ନବୀନ ନିବାସ ଯିବା ଆମର ଭୁଲ ହୋଇଗଲା: ପ୍ରଦୀପ୍ତ

ଭୁବନେଶ୍ୱର: ବିଜେପି କହିଛି ଧାନ କିଣା ପ୍ରସଙ୍ଗରେ ନବୀନ ବାବୁ ଆମକୁ ଠକିଛନ୍ତି। ଖାଦ୍ୟ ଯୋଗାଣ ମନ୍ତ୍ରୀ ଆଜି ଗୃହରେ ମନ୍ତବ୍ୟ ଦେବା ପରେ ଏକଥା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଏହାଛଡ଼ା ମନ୍ତ୍ରୀ ପ୍ରତାପ ଜେନା ପାପ ଧୋଇବା ପ୍ରସଙ୍ଗକୁ ନେଇ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା।

ଜଣେ କ୍ୟାବିନେଟ ମନ୍ତ୍ରୀ ଆମକୁ ଏଭଳି ଅପମାନିତ କରିବା ପରେ ଆମେ ନବୀନ ନିବାସ ଭିତରକୁ ଯିବାକୁ ଚାହୁଁନଥିଲୁ, ମାତ୍ର ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଜଣାଇ ଭିତରକୁ ଗଲୁ। ତା ପରେ ବି ନବୀନ ବାବୁ ଆମକୁ ଠକିଛନ୍ତି ବୋଲି କହିବା ସହ ନବୀନ ନିବାସ ଯିବା ଆମର ଭୁଲ ହୋଇଗଲା ବୋଲି କହିଛନ୍ତି ପ୍ରଦୀପ୍ତ।

ଅନ୍ୟପଟେ ଗତକାଲିର ବିଜେପି ଓ ବିଜେଡି ହାଇଡ୍ରାମାକୁ ନେଇ କଟାକ୍ଷ କରିଛି କଂଗ୍ରେସ। ବରଯାତ୍ରୀ ଭଳି ବିଜେପି ନବୀନ ନିବାସ ଆଡ଼େ ଯାଇଥିଲେ। ସେଠାରେ ନବୀନ ତାଙ୍କୁ ପାଛୋଟି ନେଇ ଫୁଲ ଚନ୍ଦନ ଲଗାଇବା ବିଜେଡି-ବିଜେପି ଭାଇ ଭାଇ ପ୍ରମାଣିତ ହେଲା ବୋଲି କଂଗ୍ରେସ କହିଛି। ଏହାଛଡ଼ା ଆଜି ଯୋଗାଣ ମନ୍ତ୍ରୀଙ୍କ ଉତ୍ତର ଉପରେ ଗୃହରେ କହିବାକୁ ସୁଯୋଗ ମିଳିନଥିବାରୁ କଂଗ୍ରେସ ବିଧାୟକ ଦଳ ନେତା ଓ କଂଗ୍ରେସ ସଦସ୍ୟ ଗୃହର ମଧ୍ୟଭାଗରେ ଧାରଣାରେ ବସିଥିଲେ।

ବିରୋଧୀଙ୍କ ହୋହଲ୍ଲା ଯୋଗୁ ବାଚସ୍ପତି ପ୍ରଥମେ ଗୃହକୁ ୧୦ ମିନିଟି ଓ ପରେ ୧୫ ମିନିଟ ପାଇଁ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ। ତେବେ ଶେଷରେ ବାଚସ୍ପତି ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି।

You might also like