ଆଜିଠୁ ଖୋଲିଲା ମା’ ବିରଜାଙ୍କ ମନ୍ଦିର

ଯାଜପୁର: ଆଜିଠୁ ଖୋଲିଲା ଯାଜପୁରର ମା’ ବିରଜାଙ୍କ ମନ୍ଦିର। କୋଭିଡ୍ କଟକଣା ମଧ୍ୟରେ ଦର୍ଶନ ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା। ଭକ୍ତମାନେ କିଭଳି ସୁରୁଖୁରୁରେ ମାଙ୍କୁ ଦର୍ଶନ କରିପାରିବେ ସେଥିଲାଗି ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ଦୀର୍ଘମାସ ପରେ ମନ୍ଦିର ଖୋଲୁଥିବାରୁ ଶକ୍ତିପୀଠରେ ଭକ୍ତଙ୍କ ଭିଡ ଲାଗିଛି।

ମହିଳା ଓ ପୁରୁଷ ଭକ୍ତମାନଙ୍କ ପାଇଁ ଅଲଗା ଅଲଗା ଧାଡି ହୋଇଛି । ମନ୍ଦିରର ମୁଖ୍ୟ ଦ୍ୱାରରେ ପୋଲିସ ମୁତୟନ ରହିଛନ୍ତି । ସେହିପରି ମନ୍ଦିରରେ ପ୍ରବେଶ ପୂର୍ବରୁ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଭକ୍ତଙ୍କ ଥର୍ମାଲ ସ୍କିନିଂ କରାଯିବା ସହିତ ସାନିଟାଇଜ୍ ବ୍ୟବହାର ପାଇଁ ବ୍ୟବସ୍ଥା ହୋଇଛି ।

ସୂଚନାଯୋଗ୍ୟ, ଆଜିଠୁ ମନ୍ଦିର ଖୋଲିବା ନେଇ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋଡ଼ ପୂର୍ବରୁ ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇଥିଲେ । ସକାଳ ୬ ଘଟିକାରୁ ସନ୍ଧ୍ୟା ୫ ମଧ୍ୟରେ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିପାରିବେ।

କୋଭିଡ କଟକଣା ଭିତରେ   ଗତ ୨୭ ତାରିଖରୁ ଖୋଲିଥିଲା ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର। ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାର ପ୍ରଭୁଙ୍କୁ ଦର୍ଶନ କରିଥିଲେ । ୩୧ ତାରିଖ ଯାଏ ସେବାୟତଙ୍କ ପରିବାର ହିଁ ଦର୍ଶନ କରିବେ ବୋଲି ସୂଚନା ଦିଆଯାଇଥିଲା। ଏଥିପାଇଁ ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରୁ ବ୍ୟାରିକେଡ୍ୟ କରାଯାଇଥିଲା। ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଆସି ପରିଚୟ ପତ୍ର ଦେଖାଇ ମନ୍ଦିରକୁ ପ୍ରବେଶ କରିଥିଲେ।

ସେହିପରି ଗତ ୨୩ ତାରିଖରୁ ଖୋଲା ଯାଇଥିଲା ଶ୍ରୀମନ୍ଦିର।  ପ୍ରଥମ ୩ ଦିନ ସେବାୟତ ପରିବାର ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ୨୬ ତାରିଖରୁ ପୁରୀ ସହର ବାସିନ୍ଦାଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଉଛି। ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସହର ବାସିନ୍ଦା ମହାପ୍ରଭୁଙ୍କୁ ଦର୍ଶନ କରିବେ।

ସେହିପରି ଗତକାଲିଠାରୁ ଖୋଲିଛି ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ପ୍ରଥମ ଦୁଇଦିନ ସେବାୟତଙ୍କ ପରିବାର ବାବାଙ୍କ ଦର୍ଶନ ପାଇବେ।  ଏହାପର ୨ ଦିନ ସ୍ଥାନୀୟ ଲୋକ ଏବଂ ତା’ ପରେ ସାଧାରଣ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ମିଳିଛି।

ତେବେ ମନ୍ଦିରକୁ ପ୍ରବେଶ ପୂର୍ବରୁ ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି। ସେହିପରି ସେବାୟତମାନଙ୍କ ପରିଚୟପତ୍ର ବାଧ୍ୟତାମୂଳକ ରହିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସେହିପରି ଜାନୁଆରୀ ୩ ତାରିଖରେ ଖୋଲିବ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା ତାରା ତାରିଣୀଙ୍କ ମନ୍ଦିର । କରୋନା ମହାମାରୀ ଜନିତ ସଂକ୍ରମଣ ଭୟ ଯୋଗୁଁ ଦୀର୍ଘ ୯ ମାସ ହେଲା ଭକ୍ତଙ୍କ ପାଇଁ ବାରଣ ରହିଥିଲା ମନ୍ଦିର । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଖୋଲାଯିବା ପରେ ତାରା ତାରିଣୀ ମନ୍ଦିର ଖୋଲିବା ପାଇଁ ସେବାୟତ ଓ ଭକ୍ତ ଦାବି କରୁଥିଲେ । ସେବାୟତଙ୍କ ସହ ଆଲୋଚନା ପରେ ଜାନୁଆରୀ ୩ରୁ ମନ୍ଦିର ଖୋଲିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମ୍ରୁତା କୁଲାଙ୍ଗେ।

You might also like