୧୦ ବର୍ଷ କଟିଗଲା ହ୍ୱିଲ ଚେୟାରରେ..ଏବେ ଜଗା ଚାହିଁଲେ ଚାଲିବି..

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କରିବେ। ଶ୍ରୀଜିଉଙ୍କୁ ନିଜ ମନର କଥା କହିବେ। ଦୁଃଖ ଜଣାଇବେ। ସେଥିପାଇଁ ଦିଲ୍ଲୀରୁ ଧାଇଁ ଆସିଛନ୍ତି ଦମ୍ପତ୍ତି।  ୨୫ତମ ବିବାହ ବାର୍ଷିକୀ ଅବସରରେ ଦିଲ୍ଲୀରୁ ପୁରୀ ଆସିଛନ୍ତି ପବନ ଓ ତାଙ୍କ ପତ୍ନୀ। ମନରେ ଅନେକ ଆଶା।  ମହାପ୍ରଭୁଙ୍କ ଅନେକ ଅଲୌକିକ କାହାଣୀ ଶୁଣିଛନ୍ତି। କାଳେ ତାଙ୍କୁ ବି ଠାକୁର ଦୟ କରିବେ !

ବିନା କୋଭିଡ କଟକଣାରେ ଜଗା ଦର୍ଶନ ମିଳୁଛି। ଏହା ଶୁଣିବା ପରେ  ପବନ ତାଙ୍କ ପତ୍ନୀଙ୍କୁ ହ୍ୱିଲ୍ ଚେୟାରରେ ନେଇ ପୁରୀ ଆସିଥିଲେ।  ମହାପ୍ରଭୁଙ୍କୁ ଗୁହାରି କରିଥିଲେ, ଏଥର ହ୍ବିଲ୍ ଚେୟାରରେ ଆସିଛନ୍ତି । କିନ୍ତୁ ଯଦି ସେ କୃପା କରିବେ ତେବେ ଆରଥର ଚାଲି ଚାଲି ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ।

ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ପତ୍ନୀ। ଏହା ପରଠାରୁ ତାଙ୍କର ଅଣ୍ଟାରୁ ଗୋଡ଼ ଯାଏ ଅଚଳ ହୋଇ ଯାଇଛି । ମେରୁଦଣ୍ଡ ଭାଙ୍ଗି ଯିବାରୁ ସେ ଚାଲି ପାରୁ ନାହାନ୍ତି। ଯଦିଓ ଘରକାମ କରିପାରୁଛନ୍ତି, ତେବେ ଚାଲିବା ସମ୍ଭବ ହୋଇ ପାରିନି। ଏମିତି ୧୦ ବର୍ଷ ହ୍ୱିଲ ଚେୟାରରେ କଟିକଲାଣି।  ତଥପା ଜଗା ଦର୍ଶନର ଲୋଭକୁ ସମ୍ବରଣ କରିପାରି ନାହାନ୍ତି ସେ। ପତି-ପତ୍ନୀ ଚାଲି ଆସିଛନ୍ତି।

ଦିଲ୍ଲୀରୁ ଆସି ପୁରୀରେ ସିନା ପହଞ୍ଚିଗଲେ, ହେଲେ ମନ୍ଦିର ଯିବେ କେମିତି ସେଇ ଚିନ୍ତାରେ ଥିଲେ। ମନକଥା ପ୍ରଭୁଙ୍କୁ ଜଣାଇ ଦେଇଥିଲେ-‘ଆସିଛୁ ମାନେ, ନିଶ୍ଚୟ ତୁମକୁ ଦେଖିବୁ।’ ଶେଷରେ କିନ୍ତୁ ସାହାସ ଜୁଟାଇ ପାରି ନ ଥିଲେ। ହ୍ୱିଲ ଚେୟାରରେ ଆଣିବା ପରେ ଠାକୁରଙ୍କ ପାଖକୁ ସ୍ୱାମୀ ତାଙ୍କୁ ଦୁଇ ହାତରେ ଟେକି  ନେଇ ଯାଇଥିଲେ। ଅଧା ପାହାଚ ଚଢିବା ପରେ ବସି ପଡ଼ି ହାତ ଟେକିଦେଲେ। ‘ ପ୍ରଭୁ ତୁମେ ଦର୍ଶନ ଦେବ ଯଦି ଦେଖିବୁ । ନ ହେଲେ ଏଇଠୁ ଫେରିଯିବୁ।’

ମନ କଥା ବୁଝିପାରିଲେ ବ୍ରହ୍ମାଣ ଠାକୁର। ହଠାତ୍‌ ଜଣେ ପଣ୍ଡିତ ଆସିଲେ ଆଉ ଏଇ ଦମ୍ପତିକୁ ନେଇ ଠାକୁରଙ୍କ ଦର୍ଶନ କରାଇ ଦେଇଥିଲେ। ମନ୍ଦିର ଭିତରେ  ମନ ପୂରାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ପତିପତ୍ନୀ।

ନିଜ ଅନୁଭୂତି ବର୍ଣ୍ଣନା କରି ପବନଙ୍କ ପତ୍ନୀ କହିଛନ୍ତି, ଶ୍ରୀଜିଉ ସତେ ଯେପରି ତାଙ୍କୁ ଟାଣି ଆଣିଛନ୍ତି ।  ଖାଲି ଏତିକି ନୁହେଁ, ମନ୍ଦିର ଭିତରେ ହତାଶ ହୋଇ ବସିଥିବାବେଳେ ପଣ୍ଡିତ ତାଙ୍କୁ ନେଇ ମହାପ୍ରଭୁଙ୍କୁ ଦର୍ଶନ କରାଇବା ଘଟଣା ତାଙ୍କୁ ବିହ୍ୱଳ କରିଛି।

ସୂଚନାଥାଉ କି, ଆଜି ଦ୍ୱିତୀୟ ଦିନରେ ଶ୍ରୀମନ୍ଦିରରେ ବିନା କୋଭିଡ୍ କଟକଣାରେ ଦର୍ଶନ କରୁଛନ୍ତି ଭକ୍ତ।

You might also like