ଟେଷ୍ଟିଂ କମ୍ କରି ପଜିଟିଭ୍ କମ୍ ଦର୍ଶାଇବାକୁ ଚାହୁଁଛନ୍ତି କି ସରକାର ?

ଭବନେଶ୍ୱର: ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲା ବେଳେ କାହିଁକି କମୁଛି କୋଭିଡ୍ ଟେଷ୍ଟିଂ ଏହି ମର୍ମରେ ଆଜି ଦିଲ୍ଲୀ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଭର୍ସନା ପରେ ଓଡ଼ିଶାରେ ମଧ୍ୟ ଟେଷ୍ଟିଂ ସଂଖ୍ୟା ହ୍ରାସକୁ ନେଇ ପ୍ରଶ୍ନ ଉଠିଛି। ଦୈନିକ ୧୫ ହଜାର ଟେଷ୍ଟ ପାଇଁ ମେ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଚଳିତ ମାସ କୌଣସି ଗୋଟିଏ ଦିନ ସଂଖ୍ୟା ୪ ହଜାର ବି ଛୁଇଁନି। ଯାହାକୁ ନେଇ ଉଦ୍‌ବେଗ ସୃଷ୍ଟି ହୋଇଛି।

ଟେଷ୍ଟିଂ କମୁଥିବାରୁ ଦିଲ୍ଲାକୁ ସୁପ୍ରିମୋକର୍ଟ ଭର୍ସନା କରିବା ପରେ ଓଡ଼ିଶାରେ କିଭଳି ଅଛି ଟେଷ୍ଟିଂର ସ୍ଥିତି ? କଣ ଥିଲା ଯୋଜନା, ହୋଇଛି କେତେ? ଆସନ୍ତୁ ଜାଣିବା।

ରାଜ୍ୟ ସରକାରଙ୍କର ଯୋଜନା ଥିଲା ବଢୁଥିବା ସଂକ୍ରମଣକୁ ଦେଖି ଜୁନ୍‌ରେ ପ୍ରତିଦିନ ୧୫ ହଜାର ଲୋକଙ୍କ କରୋନା ଟେଷ୍ଟ ହେବ। ଏପରିକି ଦୈନକ ପରୀକ୍ଷଣ ୧୫ ହଜାରକୁ ବଢ଼ାଇବାକୁ ମେ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମେ ୧୯, ୨୧, ୨୨ ଓ ୨୩ ତାରିଖରେ ସଂଖ୍ୟା ୫ ହଜାର ବି ଡେଇଁଥିଲା। ହେଲେ ଜୁନ୍ ମାସରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଦୈନିକ ଟେଷ୍ଟିଂ ସଂଖ୍ୟା ବଢ଼ିବ କଣ ୪ ହଜାର ବି ଛୁଉଁନି। ବିଗତ ୫ ଦିନର ହିସାବକୁ ଦେଖିଲେ ଜୁନ୍ ୭ରେ ୩ ହଜାର ୩୧୭, ୮ ତାରିଖରେ ୨ ହଜାର ୯୬୯, ୯ରେ ୩ ହଜାର ୨୬, ୧୦ରେ ୩ ହଜାର ୩୩୩, ଆଉ ୧୧ ତାରିଖରେ ମାତ୍ର ୩ ହଜାର ୮୩୩ ଟେଷ୍ଟିଂ କରାଯାଇଛି।

ତେବେ ପ୍ରଶ୍ନ ଉଠୁଛି ଏହା ପଛର କାରଣ କଣ? ରାଜ୍ୟକୁ ଏହା ଭିତରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଆସି ସାରିଥିଲା ବେଳେ ଟେଷ୍ଟିଂ କାହିଁକି କମୁଛି ? ଟେଷ୍ଟିଂ କମ୍ କରି ପଜିଟିଭ୍ କମ୍ ଦର୍ଶାଇବାକୁ ଚାହୁଁଛନ୍ତି କି ସରକାର ? ଏପରିକି କ୍ୱାରେଣ୍ଟିନ୍‌ରେ ଥିବା ଲୋକଙ୍କୁ ବିନା ଟେଷ୍ଟରେ ଘରକୁ ପଠାଯିବାକୁ ନେଇ ବି ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ୭ ଦିନିଆ ସରକାରୀ କ୍ୱାରେଣ୍ଟିନ୍ ପରେ ପ୍ରବାସୀଙ୍କୁ କେଉଁଠି ଲୋକେ ଗାଁରେ ପୂରାଇ ଦେଉ ନାହାନ୍ତି, ତ କିଏ ନିଜ ପରିବାରର ସୁରକ୍ଷା ଦୃଷ୍ଟିରୁ ଘରକୁ ଯିବାକୁ ଡରୁଛନ୍ତି। କ୍ୱାରେଣ୍ଟିନ୍ ସେଣ୍ଟରରୁ ଟେଷ୍ଟ ନେଇ ଦାବି ବି ବଢୁଛି।

ତେବେ ବିଶେଷଜ୍ଞଙ୍କ ମତରେ ଆଇସିଏମ୍ଆର୍‌ର ନୂଆ ଗାଇଡ୍ ଲାଇନ୍ ଅନୁସାରେ ଟେଷ୍ଟିଂ ହେଉଥିବାରୁ ସଂଖ୍ୟା କମୁଛି। ଅଧିକ ସଂଖ୍ୟାରେ ଟେଷ୍ଟ ଓ କଣ୍ଟାକ୍ଟ ଟ୍ରେସିଂ କରୋନା ବିରୋଧୀ ଲଢ଼େଇରେ ବିଜୟର ପ୍ରମୁଖ ଅସ୍ତ୍ର ବୋଲି କୁହାଯାଉଛି। ହେଲେ ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ବେଳେ ଟେଷ୍ଟିଂ କମିବା ଉଦ୍‌ବେଗ ସୃଷ୍ଟି କରିଛି।

You might also like