ତୋ ବିନା କିଏ ଚିହ୍ନି ପାରେ ଭୋକିଲା ପେଟର ବ୍ୟଥା…

ପକେଟ୍‌ରେ ୨ଶ ଟଙ୍କା। ବିନା ଟିକେଟରେ କେ.ପି(ଖୋର୍ଦ୍ଧାରୋଡରୁ ପୁରୀ ଯାଉଥିବା ପାସେଞ୍ଜର ଟ୍ରେନ୍‌)ରେ ଖୋର୍ଦ୍ଧା ରୋଡ୍‌ରୁ ପୁରୀ। ଖରା ଜୋର୍‌ ଥାଏ। ତଥାପି ଜଗା ଦର୍ଶନର ଆଶା ମନକୁ ଆଚ୍ଛାଦିତ କରି ରଖିଥାଏ ମେଘ ଭଳି। କିଛି କ୍ଷଣର ବିରାମ ପରେ ମୁଁ ମହାପ୍ରଭୁଙ୍କୁ ଦର୍ଶନ କରିବି, ମନର ଶୋଷ ମେଣ୍ଟିଯିବ। ଓଃ….

ମୁଁ ସେତେବେଳକୁ ପ୍ଲସ୍‌ ୨ ପଢୁଥାଏ। ରେଲୱେ ସ୍କୁଲରେ ପାଠ ପଢୁଥିବାରୁ ମୋ ଆଇକାର୍ଡକୁ ମୁଁ ଟ୍ରେନ୍‌ ପାସ୍‌ ବୋଲି ଭାବି ନେଇଥାଏ। ଆଉ ତା’ ବଳରେ ମୁଁ ବାରମ୍ବାର ବିନା ଟିକଟରେ ଜଣେ ଉତ୍‌ଶୃଙ୍ଖଳ ନାଗରିକ ଭଳି ପୁରୀ ଯାଏ। ମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କରେ ଆଉ ତୃପ୍ତ ମନରେ ଅନେକ ପ୍ରଶ୍ନର ସମ୍ୟକ ଉତ୍ତର ପାଇ ଫରିଆସେ। ଜଗନ୍ନାଥଙ୍କୁ ଜାଣିବାର ପ୍ରବଳ ଜିଜ୍ଞାସା ମୋତେ ବାରମ୍ବାର ଟାଣିନିଏ ଶ୍ରୀମନ୍ଦିର।

ସେଦିନ ଅତିବେଶୀରେ ଘଣ୍ଟାକରେ ମୁଁ ପୁରୀରେ ପହଞ୍ଚିଗଲି। ଟିକେଟ ନ ଥିବାରୁ ଠଉରେଇଥିବା ଚୋରା ବାଟରେ ଷ୍ଟେଶନ୍‌ ଡେଇଁ ଦେଉଳ ମୁହାଁ ହେଲି। ଖରାରେ ଦେହ ପୋଡି ଯାଉଥାଏ, କିନ୍ତୁ ମନ ଚକାଆଖିରେ।

ମୁଁ କୌଣସି ଭକ୍ତ ନୁହେଁ କି ପ୍ରଚଣ୍ଡ ଧାର୍ମିକ ହେବାର କୌଣସି କଳା ବି ମୋ ପାଖରେ ନାହିଁ। କିନ୍ତୁ ଜଗନ୍ନାଥଙ୍କୁ ମୁଁ ଐକାନ୍ତିକ ଭାବେ ଭଲପାଏ, ଏ କଥା ନିରାଟ ସତ। କେହି ବିଶ୍ୱାସ କରୁ ବା ନ କରୁ।

କ୍ରମେ କ୍ରମେ ପାଖେଇ ଆସୁଥିଲା ଶ୍ରୀମନ୍ଦିର। ମାର୍କେଟ ଛକ ପାଖରେ ପହଞ୍ଚିଲା ବେଳକୁ ଦେହ ଫୋଟକା ହୋଇଯାଉଥାଏ। ତଥାପି ଖରାକୁ ଖାତିର ନ କରି ଚାପ ଲାଗି ବଡ଼ ଦାଣ୍ଡରେ ବନ୍ଧା ଛାମୁଣ୍ଡିଆର ଛାଇ ମୁଣ୍ଡେଇ ଚାଲିଲି ଆଗକୁ। ଦେଉଳରେ ପହଞ୍ଚିଲା ବେଳକୁ ଦର୍ଶନ ବନ୍ଦ।

ଚାଲିଛି ଆଲଟ ଲାଗି। ଏହି ସେବାରେ କେହି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ। ଅନ୍ଧାର ଘରେ ବିଞ୍ଚା ଖାଉଥାନ୍ତି କାଳିଆ ଠାକୁର। ସ୍ୱଳ୍ପ ନିରାଶ ମନରେ ବେଢା ପରିକ୍ରମା କରିବାକୁ ବାହାରିଲି । ବୁଲୁ ବୁଲୁ ଦକ୍ଷିଣି ଘରେ(ଯେଉଁଠାରେ ଠାକୁରଙ୍କ ଚଳନ୍ତି ପ୍ରତିମାମାନ ରୁହନ୍ତି) ପହଞ୍ଚିଲି। ଦୋଳଗୋବିନ୍ଦ, ରାମକୃଷ୍ଣ, ରାମ, ଲକ୍ଷ୍ମଣ, ସୀତା, ହନୁମାନ, ବାଳକୃଷ୍ଣ ଆଦି ଠାକୁରଙ୍କ ପ୍ରତିମା ସହ ଝଟକୁଥାନ୍ତି ଜଗନ୍ନାଥଙ୍କ ପ୍ରମୁଖ ଚଳନ୍ତି ପ୍ରତିମା ମଦନ ମୋହନ। ବାସ୍ତବରେ ଏହି ନାମଟି ତାଙ୍କୁ ହିଁ ପ୍ରଯୁର୍ଯ୍ୟ। ମଦନକୁ ମୋହିତ କରୁଥିବା ଏ ଠାକୁରଙ୍କ ଚାହାଣୀରେ ମୁଁ ବନ୍ଧା ପଡିଗଲି ସେଦିନ। ଭାବିଲି ଏ ଠାକୁର ମୋ ସହ ଚାଲି ଆସନ୍ତେକି। ତା’ ପରେ ମନେ ମନେ ହସିଲି। ମୁଣ୍ଡିଆଟାଏ ମାରି ବାହାରକୁ ଚାଲି ଆସିଲି।

ପଚାରି ବୁଝିଲି ନୀତି ଡେରିରେ ଚାଲିଛି । ତେଣୁ ଚନ୍ଦନ ଲାଗି ବେଳେ ଦେଉଳରେ ପହଞ୍ଚିବି ଭାବି ବଡ଼ଦାଣ୍ଡକୁ ବାହାରିଲି। ବୁଲୁବୁଲୁ ରଥଖଳା ପାଖ ଗୋଟିଏ ପିତ୍ତଳ ଦୋକାନରେ ପହଞ୍ଚି କୃଷ୍ଣ ମୁର୍ତ୍ତିଟିଏ ଦେଖିଲି। ଠିକ୍‌ ଦକ୍ଷିଣିଘରେ ଦେଖିଥିବା ମଦନ ମୋହନଙ୍କ ଭଳି। ବଡ଼ ନ ହେଲେ ବି ମୋ ପାଇଁ ସେଇ ପ୍ରତିମା ଠିକ୍‌ ବୋଲି ଭାବି ମୂଲଚାଲ ଆରମ୍ଭ କଲି।

“ଭାଇ ଗୋଟିକିଆ କୃଷ୍ଣ ମୂର୍ତ୍ତି ଅଛନ୍ତି କି ?”

ଦୋକାନୀ ଜଣକ ପ୍ରଥମେ ମନାକଲେ ।

“ଗୋଟିକିଆ କୃଷ୍ଣ ମିଳିବେନି, ରାଧାକୃଷ୍ଣ ଯୋଡା ନେବାକୁ ପଡିବ। ଆଉ ଏଇ ହଳକ ଆପଣଙ୍କୁ ୬୦୦ଟଙ୍କା ପଡିବ।”

ମୋ ପକେଟରେ ୨ଶ ଟଙ୍କା ଅଛି। ହେଲେ ମୂର୍ତ୍ତି କିଣିବାକୁ ପ୍ରବଳ ମନ। ଏତିକି ବେଳେ ଆଉ ଜଣେ କେହି ସେହି ଦୋକାନ ଭିତରୁ କହିଲେ-

“ଅଛି… ଅଛି, ଗୋଟିକିଆ ମୂର୍ତ୍ତି ଅଛି। ଜଣଙ୍କ ଘରେ ରାଧା ବିଗ୍ରହ ଦରକାର ପଡିଲେ ବୋଲି ସେ ରାଧା ମୂର୍ତ୍ତି ଅଧିକ ଦାମ୍‌ ଦେଇ ନେଇ ଯାଇଛନ୍ତି। ଗୋଟିକିଆ କୃଷ୍ଣ ଅଛନ୍ତି। ଯଦି ପୁଅ ତମେ ନବ ତା’ ହେଲେ ଦେଖଉଛି।”

ମୂର୍ତ୍ତି ହାତରେ ଧରି ସେ ମୋ ଆଗରେ ଉଭାହେଲେ। ପ୍ରଚଣ୍ଡ ଖୁସିରେ ଉଲୁସି ଉଠିଲି। କି ସୁନ୍ଦର ମୂର୍ତ୍ତି !  କି  କମନୀୟ ରୂପ ! ହେଲେ ଦାମ୍‌ ଯଦି ମୋ ପକେଟ୍‌ ତୁଳନାରେ ନ ହେଲା ମୋତେ ନିରାଶ ହେବାକୁ ପଡିବ, ଏ କଥା ନିଶ୍ଚିତ।

ପଚାରିଲି, “ଭାଇ କେତେ ପଡିବ ?’

୩ଶ’ , ଉତ୍ତର ଦେଲେ ସେ।

“ଗୋଟିକିଆ ମୂର୍ତ୍ତି ବାହାରେ ମିଳୁନି ନେବ ଯଦି ଏଇ ଦାମ୍‌ରେ ନେବାକୁ ପଡିବ।”

ମନ ଉଣା ହୋଇଗଲା ମୋର। ସତରେ କ’ଣ ମହାପ୍ରଭୁଙ୍କ ଏ ପ୍ରତିମାଟି ମୁଁ ଘରକୁ ନେଇ ପାରିବିନି। ମନ ଭାଙ୍ଗିଗଲା। ମୂର୍ତ୍ତିଟି ଥୋଇ ଲେଉଟି ଆସିବା ବେଳକୁ ଭାଇ ଜଣକ ପଛରୁ ଡାକିଲେ।

“ତା’ ହେଲେ କେତେ ଦବ କୁହ ?”

ମୋ ପାଟିରୁ ବାହାରି ପଡିଲା ୨ଶ’।

ସର୍ବମୋଟ ପକେଟରେ ସେଇତକ ହିଁ ଥିଲା।   ତଥାପି ୨ଶ’ ଧରେଇ ମହାପ୍ରଭୁଙ୍କୁ ହୃଦୟରେ ବାନ୍ଧିଲି। କି ଖୁସି ମୁଁ ଜାଣିନି। କିନ୍ତୁ କୋଟିନିଧି ପାଇଲା ଭଳି ଲାଗିଲା। ବାରମ୍ବାର ହାତରେ ଧରି ସେ ମୂର୍ତ୍ତିଙ୍କୁ ମୁଁ ଦେଖୁଥାଏ।

ଦେଉଳ ମୁହାଁହେଲି। ନାଭିକଟା ମଣ୍ଡପ ପାଖରେ ବସି ମୂର୍ତ୍ତିଟିକୁ ନିରେଖୁଥାଏ। ପେଟ କଁ କଁ ଡାକିଲାଣି।   ଘରକୁ ନ ଫେରିଲା ଯାଏଁ ଆହାର ପଡିବାର ସମ୍ଭାବନା ବି ନାହିଁ। ଭୋକକୁ ଭାବର ତୃପ୍ତିରେ ଢାଙ୍କିବାକୁ ଚେଷ୍ଟା କରୁଥିବା ବେଳେ ଜଣେ ଡେଙ୍ଗା ମଣିଷଙ୍କ ହାବୁଡରେ ପଡିଲି। ଗୋରାତକତକ ଚେହେରା। ହଳଦିଆ ଲୁଗାଟାଏ ପିନ୍ଧି ମୋ ଆଗରେ ଉଭା। ଆଜି ସୁଦ୍ଧା ତାଙ୍କ ଚେହେରା ମୋର ମନେ ଅଛି। ହାତରେ ଧରିଥିଲେ ଗୋଟିଏ କଦଳୀ, ଲଡୁଟିଏ ଆଉ ସାନ ଓଳିରେ ଓଳିଏ ଖିର। ଥଙ୍ଗେଇ ଥଙ୍ଗେଇ କହୁଥିଲେ-

“ଧ ଧ…, ମହାପ୍ରଭୁଙ୍କ ପ୍ରସାଦ ଇଏ, ନେ ପାଇଦେ”

ମୁଁ ଅମଙ୍ଗ ହେଲି। ହଇଓ, ଜଣା ନାହିଁ ଶୁଣା ନାହିଁ, ତମ ହାତରୁ ମୁଁ କାଇଁ ୟାକୁ ଖାଇବି। ଏଇ କଥା ଭାବି ହସି ଦେଇ ତାଙ୍କ କଥାକୁ ଏଡାଇ ଯିବି ବୋଲି ଭାବିଲା ବେଳକୁ ସେ ପୁଣି ଥମ ଥମ କଣ୍ଠରେ କହିଲେ…

“ଆରେ ଦିଅଁକୁ ଡାକୁଛୁ, ତା ଦିଆ ଭୋଗକୁ ମନା କରୁଛୁ। ଆରେ ତୁ ଖିର ପିଇବୁନି ମୁଁ ଜାଣିଛି। ହେଲେ ଏ କଦଳୀ ଆଉ ଲଡୁଟା ନେଇଯା ପେଟ ପୂରିଯିବ।”

ମୁଁ ଆଶ୍ଚର୍ଯ୍ୟ ହେଲି। ମୁଁ କ୍ଷୀର ପିଏନା ଏ କଥା ସେ କେମିତି ଜାଣିଲେ?

ମହାପ୍ରଭୁଙ୍କ ନାଁରେ ଯାହା ଦେବ ତା ଖାଇଦେବି ସମ୍ଭବତଃ ଏ କଥା ସେ ଠଉରେଇ ସାରିଥିଲେ। ପେଟର ଭୋକ ଅଜଣା ହାତରୁ ଲଡୁ, କଦଳୀ ନେବାକୁ ଆଉ ଅଟକାଇ ପାରିଲାନି। କଦଳୀ ଆଉ ଲଡୁଟା ନେଇ ଖପ୍‌ କିନା ପାଟିରେ ପୂରେଇ ଦେଲି। ସେ ହସିଲେ। କାଇଁ କେଜାଣି। ଠାର ଦେଇ ଦେଉଳ ଭିତରକୁ ପଶିଗଲେ ହଠାତ୍‌ କିନା।

ସେ କିଏ ବୋଲି ଜାଣିବାକୁ ଟିକେ ଆଗକୁ ଗଲି। ଜଣେ ମନ୍ଦିର ପୁଲିସ୍‌ଙ୍କୁ ପଚାରିଲି, ‘ସେ ଭାଇନା କୁଆଡେ ଗଲେ, କ’ଣ ଆଲଟ ଲାଗି ସରିଗଲା କି ? ଠାକୁର ଦର୍ଶନ ଆରମ୍ଭ ହେଲାଣି ?”

ଏମିତି ଗୁଡାଏ ପ୍ରଶ୍ନ ଶୁଣି ବିରକ୍ତି ଭାବରେ ସେ ଉତ୍ତର ଦେଲେ କୋଉ ଭାଇନା ? ଭାଇନା…ଫାଇନା… ଏଠି କେହି ନାହାନ୍ତି। ନୀତି ହଉଛି ପରା, ଭିତରକୁ ପଶିବ କିଏ ହୋ ?”

ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସତରେ କ’ଣ ଦେଉଳ ଭିତରକୁ ଯାଇ ନାହାନ୍ତି ସେ?  ତାହେଲେ କୁଆଡେ ଗଲେ?  କିଏ ଥିଲେ ସେ ?

ମୋ ଭୋକ ମେଣ୍ଟାଇ ଚାଲିଗଲେ ଯେ !

ମୋ ପ୍ରଶ୍ନରେ ମୁଁ ଛନ୍ଦି ହୋଇ ସ୍ଥିର ହୋଇଗଲି।

ୟା ଭିତରେ ଦୀର୍ଘ ବର୍ଷ ବିତିଗଲାଣି। ରାଧା ବିହିନ ମୂତ୍ତି ଘରେ ପୂଜା ହୁଅନ୍ତିନି ବୋଲି ଆଜି ଯାଏଁ ସେ ମୋ ସହ କେବଳ ବୁଲୁଥିଲେ। ଜଟଣୀରୁ ଭୁବନେଶ୍ୱର ଗଲେ,  ପୁଣି ଭୁବନେଶ୍ୱରୁ ଜଟଣୀ ବାହୁଡିଲେ। ହେଲେ ଏବେ  ଆମ ଠାକୁର ଘରେ ସେ ନିଜ ସ୍ଥିତି ପକ୍କା କରି ସାରିଛନ୍ତି। ରାଧାକୃଷ୍ଣଙ୍କ ବଡ଼ ପ୍ରତିମା ତଳେ ସେ ଏବେ ପୂଜା ହେଉଛନ୍ତି।

ବେଳେ ବେଳେ ଭାବେ ତାଙ୍କୁ ‘ଖିର କଦଳୀ ଖୁଆ’  ଆଉ ‘ଲଡୁ ଖୁଆ ଦିଅଁ’ ବୋଲି ଡାକନ୍ତି। ହେଲେ ଲାଜ ମାଡ଼େ। ଯିଏ ଶୁଣିବ ସିଏ ହସିବ। ମନେ ମନେ କହିଦିଏ। ହେଲେ ସେ ବି ବୁଝିଦିଅନ୍ତି। ତାଙ୍କ ଆଖିରେ ଆଖି ମିଶିଲେ ଲୁହ ନିଗିଡି ପଡ଼ା, ସବୁ ଭାବ ପାଣି ଫାଟିଯାଏ। ଦିଅଁ ଘରକୁ ଆଉ କିଏ ପଶିଲା ବେଳକୁ ତାଙ୍କ ସହ ମୋ କଥାବାର୍ତ୍ତା ସରିଥାଏ..।

ହେଲେ ସେ କେବେ କୁହନ୍ତିନି, କିଏ ସେଦିନ ମତେ ଲଡୁ, କଦଳୀ ଖୁଆଇଥିଲା । ମୁଁ ପୁଣି ସେଇ ପୁରୁଣା ପ୍ରଶ୍ନରେ ଛନ୍ଦି ହୁଏ। ସେ ନିରୁତ୍ତର ରୁହନ୍ତି ମୌନ୍‌ ପ୍ରତିମାଟିଏ ଭଳି।

You might also like