ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ନେଇ ସ୍ପଷ୍ଟ କଲେ ସରକାର

ଭୁବନେଶ୍ୱର: ଓଡ଼ିଶାରେ ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି କୋଭିଡ୍ ୧୯ ମୁକାବିଲା ନେଇ ଗଠିତ ରାଜ୍ୟ କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

ସେ କହିଛନ୍ତି, “ଜଣେ ୩୩ ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସଂପୃକ୍ତ ଯୁବକ ଇଟାଲିରେ ଗବେଷଣା କରୁଥିଲେ। ମାର୍ଚ୍ଚ ୬ ତାରିଖରେ ଦିଲ୍ଲୀ ଫେରି ଥିଲେ ଓ ମାର୍ଚ୍ଚ ୧୨ରେ ଭୁବନେଶ୍ୱର ଆସିଥିଲେ। ମାର୍ଚ୍ଚ ୧୩ ତାରିଖରେ ଜଣେ ଘରୋଇ ଡାକ୍ତରଙ୍କୁ ଦେଖାଇଥିଲେ। ଆଉ ମାର୍ଚ୍ଚ ୧୪ରେ ଆଡମିଟ୍ ହୋଇଥିଲେ। ମାର୍ଚ୍ଚ ୧୫ରେ ତାଙ୍କ ରିପୋର୍ଟ ପଜିଟିଭି ଆସିଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଯେଉଁମାନଙ୍କ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ ଖୋଜା ହେଉଛି।”

ଏହାସହ କରୋନା ସମ୍ପର୍କିତ ଖବର ପ୍ରଚାର ଓ ପ୍ରସାର କରିବା ବେଳେ ଗଣମାଧ୍ୟମକୁ ଦାୟିତ୍ୱବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଶ୍ରୀ ବାଗ୍‌ଚୀ କହିଛନ୍ତି, କରୋନା ସଂପର୍କିତ ଖବର ପ୍ରସାରଣ ବେଳେ ଗଣମାଧ୍ୟମ ଆକ୍ରାନ୍ତ, ସନ୍ଦିଗ୍ଧଙ୍କ ନାମ ଓ ପରିଚୟ ଗୋପନ ରଖନ୍ତୁ। ସେମାନଙ୍କ ସଂପର୍କରେ ଜଣାଇଲେ ସେମାନଙ୍କ ପରିବାର ଲୋକେ ବିପଦରେ ପଡ଼ିବେ। ବ୍ରେକିଂ ନ୍ୟୁଜ୍ ପଛରେ ଗୋଡ଼ାଇଲେ ସମାଜ ବ୍ରେକ୍ ହେବାର ଆଶଙ୍କା ରହିଛି।

ସେ ଆହୁରି କହିଛନ୍ତି, ମିଡିଆ ସରକାରଙ୍କ ପାଇଁ ସବୁଠୁ ଶକ୍ତିଶାଳୀ ଯୋଗାଯୋଗ ମାଧ୍ୟମ। ଗଣମାଧ୍ୟମ ଏ ଘଟଣାକୁ ନେଇ ବେଶ୍‌ ସତର୍କତାର ସହିତ ଖବର ପରିବେଷଣ କରୁଛି। ତେବେ ଗଣମାଧ୍ୟମ ପ୍ରତିନିଧିମାନେ ନିଜକୁ ବିପଦସଙ୍କୁଳ ପରିସ୍ଥିତିକୁ ନେଇ ଖବର ପରିବେଷଣ କରନ୍ତୁନି।

ଶ୍ରୀ ବାଗ୍‌ଚୀ କହିଛନ୍ତି, ଗଣମାଧ୍ୟମ ଦାୟିତ୍ୱ ସଂପନ୍ନ ଭାବେ ଖବର ପରିବେଷଣ କରନ୍ତୁ। ଚିକିତ୍ସା ବେଳେ ଭିଡିଓ କ୍ୟାମେରା ନେଇ ଗଲେ ଚିକିତ୍ସା ସେବା ପ୍ରଭାବିତ ହେବ। କିଛି ଡିଜିଟାଲ୍ ମିଡିଆ ଆପାତକାଳୀନ ସମୟରେ ଦାୟିତ୍ୱବାନ ହୁଅନ୍ତୁ। ଏସବୁକୁ ନମାନିଲେ ଆଇନ ଅନୁସାରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ।

ସୂଚନାଯୋଗ୍ୟ, ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିବା ଯୁବକ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

You might also like