ମୁଣ୍ଡ ଜାମିନ ରଖି ୧୦ ଲକ୍ଷ ମାଗିଥିଲେ, ଆଜି ଧରାପଡ଼ିଲେ

ଜଗତସିଂହପୁର: ତିର୍ତ୍ତୋଲ ଥାନା ଅନ୍ତର୍ଗତ ଏରଡ଼ଙ୍ଗା ଗ୍ରାମର ଶିକ୍ଷକ ରବି ନାରାୟଣ ମିଶ୍ର ଅପହରଣ ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାଜା ସମେତ ଆଉ ୩ ଜଣ ଫେରାର ଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ସୂଚନା ଅନୁସାରେ ଗତ ଡିସେମ୍ବର ୨ ତାରିଖ ରାତି ୯ଟାରେ ରବି ନାରାୟଣ ମିଶ୍ର ନାଲିବର ବଜ଼ାରରୁ ଘରକୁ ଫେରୁଥିଲେ।

୬-୭ ଜଣ ଯୁବକ ତାଙ୍କୁ ବନ୍ଧୁକ ଦେଖାଇ ଏକ ୪ ଚକିଆ ଯାନରେ ଅପହରଣ କରିନେଇଥିଲେ। ପରେ ତାଙ୍କୁ ମୁଣ୍ଡ ଜାମିନ ରଖି ୧୦ ଲକ୍ଷ ଟଙ୍କା ଶ୍ରୀ ମିଶ୍ରଙ୍କ ପରିବାର ଲୋକଙ୍କୁ ମାଗିଥିଲେ। ତେବେ ପରିବାର ଲୋକେ ୪ ଲକ୍ଷ ଟଙ୍କା ଯୋଗାଡ କରି ନିର୍ଦ୍ଦିଷ୍ଟ ଜାଗାରେ ପହଞ୍ଚି ଦେବାପରେ ଶିକ୍ଷକ ଶ୍ରୀ ମିଶ୍ରଙ୍କୁ ଛାଡିଥିଲେ ଅପହରଣକାରୀ।

ଘଟଣା ସମ୍ପର୍କରେ ତିର୍ତ୍ତୋଲ ଥାନାରେ ଅଭିଯୋଗ ହେବାପରେ ପୋଲିସ ଏକ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଅଭିଯୁକ୍ତମାନଙ୍କ ଠାରୁ ୫୦ ହଜ଼ାର ଟଙ୍କା ଏବଂ ଅପହରଣ ସମୟରେ ବ୍ୟବହାର ହୋଇଥିବା ଗାଡିକୁ ଜବତ କରାଯାଇଛି।

You might also like