କରୋନା ସମୟରେ ବୟସ୍କଙ୍କ ପାଖରେ ପହଞ୍ଚିପାରୁଛି କି ସରକାରୀ ସୁବିଧା ?

ଭୁବନେଶ୍ୱର: କରୋନାରେ ଅଧିକମାତ୍ରାରେ ବୟସ୍କଙ୍କ ପ୍ରାଣ ଯାଉଛି। ରାଜ୍ୟରେ ଆଜି ସୁଦ୍ଧା ହୋଇଥିବା ୨୭ କୋଭିଡ୍ ମୃତ୍ୟୁରୁ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ସଂଖ୍ୟା ୧୩ ଅର୍ଥାତ ପ୍ରାୟ ଅଧା ମୃତକ ହେଉଛନ୍ତି ବରିଷ୍ଠ ନାଗରିକ। ବରିଷ୍ଠଙ୍କ ରୋଗ ପ୍ରତିରୋଧ ଶକ୍ତି କମ୍ ସହ ପୂର୍ବରୁ ଶରୀରରେ କିଛି ନା କିଛି ରୋଗ ଥିବାରୁ ସେମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ତା ସହିତ ହାତ ପାଆନ୍ତାରେ ସୁବିଧା ଯୋଗାଇ ଦେବାକୁ ଘୋଷଣା କରୁଛନ୍ତି ସରକାର। ହେଲେ ସହରାଞ୍ଚଳରେ ଏକାକୀ ଏବଂ ନିଃସଙ୍ଗ ଜୀବନ ବିତାଉଥିବା ଏଭଳି ଅସହାୟଙ୍କ ପାଖରେ ସତରେ କଣ ପହଞ୍ଚି ପାରୁଛି ସରକାରଙ୍କ ସେବା ସୁବିଧା?

ରାଉରକେଲା ଛେଣ୍ଡ୍ କଲୋନୀର ଶଶିଭୂଷଣ ପଟ୍ଟନାୟକ ବୟସ ୭୮ ହେବ। ପାଖରେ ପିଲାପିଲି ନାହାନ୍ତି, ୧୦ ବର୍ଷ ତଳୁ ଆରପାରିକୁ ଚାଲିଗଲେଣି ପତ୍ନୀ । ବୟସର ଅପରାହ୍ନରେ ଏବେ ବିତାଉଛନ୍ତି ନିଃସଙ୍ଗ ଜୀବନ। ତାଙ୍କର ଏ ନିସଙ୍ଗତାକୁ ଆହୁରି ନିଷ୍ଠୁର କରିଛି କରୋନା ଲକଡାଉନ୍ ଗାଇଡଲାଇନ୍।  କାରଣ ବୟସ୍କ ବୋଲି ଘରୁ ପଦାକୁ ଗୋଡ଼ କାଢ଼ିବାକୁ ମନା। ଆଉ ଏପଟେ ଦୈନନ୍ଦି ଆବଶ୍ୟକତା ପାଇଁ ପାଖରେ କେହି ନାହାନ୍ତି। ତାଙ୍କ ମତରେ ବରିଷ୍ଠଙ୍କ ହାତ ପାଆନ୍ତାରେ ସବୁ ଅତ୍ୟାବଶ୍ୟକ ସେବା ପହଞ୍ଚାଇବା ନେଇ ପ୍ରଶାସନର ଘୋଷଣା କେବଳ ଧୂଆଁବାଣ।

ବ୍ରହ୍ମପୁର ସହରରେ ରହୁଥିବା ଅନେକ ବରିଷ୍ଠଙ୍କ ମୁହଁରେ ସେହି ସମାନ କଥା। ସରକାର ସେମାନଙ୍କ ପାଇଁ ବ୍ୟସ୍ତ, ବିବ୍ରତ, କିନ୍ତୁ ସେବା ସବୁବେଳେ ଅପହଞ୍ଚ।

କରୋନାର ଭୟାବହତା ବୃଦ୍ଧ ବୃଦ୍ଧାଙ୍କ ପାଇଁ ଅଧିକ ବିପଦଜନକ ଯାହା ରାଜ୍ୟର ମୃତ୍ୟୁହାରକୁ ଦେଖିଲେ ସ୍ପଷ୍ଟ ଅନୁମେୟ। କାରଣ ସରକାରୀ ଭାବେ ଆଜି ସୁଦ୍ଧା ରାଜ୍ୟରେ ମୋଟ ୨୭ ଜଣଙ୍କ କୋଭିଡରେ ମୃତ୍ୟୁ ହୋଇଥିବା ବେଳେ ତା ଭିତରୁ ୧୩ ଜଣଙ୍କ ବୟସ ୬୦ରୁ ଉର୍ଦ୍ଧ୍ୱ। ଏଭଳି ସ୍ଥିତିରେ ବୟସ୍କଙ୍କ ସ୍ୱାସ୍ଥ୍ୟ ଓ ସୁବିଧା ପ୍ରତି ଯଥେଷ୍ଟ ଯତ୍ନବାନ ହେବାର ଆବଶ୍ୟକତା ରହିଛି। ବୟସ ବଢ଼ିଲେ ରୋଗ ପ୍ରତିରୋଧ ଶକ୍ତି କମିବା ଏବଂ କୋମ୍ଅର୍ବିଡିଟି ବା ଏକାଧିକ ରୋଗର ପ୍ରଭାବରୁ ମୃତ୍ୟୁ ଆଶଙ୍କା ଅଧିକ ରହିଛି।

ପୂର୍ବାପେକ୍ଷା ଏବେ ରାଜ୍ୟରେ କୋଭିଡ୍ ସଂକ୍ରମଣର ହାରରେ ଦୃତ ବୃଦ୍ଧି ଘଟିଛି। ଏଭଳି ସମୟରେ ବୟସ୍କଙ୍କ ପ୍ରତି ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି।

You might also like