ନ୍ୟାୟ ପାଇଁ ମନ୍ତ୍ରୀଙ୍କ ଦୁଆରେ ପିହୁର ମା’

ଭୁବନେଶ୍ୱର: ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଭେଟିଲେ ନିଖୋଜ ଶିିଶୁ ପିହୁର ପରିବାର। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଦେଖା ନପାଇବାରୁ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି। ୭ ଦିନ ମଧ୍ୟରେ ନ୍ୟାୟ ନମିଳିଲେ ବିଧାନସଭା ସମ୍ମୁଖରେ ଧାରଣାରେ ବସିବେ ବୋଲି କହିଛନ୍ତି ପିହୁର ମାଆ।

ଯାଜପୁର ଜିଲ୍ଲା ବିଂଝାରପୁର ଥାନା ମଧୁସୁଦନପୁର ଗ୍ରାମର ୨ ବର୍ଷର ଝିଅ ପିହୁ ନିଖୋଜକୁ ପାଖାପାଖି ୬ ମାସ ହେବାକୁ ଯାଉଛି। ହେଲେ ଅଦ୍ୟାବଧି ତାର କୌଣସି ପତ୍ତା ମିଳୁ ନାହିଁ। ପୋଲିସ ଠାରୁ ବିଫଳ ହେବା ପରେ ପରିବାର ଲୋକେ ଜିଲ୍ଲାପାଳଙ୍କ ଅଫିସରେ ଧାରଣା ଦେଇଥିଲେ। ଏସ୍‌ପିଙ୍କ ସହିତ ଆଲୋଚନା କରି ପିହୁକୁ ଖୋଜି ଆଣିବା ପାଇଁ ଚେଷ୍ଟା କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ।

ହେଲେ ଇତି ମଧ୍ୟରେ ଅନେକ ଦିନ ବିତିଯାଇଥିଲେ ହେଁ ପିହୁର ପତ୍ତା ପାଇବାରେ ପୋଲିସ ବିଫଳ ହୋଇଛି। ଏହି ଘଟଣାରେ ଆଜି ପିହୁର ବାପା ମାଆ ଭୁବନେଶ୍ୱରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ବାସଭବନ ଆଗରେ ଧାରଣାରେ ବସିଥିଲେ। ସେପଟେ ଆଜି ଏସପି ଏବଂ କ୍ରାଇମବ୍ରାଞ୍ଚ ଆଇଜିଙ୍କ ସହ ଆଲୋଚନା କହିଛନ୍ତି ଶିଶୁ ସୁରକ୍ଷା ଆୟୋଗ ସାବତୀ ପ୍ରଧାନ। ପିହୁକୁ ଖୋଜିବା ପାଇଁ ଏକ ଟିମ୍ ବାହାର ରାଜ୍ୟକୁ ଯାଇଥିବା ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ୯ ତାରିଖରେ ପିହୁ ଦାଣ୍ଡରେ ଖେଳୁଥିବା ବେଳେ କେଉଁ ଆଡେ ନିଖୋଜ ହୋଇଯାଇଥିଲା। ଏନେଇ ତାର ମାଆ ଥାନାରେ ଅଭିଯୋଗ କରିଥିଲେ। ପୋଲିସ କେବଳ ଏକ ନିଖୋଜ ମାମଲା ରୁଜୁ କରି ଚୁପ ହୋଇ ବସିରହିଥିଲା। ଘଟଣାର ୪ ମାସ ପରେ ବିଭିନ୍ନ ଗଣମାଧ୍ୟମରେ ଘଟଣା ପ୍ରସାରିତ ହେବା ପରେ ପୋଲିସ ପକ୍ଷରୁ କିଛିଟା ତତ୍ପରତା ପ୍ରକାଶ ପଶିଥିଲା।

ହେଲେ ଏବେ ଯାଏଁ ପୋଲିସ ପିହୁର ପତ୍ତା ପାଇବାରେ ବିଫଳ ହେଉଥିବା ଜଣାପଡୁଛି। ଝିଅକୁ ପାଇବା ପାଈଁ ଆଗାମୀ ଦିନରେ ପରିବାର ଲୋକେ ଶିଶୁ ବିକାଶ ମନ୍ତ୍ରୀଙ୍କ କ୍ୱାଟର ଆଗରେ ଧାରଣା ଦେବେ ବୋଲି ସେ ଚେତାବନୀ ଦେଇଛନ୍ତି।

ମ୍ୟାଡମ୍‌ ଆମ ସହିତ କଥା ହୋଇଛନ୍ତି। ସେ ମଧ୍ୟ କ୍ରାଇମବ୍ରାଞ୍ଚ ସହିତ କଥା ହୋଇଥିବା ନେଇ କହିଲେ। ଯଦି ୭ ଦିନ ଭିତରେ ଉଚ୍ଚସ୍ତରୀୟ ତଦନ୍ତ କରିବା ସୁପାରିଶ ନ କରନ୍ତି, ତାହା ହେଲେ ଆମେ ବିଧାନସଭା ଆଗରେ ଧାରଣ ଦେବୁ। 
-ମୋନାଲିସା ନାୟକ, ପିହୁର ମା’
ଏହି ଘଟଣାକୁ ଆମେ ଗୁରୁତର ସହ ନେଇଛୁ। ଏ ସମ୍ପର୍କରେ ଏସ୍‌ପିଙ୍କ ସହ ଆଲୋଚନା କରିଛି। ମୁଁ କ୍ରାଇମ୍‌ବ୍ରାଞ୍ଚ ଆଇଜିଙ୍କ ସହ କଥା ହୋଇଛି। ସେଇ କୁନି ଝିଅକୁ ଉଦ୍ଧାର କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ସେ ପ୍ରତିଶ୍ରୁତ ଦେଇଛନ୍ତି। 
-ସନ୍ଧ୍ୟାବତୀ ପ୍ରଧାନ, ଶିଶୁ ଅଧିକାର ସୁରକ୍ଷା ଆୟୋଗ
You might also like