ଭୁବନେଶ୍ୱର: କରୋନା ସମ୍ପର୍କିତ ବିଭ୍ରାନ୍ତିକର ଖବର ପ୍ରସାରଣର ମିଥ୍ୟା ଅଭିଯୋଗ ଆଣି ଗଣମାଧ୍ୟମର କଣ୍ଠରୋଧ ପ୍ରୟାସ। ଯେଉଁ ସମୟରେ କରୋନା ସଂକ୍ରମଣ କିପରି ଅଧିକ ନ ବ୍ୟାପିବ ତା’ଉପରେ ଫୋକସ୍ ରଖିବା ଜରୁରୀ, ସେଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ସମସ୍ୟା ସାମ୍ନାକୁ ଆଣୁଥିବା OTV ଭଳି ଏକ ଦାୟିତ୍ୱ ସମ୍ପନ୍ନ ଗଣମାଧ୍ୟମର ସ୍ୱର ଦବାଇ ଦେବାକୁ ହୀନ ଉଦ୍ୟମ କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଓ କମିଶନରେଟ୍ ପୋଲିସ୍।
ଓଟିଭିର ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମରେ ପ୍ରସାରିତ ଦୁଇଟି ଖବରକୁ ନେଇ ବିଏମ୍ସି ଆପତ୍ତି ଦର୍ଶାଇ ଏକ ପ୍ରେସ୍ ରିଲିଜ୍ ଜାରି କରିଛି। ଏଥିରେ କରୋନା ସମ୍ପର୍କରେ ଓଟିଭି ମିଥ୍ୟା ଓ ବିଭ୍ରାନ୍ତିକର ଖବର ପ୍ରସାର କରୁଥିବା ଅଭିଯୋଗ କରି ସୋ-କଜ୍ ନୋଟିସ ଜାରି କରିବା ସହ ପୋଲିସ୍ କମ୍ପ୍ଲେନ୍ କରିଥିବା ଉଲ୍ଲେଖ କରିଛି।
ଏ ପ୍ରସଙ୍ଗରେ ଓଟିଭି ସ୍ପଷ୍ଟ କରିବାକୁ ଚାହେଁ ଯେ, ଗତ ଅଗଷ୍ଟ ୬ ତାରିଖରେ ଓଟିଭିର ସୋସିଆଲ୍ ମିିଡିଆ ପ୍ଲାଟ୍ଫର୍ମରେ ପୋଷ୍ଟ କରାଯାଇଥିବା ଏକ ଭାଇରାଲ୍ ଅଡିଓରେ, ଜଣେ କରୋନା ରୋଗୀ ନିଜ ବନ୍ଧୁଙ୍କୁ କୋଭିଡ୍ ହସ୍ପିଟାଲ୍ରେ ରହିବା ସମୟର ଅନୁଭୂତି କହୁଛନ୍ତି। ଏହାକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରାଯିବା ବେଳେ ସ୍ପଷ୍ଟ କରାଯାଇଛି ଯେ, ଏହା ଏକ ଭାଇରାଲ୍ ଅଡିଓ। ଏ ସମ୍ପର୍କରେ ରାଜ୍ୟ ସରକାର କିମ୍ବା ଅନ୍ୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ। ପ୍ରତିକ୍ରିୟା ହସ୍ତଗତ ହେଲେ, ଆମେ ଏହାକୁ ତୁରନ୍ତ ପୋଷ୍ଟ କରିବୁ।
ସେହିପରି ବିଏମ୍ସି ପ୍ରେସ୍ ରିଲିଜରେ ଉଲ୍ଲେଖ କରାଯାଇଥିବା ଜୁଲାଇ ୩୦ର ଭାଇରାଲ୍ ଭିଡିଓ ପ୍ରସଙ୍ଗରେ ଆମେ ସ୍ପଷ୍ଟ କରିବାକୁ ଚାହୁଁ ଯେ, ଏହା ଭୁବନେଶ୍ୱର ବିଜେବି ନଗର ସ୍ଥିତ ହରି ନଗର ବସ୍ତିବାସିନ୍ଦାଙ୍କ ପକ୍ଷରୁ ବିଏମ୍ସିର କୋଭିଡ୍ ପରିଚାଳନାକୁ ନେଇ ଗୁରୁତର ଅଭିଯୋଗ ଉପରେ ଆଧାରିତ ଥିଲା। ଏପ୍ରସଙ୍ଗରେ ବିଏମ୍ସିର ପ୍ରତିକ୍ରିୟା ହସ୍ତଗତ ହେଲା ପରେ ଆମେ ତୁରନ୍ତ ତାକୁ ମଧ୍ୟ ଦର୍ଶକଙ୍କ ନିକଟରେ ପହଞ୍ଚାଇଥିଲୁ। ଏହାସତ୍ତ୍ୱେ ଗତକାଲି ବିଏମ୍ସିର ଅଭିଯୋଗ ଆଧାରରେ କମିଶନରେଟ୍ ପୋଲିସ୍ ପକ୍ଷରୁ ରାତି ଅଧିଆ ନୋଟିସ୍ ଦିଆଯାଇ ଖୁବ୍ କମ୍ ସମୟ ମଧ୍ୟରେ ଥାନାରେ ହାଜର ହେବାକୁ କୁହାଯାଇଥିଲା।
ଏଠି ପ୍ରଶ୍ନ ଉଠୁଛି ଅଧା ରାତିରେ ତରବରିଆ ଭାବେ ଓଟିଭି ଅଫିସ୍ରେ ପହଞ୍ଚି ଏଭଳି ନୋଟିସ୍ ଦେବାର କାରଣ କ’ଣ ? ଓଟିଭି ଏକ ୨୪ ଘଣ୍ଟିଆ ନ୍ୟୁଜ୍ ଚ୍ୟାନେଲ୍ ଓ କ୍ରମାଗତ ଖବର ପ୍ରସାରଣ କରୁଥିବା ବେଳେ ୨୪ ଘଣ୍ଟା ବି ସମୟ ନ ଦେଇ ତୁରନ୍ତ ଥାନାରେ ହାଜର ହେବା ପାଇଁ ନୋଟିସ୍ ଦେବା ପଛର ଉଦ୍ଦେଶ୍ୟ କ’ଣ? ଏଭଳି କାର୍ଯ୍ୟାନୁଷ୍ଠାନ ଦ୍ୱାରା ଓଟିଭି ଭଳି ରାଜ୍ୟର ଅଗ୍ରଣୀ ଗଣମାଧ୍ୟମକୁ ଜାଣିଶୁଣି ହଇରାଣ କରାଯାଉ ନାହିଁ କି ?
ଅନ୍ୟପକ୍ଷରେ, ଓଟିଭିକୁ କମିଶନରେଟ୍ ପୋଲିସ୍ର ନୋଟିସ ପ୍ରସଙ୍ଗରେ କ୍ୟାପିଟାଲ୍ ଥାନାରେ ହାଜର ହୋଇ ସମୟ ମାଗିଛନ୍ତି ଓଟିଭି କର୍ତ୍ତୃପକ୍ଷ। ୭ ଦିନ ମଧ୍ୟରେ ଓଟିଭି ପକ୍ଷରୁ ନୋଟିସ୍ର ଉତ୍ତର ରଖା ଯିବାକୁ ଆବେଦନ କରାଯାଇଛି।
ଏଠାରେ ଆମେ ପୁଣିଥରେ ସ୍ପଷ୍ଟ କରିଦେବାକୁ ଚାହୁଁ ଯେ, ଏକ ଦାୟିତ୍ୱବାନ ନ୍ୟୁଜ୍ ଚ୍ୟାନେଲ୍ ଭାବରେ ଓଟିଭି ସବୁବେଳେ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଆସିଛି। ଖବରକୁ ଅତିରଞ୍ଜିତ କରିବା କିମ୍ବା ମିଥ୍ୟା କି ଭୁଲ୍ ଖବର ପ୍ରସାରଣ କରି TRP ବଢ଼ାଇବା କେବେ ଉଦ୍ଦେଶ୍ୟ ନୁହେଁ। ଦୀର୍ଘ ବର୍ଷ ଧରି ଦର୍ଶକୀୟ ଆଦ୍ରୁତି ଏହା ପ୍ରମାଣିତ କରୁଛି। କୋଭିଡ୍ ସମୟରେ ସମସ୍ତ ସରକାରୀ ତଥ୍ୟ ଓ ସୂଚନାକୁ ଲୋକଲୋଚନକୁ ଆଣିବା ସହ ଜନସାଧାରଣଙ୍କ ସମସ୍ୟା ମଧ୍ୟ ବ୍ୟବସ୍ଥା ନିକଟରେ ପହଞ୍ଚାଇବା ଯେକୌଣସି ଗଣମାଧ୍ୟମର କର୍ତ୍ତବ୍ୟ। ଆମେ ଆମ ଦାୟିତ୍ୱ ଏବଂ କର୍ତ୍ତବ୍ୟରୁ କେବେ ହେଲେ ବିଚ୍ୟୁତ ହୋଇନାହୁଁ କିମ୍ବା ହେବୁ ନାହିଁ।