ପୁଣି ବିଜେଡିରେ ସମ୍ବିଧାନ ଓ ଶୃଙ୍ଖଳାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ମନ୍ତ୍ରୀ ପଦ ଗଲା ପରେ ନିଜ ପ୍ରତି ହୋଇଥିବା ଅନ୍ୟାୟ ବିଷୟରେ ସୁପ୍ରିମୋଙ୍କୁ ଅବଗତ କରିବାକୁ ଚେଷ୍ଟା କରି ନିରାଶ ହୋଇଥିଲେ ଦାମ। ଚାରି ଚାରି ଥର ଯୋଗାଯୋଗ କରିବି ଭେଟି ପାରିନଥିଲେ ନବୀନଙ୍କୁ।  ଦାମଙ୍କ ଏହି କେଇପଦ କଥା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

ପ୍ରକୃତରେ ଦଳ ବିରୋଧୀଙ୍କ ପାଇଁ କଣ କହୁଛି ବିଜେଡି ସମ୍ବିଧାନ। କାରଣ ଦର୍ଶାଅ ନୋଟିସ ଦେବା, ତଦନ୍ତ କରିବାର ବ୍ୟବସ୍ଥା ଅଛି ନା ନାହିଁ। କେଉଁ ସ୍ଥିତିରେ ବହିଷ୍କାର କରାଯାଇପାରିବ, ତାର କିଛି ନିୟମ ଅଛି ନା ନେତାଙ୍କ ମର୍ଜିରେ ସବୁ କିଛି? ବିଜେଡି ଗଠନ ବେଳେ ସମ୍ବିଧାନ ପ୍ରସ୍ତୁତରେ ସହଯୋଗ କରିଥିବା ନେତା କହୁଛନ୍ତି ଏସବୁ ଥିଲା, କିନ୍ତୁ ୨୦୦୯ ପର ଠାରୁ ସମ୍ବିଧାନକୁ ମାନୁନାହାଁନ୍ତି ସୁପ୍ରିମୋ।

ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ଦଳ ବିରୋଧୀ କାମ ପାଇଁ ନିଲମ୍ବନ ବେଳେ ଲୋକ ଦେଖାଣିଅା ତଦନ୍ତକୁ ନେଇ ଅଭିଯୋଗ ବି ଉଠିଥିଲା। ତେବେ ଦାମଙ୍କ କ୍ଷେତ୍ରରେ ତଦନ୍ତ ବି ହେଲାନି ଦିଲ୍ଲୀରେ ଥାଇ ଡାଇରେକ୍ଟ ଅାକ୍ସନ ପାଇଁ ନିର୍ଦ୍ଦେଶ ଦେଲେ ନବୀନ। ତେବେ ୟା ପୂର୍ବରୁ ବି ଦଳର ସୁପ୍ରିମୋ ହିସାବରେ ନବୀନ ଅନେକ ବିଜୁ ଅନୁଗାମୀଙ୍କୁ  ବଳି ପକାଇଛନ୍ତି। କିଛି ନେତା ନିଜ ଅାଡୁ ବି ଦଳ ସହ ସଂପର୍କ ଛିନ୍ନ କରିଛନ୍ତି। ଦଳ ବିରୋଧୀ ମନ୍ତବ୍ୟ ପାଇଁ ଗତବର୍ଷ ସାଂସଦ ଭର୍ତ୍ତୃହରି ମହତାବଙ୍କୁ କାରଣ ଦର୍ଶାଅ ନୋଟିସ ଦେଇଥିଲେ ନବୀନ। ତେବେ ଉତ୍ତର କଣ ଅାସିଲା ଓ ସୁପ୍ରିମୋ ଏଥିରେ କେତେ ସନ୍ତୁଷ୍ଟ ହେଲେ ତାହା ଅାଉ ପଦାକୁ ଅାସିଲା ନାହିଁ।  ଏବେ କିନ୍ତୁ ଦଳର ମୁଖପାତ୍ର କହୁଛନ୍ତି, ବିଜେଡିରେ ଗଣତନ୍ତ୍ର ଅଛି ନା ନାହିଁ ଏକଥା ଲୋକେ ଓ ଏହାର ସଦସ୍ୟ ଜାଣିଛନ୍ତି।

ବିଜୁଜନତା ଦଳ ଗଠନ ବେଳେ ଏହାର ପ୍ରତିଷ୍ଠାତା ସଦସ୍ୟଙ୍କ ଭିତରୁ ଅଧିକାଂଶ ଏବେ ଦଳ ଭିତରେ ନାହାଁନ୍ତି। ପ୍ରସନ୍ନ ଅାଚାର୍ଯ୍ୟ, ଅନଙ୍ଗ ଉଦୟ ସିଂ ଦେଓଙ୍କ ପରି ହାତଗଣତି କିଛି ନେତାଙ୍କୁ ଛାଡିଦେଲେ ଅଧିକାଂଶ ବିଜୁ ସହଯୋଗୀ ଦଳ ବାହାରେ। ଯେଉଁମାନେ ଅାଗାମୀ ଦିନରେ ନବୀନଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

You might also like