ କେବେଳ ମିଥ୍ୟା ପ୍ରତିଶ୍ରୁତି ମିଳୁଛି।

ବିଲରେ ଖତ ଖାଉଛି ସୁନାର ଫସଲ, କାରଣ କିଏ କିଣିବାକୁ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି। ଏକର ଏକର ଚାଷ ଜମିରେ ଲାଗିଥିବା ପରିବା ଫସଲ ମାଟିରେ ମିଶିଲାଣି। ପରିବା ତୋଳିଲେ ମୁଲ ବି ବାହାରିବନି , ତେଣୁ ବାଧ୍ୟ ହୋଇ ଚାଷୀ ତାକୁ ବାଡ଼ିରେ ଛାଡୁଛି। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଲଟପୁର ଏବଂ ଜାଫରପୁର ଅଂଚଳରେ। ବଜାରରେ ଉଚିତ ଦର ନମିଳିବାରୁ ଚାଷୀ ଏଠାରେ ବାଡ଼ରେ ଟମାଟୋ, ବାଇଗଣ ଓ କୋବି ଛାଡ଼ିଦେଇଥିବା ଦେଖିବାକୁ ମିଳିଛି।

ଚାଷୀ କହିଛନ୍ତି, ବଜାରରେ ବନ୍ଧା କୋବି ଗୋଟିକର ଦାମ ୧ ଟଙ୍କା ରହିଛି। ତେଣୁ ଆମେ କେତେ ଟଙ୍କାରେ ବେପାରୀଙ୍କୁ ବିକିବୁ? ଫସଲ ତୋଳିବା ଲାଗି ଯେତିକି ଟଙ୍କା ଆବଶ୍ୟକ ତାହା ମଧ୍ୟ ଉଠିବ ନାହିଁ। ସେଥିଲାଗଇ ବାଧ୍ୟ ହୋଇ ଫସଲ ତୋଳୁନାହୁଁ ବୋଲି ଚାଷୀ କହିଛନ୍ତି।

କେବଳ ପାଲଟପୁର ଏବଂ ଜାଫରପୁର ଗାଁର ଏହି ସମସ୍ୟା ନୁହେଁ। ବରଂ ଦଶରଥପୁର ବ୍ଲକରେ ଏକର ଏକର ଜମିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଚଳିତ ବର୍ଷ ଅଧିକ ପନିପରିବା ଉତ୍ପାଦନ ହୋଇଛି ସତ। ହେଲେ ଚାଷୀ ପକେଟକୁ କିନ୍ତୁ ଟଙ୍କା ଆସୁନି। ପରିବା ସଂକର୍ଷଣ ଲାଗି ଶୀତଳ ଭଣ୍ଡାରଟିଏ ନଥିବାରୁ ଚାଷୀ ଏଭଳି ଦଶା ଭୋଗୁଥିବା କହିଛନ୍ତି। ସପଟେ ଏ ନେଇ ମତ ରଖିଛନ୍ତି ଜିଲ୍ଲା ଉଦ୍ୟାନ ବିଭାଗର ଜିଲ୍ଲା କୃଷି ଉପ ନିର୍ଦ୍ଦେଶକ। ଯଦି କୌଣସି ଚାଷୀ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ଇଛା ପ୍ରକାଶ କରନ୍ତି ତେବେ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ସେ କହିଛନ୍ତି।

କେବଳ କାଗଜ କଲମ ଓ ଫମ୍ପା ପ୍ରତିଶ୍ରୁତିରେ ଚାଲିଛ ଶୀତଳ ଭଣ୍ଡାର ନିର୍ମାଣ। ପ୍ରକୃତ ପକ୍ଷେ ଶୀତଳ ଭଣ୍ଡାର ନଥିବାରୁ ଚାଷୀ ଏଭଳି ଦଶା ଭୋଗୁଥିବା କହିଛନ୍ତି।

You might also like