ଭୁବନେଶ୍ୱର: ବିଧାନସଭା ନିକଟରେ ମା' ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜଗତସିଂହପୁର ଏସ୍‌ପି  ଆର୍‌. ପ୍ରକାଶ। ସୁଲୋଚନାଙ୍କ ପୁଅ ଅମୃତର ମୃତ୍ୟୁ ଦୁର୍ଘଟଣାଜନିତ ବୋଲି ଏସ୍‌ପି କହିଛନ୍ତି। ଏନେଇ ସୂଚନା ଦେଇ ସେ କହିଛନ୍ତି ଯେ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଅମୃତ ଓ ତାଙ୍କ ସାଙ୍ଗକୁ ଉଦ୍ଧାର କରାଯାଇଥିଲା। ମଣିଜଙ୍ଗା ମେଡିକାଲରେ ଅମୃତକୁ ମୃତ ଘୋଷଣା କରିଥିଲେ ଡାକ୍ତର। ଗାଡ଼ି ପଛରେ ବସିଥିବା ଅରୁଣ ଗୁରୁତର ଆହତ ହୋଇ SCB ଯାଇଥିଲେ। ରିପୋର୍ଟରେ ପୁଅର ମୃତ୍ୟୁ ଦୁର୍ଘଟଣାଜନିତ ବୋଲି ଲେଖିଥିଲେ ଅମୃତଙ୍କ ବାପା ରମାକାନ୍ତ। ତଦନ୍ତ କାଳରେ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପୁଅ ମୃତ୍ୟୁର ୭ ମାସ ପରେ ତାଙ୍କ ପୁଅକୁ ଅରୁଣ ହତ୍ୟା କରିଥିବା ସୁଲୋଚନା ଅଭିଯୋଗ ଆଣିଥିଲେ। କୁଜଙ୍ଗ JMFCରେ ଅଭିଯୋଗ ପରେ ଥାନାରେ ହତ୍ୟା ମାମଲା ରୁଜୁ ହୋଇଥିଲା। ମୃତ୍ୟୁ ଅଜଣା ଗାଡ଼ି ଧକ୍କାରେ ହୋଇଥିବା SDPO ତଦନ୍ତ କରି କୋର୍ଟଙ୍କୁ ଜଣାଇଥିଲେ। ଏମିତିକି ତିର୍ତ୍ତୋଲ SDPO, ଦୁଇ ASP ତଦନ୍ତ କରିଥିଲେ ବି ହତ୍ୟାର ପ୍ରମାଣ ମିଳିନଥିଲା। ତାଙ୍କୁ ଗାଳି ଦେଇଥିବା ନେଇ ସୁଲୋଚନାଙ୍କ ଅଭିଯୋଗରେ ସତ୍ୟତା ନାହିଁ ବୋଲି ଏସ୍‌ପି ଆର୍‌. ପ୍ରକାଶ କହିଛନ୍ତି।

ଘଟଣା ଅନୁସାରେ, ଆଜି ଅମୃତଙ୍କ ମାଆ ଓ ଭାଇ ବିଧାନସଭା ସାମ୍ନାରେ ଆତ୍ମାହୁତି ଦେବା ବେଳେ ଉଦ୍ଧାର କରିଥିଲା ପୋଲିସ। ଅମୃତଙ୍କୁ ହତ୍ୟା କରାଯାଇଛି ଜଣେ ସେନା କର୍ମଚାରୀ ବସନ୍ତ ନାଏକଙ୍କ ପୁଅ ଅରୁଣ ପଟ୍ଟନାୟକ ଓ ଦୀପକ ଜେନାଙ୍କ ସମେତ ୧୦ରୁ ୧୨ ଜଣ ହତ୍ୟାରେ ସଂପୃକ୍ତ ଅଛନ୍ତି ବୋଲି ଅଭିଯୋଗ କରିଥିଲେ ତାଙ୍କ ମାଆ। ଜଗତସିଂହପୁର ପୋଲିସ ଉପରେ ଅଭିଯୋଗ ଆଣି କହିଥିଲେ, ହତ୍ୟାକୁ ଦୁର୍ଘଟଣାର ରୂପ ଦେଇ ଜଗତସିଂହପୁର ପୋଲିସ୍ ବସିଯାଇଥିଲା।

ନ୍ୟାୟ ପାଇଁ ଏସ୍‌ପିଙ୍କ ପାଖକୁ ବାରମ୍ବାର ଦୌଡ଼ି ନିରାଶ ହେବା ପରେ ରାଜ୍ୟପାଳଙ୍କୁ ବି ଜଣାଇଥିବା କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଯାଇ ୭ ଥର ଲେଖିକି ଜଣାଇଲେ। ୫ଟି ସଚିବଙ୍କୁ ବି ଜଣାଇଥିଲେ, ହେଲେ କେହି କର୍ଣ୍ଣପାତ କରିନଥିଲେ ବୋଲି ଅମୃତଙ୍କ ମାଆ କହିଛନ୍ତି।

Other Stories