ଆଗକୁ ରାଜନୀତି କରିବେ କି ଜଗତ୍‌ସିଂହପୁରର ଜିଲ୍ଲାପାଳ?

ରାଜନୀତି କରିବେ ଜିଲ୍ଲାପାଳ?

  • ଆଗକୁ ରାଜନୀତିରେ ଯୋଗ ଦେବେ କି ଜଗତ୍ସିଂହପୁର ଜିଲ୍ଲାପାଳ
  • ତିର୍ତ୍ତୋଲ ଉପନିର୍ବାଚନ ବେଳେ ବଦଳି ପ୍ରସଙ୍ଗ ଉଠାଇ ସଭାରେ ବର୍ଷଣ
  • କହିଲେ, ନିର୍ବାଚନ ପୂର୍ବରୁ ଫୋନ୍ କରି ଜିଲ୍ଲାର ଆବଶ୍ୟକତା ପଚାରିଥିଲେ ମୁଖ୍ୟମନ୍ତ୍ରୀ
  • ଭିଡିଓ ଭାଇରାଲ୍ ପରେ ତୀବ୍ର ରାଜନୈତକ ପ୍ରତିକ୍ରିୟା

ଜଗତସିଂହପୁର: ଆଗକୁ ପ୍ରତ୍ୟେକ୍ଷ ରାଜନୀତିକୁ ଓହ୍ଲେଇବେ କି ଜଗତ୍ସିଂହପୁର ଜିଲ୍ଲାପାଳ? ପାରାଦୀପ ଉପକଣ୍ଠ ଗଡ଼ କୁଜଙ୍ଗରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଦେଇଥିବା ଭାଷଣକୁ ନେଇ ଏବେ ଜିଲ୍ଲାରେ ଏମିତି ଚର୍ଚ୍ଚା ଜୋରଧରିଛି। ଖାଲି ଚର୍ଚ୍ଚା ନୁହେଁ ଭିଡିଓ ଭାଇରାଲ୍ ହେବା ପରେ ତାକୁ ନେଇ ଜୋରଦାର ରାଜନୈତିକ ପ୍ରତିକ୍ରିୟା ବି ଦେଖିବାକୁ ମିଳିଛି।

ରାଜନୈତିକ ସଭା ନୁହେଁ, କିମ୍ବା ବକ୍ତା ରାଜନୈତିକ ବ୍ୟକ୍ତି ବି ନୁହଁନ୍ତି କିନ୍ତୁ ତାଙ୍କ ଭାଷଣକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା। ଗଡ଼ କୁଜଙ୍ଗରେ ଏକ ପାନୀୟ ଜଳ ଶୀତଳିକରଣ ପ୍ରକଳ୍ପ ଉଦଘାଟନ ଅବସରରେ ଜଗତ୍ସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଭାଇରାଲ୍ ହେଉଥିବା  ଭାଷଣକୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା। ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଖାଲି ତାଙ୍କୁ ଫୋନ୍ କରିବା କଥା କହିଥିଲେ ତାହା ନୁହେଁ, ନେତା ମନ୍ତ୍ରୀମାନେ ଭୋଟ୍ ପାଇ ନିର୍ବାଚିତ ହେବା ପରେ ଭୁବନେଶ୍ୱରରେ ରହୁଥିବା ବେଳେ ସେ ଲୋକଙ୍କ ସାଙ୍ଗରେ ରହୁଛନ୍ତି ଏବଂ ଅଞ୍ଚଳର ବିକାଶ କରୁଛନ୍ତି ବୋଲି କହିବାକୁ ବି ପଛାଇ ନାହାନ୍ତି ଜିଲ୍ଲାପାଳ।

ଏପରିକି ରାଜନୈତିକ ନେତା ଭଳି ରାମାୟଣର କଥାବସ୍ତୁର ଉଦାହରଣ ଦେଇ ତାଙ୍କ ବିରୋଧୀଙ୍କୁ ସାଧାରଣ ବାନର ବୋଲି ତୁଳନା କରିବାକୁ ବି ପଛାଇ ନାହାନ୍ତି। ହେଲେ ଏକ ସାଧାରଣ ସଭାରେ ଜିଲ୍ଲାର ଜଣେ ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀଙ୍କର କେଉଁମାନଙ୍କୁ ଏ ଟାର୍ଗେଟ୍ କରିଛନ୍ତି? ଜିଲ୍ଲାପାଳଙ୍କର ଜିଲ୍ଲାରେ କେଉଁମାନେ ବିରୋଧୀ ? ସେମାନଙ୍କ ପ୍ରତି ଏ ଶବ୍ଦ ପ୍ରୟୋଗ ପଛର ଉଦ୍ଦେଶ୍ୟ କଣ ? ଭାଷଣର  ଭିଡିଓ ଭାଇରାଲ୍ ହେବା ପରେ ସାରା ଜିଲ୍ଲାରେ ଖାଲି ସାଧାରଣ ଲୋକ ନୁହନ୍ତି, ରାଜନେତାଙ୍କ ଭିତରେ ବି ଏଭଳି ପ୍ରଶ୍ନ ଉଠିଛି। ଏପରିକି ପାରାଦୀପ ବିଜେଡି ବିଧାୟକ ସମ୍ବିତ ରାଉତରାୟ ବି ଜିଲ୍ଲାପାଳଙ୍କ ଏଭଳି ମନ୍ତବ୍ୟର କଡ଼ା କାଉଣ୍ଟର କରିଛନ୍ତି।

ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିଜ ଘର ଜଗତ୍ସିଂହପୁର ଜିଲ୍ଲାରେ। ତେଣୁ ଗତ ତିର୍ତ୍ତୋଲ ଉପନିର୍ବାଚନ ବେଳେ ସରକାରୀ ଦଳ ସପକ୍ଷରେ ଭୋଟରଙ୍କୁ ପ୍ରଭାବିତ କରିବାର ଆଶଙ୍କାକୁ ନେଇ କଂଗ୍ରେସ ଓ ବିଜେପିର ଅଭିଯୋଗ ପରେ ତାଙ୍କୁ ଜିଲ୍ଲା ଦାୟିତ୍ୱରୁ ହଟାଇ ଦିଆଯାଇଥିଲା। ଏହାପରେ ନିର୍ବାଚନ ସରିବା କ୍ଷଣି ଗତ ଜାନୁଆରୀ ମାସରେ ପୁଣି ତାଙ୍କୁ ଜଗତ୍ସିଂହପୁର ଜିଲ୍ଲାପାଳ ଭାବେ ପୁନଃ ନିଯୁକ୍ତି ଦେଇଥିଲେ ସରକାର। ହେଲେ ଏସବୁର ଚର୍ଚ୍ଚା ଥମିନଥିଲାବେଳେ ରାଜନେତାଙ୍କ ଭଳି ଜିଲ୍ଲାପାଳଙ୍କ ଏ ଭାଷଣକୁ ସହଜରେ ହଜମ କରି ପାରିନାହାନ୍ତି ସ୍ଥାନୀୟ ବିଜେପି ଓ କଂଗ୍ରେସ ନେତା।

ପାନୀୟ ଜଳ ପ୍ରକଳ୍ପର ଉଦଘାଟନୀ ସଭାରେ ଜିଲ୍ଲାପାଳଙ୍କ ଭାଷଣରୁ ଜିଲ୍ଲାପାଳ ଆଗକୁ ଜିଲ୍ଲାର ପ୍ରତ୍ୟେକ୍ଷ ରାଜନୀତିକୁ ଓହ୍ଲାଉ ନାହାନ୍ତି ତ ବୋଲି ଚର୍ଚ୍ଚା ଜୋର୍ ଧରିଛି। ତେବେ ବର୍ତ୍ତମାନ ସମୟରେ କୌଣସି ସୂଚନା ମିଳିନାହିଁ।

ପାରାଦୀପରୁ ରମାକାନ୍ତ ନାୟକ ଓ ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ

You might also like