ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଗୁପ୍ତତଥ୍ୟ ISIକୁ ଦେବା ପ୍ରସଙ୍ଗ: ଇଶ୍ୱର ବେହେରାଙ୍କୁ ଆଜୀବନ କାରାଦଣ୍ଡ ଦେଲେ ଏଡିଜେ
ଦୋଷୀ ସାବ୍ୟସ୍ତ ହେଲେ ଇଶ୍ୱର
ବାଲେଶ୍ୱର(ରଶ୍ମି ରଂଜନ): ISI ଲିଙ୍କରେ ଗିରଫ ହୋଇଥିବା ଈଶ୍ୱର ବେହେରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଈଶ୍ୱରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ବାଲେଶ୍ୱର ଏଡିଜେ କୋର୍ଟ। ସୂଚନା ଅନୁସାରେ, ଦେଶଦ୍ରୋହ ଅପରାଧରେ ଈଶ୍ୱର ବେହେରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ ଦୋଷୀ ସାବ୍ୟସ୍ତ ହେବା ପରେ, ଈଶ୍ୱରଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ ଏଡିଜେ।
ଏଠାରେ କହିରଖୁଛୁ ଯେ, ୨୦୧୫ ଜାନୁଆରୀ ୨୨ରେ ଗିରଫ ହୋଇଥିଲେ ଈଶ୍ୱର। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଗୁପ୍ତତଥ୍ୟ ISIକୁ ଦେବା ପରି ସାଙ୍ଘାତିକ ଅଭିଯୋଗ ଥିବା ଇଶ୍ୱରଙ୍କ ନାଁରେ।
ତେବେ ଇଶ୍ୱର ବାଲେଶ୍ୱର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟିରେ ଜଣେ ଠିକା ଫଟୋ ଗ୍ରାଫର ଭାବରେ କାମ କରୁଥିଲେ। ୨୦୧୫ ମସିହା ଜାନୁଆରୀ ୨୨ ତାରିଖରେ ତାଙ୍କ ନାଁରେ ଏକ ସଙ୍ଗୀନ ଅଭିଯୋଗ ଆସିଥିଲା। କୁହାଯାଇଥିଲା କି କ୍ଷେପଣାସ୍ତ୍ର ଘାଟିର କିଛି ଫଟୋକୁ ସେ ପାକିସ୍ତାନର ଆଇଏସାଇକୁ ଦେଇଛନ୍ତି। ତେବେ ଏ ସମ୍ପର୍କରେ ମାମଲା ହେବା ପରେ ଆଜି ରାୟ ପ୍ରକାଶ ପାଇଛି। କୋର୍ଟ ଇଶ୍ୱରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ସେପଟେ ଇଶ୍ୱରଙ୍କର ଆଇନଜୀବୀ କହିଛନ୍ତି ଯେ, ସରକାରୀ ଆଇନଜୀବୀ ଇଶ୍ୱରଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଦାବି କରିଥିଲେ କିନ୍ତୁ କୋର୍ଟ ତାକୁ ଗ୍ରହଣ କରିନଥିଲେ ବରଂ ଆଜୀବନ କାରାଦଣ୍ଡ ଦେଲେ ବୋଲି ଆଇନଜୀବୀ କହିଛନ୍ତି। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରୀ ଓକିଲ କିଛି ପ୍ରମାଣ କରିପାରିନାହାନ୍ତି, ଆମେ ହାଇକୋର୍ଟ ଯିବୁ ବୋଲି ଆଇନଜୀବୀ କହିଛନ୍ତି। କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ କୋର୍ଟକୁ ସମସ୍ତ ତଥ୍ୟ ଦେବୁ। ହାଇକୋର୍ଟ ନିଶ୍ଚିତ ଯିବୁ ବୋଲି ଆଇନଜୀବୀ ଜଣକ ନିଜ ପ୍ରତିକ୍ରିୟାରେ କହିଛନ୍ତି।