ଆକାଶ କଇଁଆ…ପାଲଟି ଯିବନି ତ ଅଙ୍ଗନବାଡିର ଚୂନା ମାଛ !

ଭୁବନେଶ୍ୱର: ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ଚୂନା ମାଛ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି  । ଏହାକୁ ଲାଗୁ କରିବାକୁ ସରକାରଙ୍କୁ ଆନ୍ତରିକତାର ସହ କାମ କରିବାକୁ ପଡିବ । ନଚେତ ଏହା କେବଳ ଘୋଷଣା ସର୍ବସ୍ୱ ହୋଇ ରହିଯିବ । ତେବେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ଆଗରେ ଯେଉଁ ଚାଲେଞ୍ଜ ରହିଛି ତାହାକୁ ସାମ୍ନା କରିପାରିବେ ତ ?

ରାଜ୍ୟ ସରକାର ଅଙ୍ଗନବାଡି କେନ୍ଦ୍ରର ୩ ରୁ ୬ ବର୍ଷ ବୟସର ଶିଶୁ, ଗର୍ଭବତୀ, ପ୍ରସୂତୀ ମହିଳା ଏବଂ କିଶୋରୀଙ୍କୁ ଏଣିକି ଚୂନା ମାଛ ମିଳିବ । ମୟୂରଭଞ୍ଜ ଜିଲ୍ଲାରେ ଏହି ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରାଯିବ । ସରକାରୀ ସ୍ତରରେ ଏହି ନିଷ୍ପତ୍ତି ନିଆଯାଇଛି । ଅର୍ଥାତ ଏସଏନପି ବା ସପ୍ଲିମେଣ୍ଟୀରୀ ନ୍ୟୁଟ୍ରିସନ ପ୍ରୋଗ୍ରାମରେ ମାଛକୁ ସାମିଲ କରାଯାଇଛି । ମାଛ ଓ ମାଛରୁ ତିଆରି ଦ୍ରବ୍ୟ ଅଙ୍ଗନବାଡି କେନ୍ଦ୍ରରେ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ମୟୂରଭଞ୍ଜ ଜିଲ୍ଲାର ୫୦ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଯୋଜନା ଅନୁସାରେ ପିଲାଙ୍କୁ ଚୂନା ମାଛ ଦିଆଯିବ ।  ରାଜ୍ୟରେ ଅପପୁଷ୍ଟି ରୋକିବାକୁ ସରକାର ଏହି ଯୋଜନା କରିବାକୁ ଯାଉଛନ୍ତି । ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିଶନ ଶକ୍ତି ୱାର୍ଲଡ ଫିସ୍ ସହିତ ଏକ ଚୁକ୍ତିନାମା କରିଛନ୍ତି । ଆମେରିକାର ଏକ ଏଜେନ୍ସି ଏହି ପାଇଲଟ୍ ପ୍ରୋଜେକ୍ଟକୁ ସହାୟତା ପ୍ରଦାନ କରିବ ।

ଏହି ପ୍ରକଳ୍ପକୁ ସଫଳ କରିବାକୁ ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ଆଇସିଡିଏସ୍ କର୍ମଚାରୀମାନଙ୍କୁ ତାଲିମ୍ ଦିଆଯିବ ବୋଲି ମହିଳା ଓ ଶିଶୁ ବିକାଶ ସଚିବ କହିଛନ୍ତି । ଏହି ନିଷ୍ପତ୍ତି ଅନୁସାରେ କିଶୋରୀ, ଗର୍ଭବତୀ ମହିଳା ଓ ପ୍ରସୂତୀ ମାନଙ୍କୁ ୬ ମାସ ପାଇଁ  ଟେକ ହୋମ୍ ରାସନରେ ମାଛ ବା ମାଛରୁ ଜାତ ଜିନିଷ ଦିଆଯିବ । ମାଛ ଚାଷ ପାଇଁ ସ୍ଥାନୀୟ ଲୋକ ଓ ସ୍ୱୟଂ ସହାୟକ ଗୋଷ୍ଠୀକୁ ଉତ୍ସାହିତ କରାଯିବ । ସରକାରଙ୍କ ଏହି ନିଷ୍ପତ୍ତି ବହୁତ ଭଲ ।

କାରଣ ମାଛରେ ପ୍ରଚୁର ପରିମାଣର ଆଇରନ୍, କ୍ୟାଲସିଅମ୍, ଜିଙ୍କ, ଭିଟାମିନ୍ ଏ ଓ ମିନେରାଲ ରହିଛି । ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ୍ । ଏପରିକି ଗାଁ ଗହଳିରେ ଆଖି ଖରାପ ହେଲେ ଚୂନା ମାଛ ଖାଇବାକୁ ପରାମର୍ଶ ଦିଆଯାଇଥାଏ ।  ବର୍ଷା ଦିନେ ଗାଁରେ ବହୁତ ଚୂନା ମାଛ ମିଳେ । ଅନ୍ୟ ମାସରେ ଚୂନା ମାଛ ପରିମାଣ କମିଯାଏ । ଗାଁ ରେ ଲୋକମାନେ ସାଧାରଣତଃ ମାଛ ପ୍ରିୟ ।

ମୟୂରଭଞ୍ଜରେ ଏହି ପ୍ରକଳ୍ପ ସଫଳ ହେଲେ ସରକାର ଅନ୍ୟ ଜିଲ୍ଲାମାନଙ୍କରେ ଏହାକୁ ଲାଗୁ କରିବେ ।

କିନ୍ତୁ ଏହାର ବାସ୍ତବ ରୂପାୟନ ନେଇ ବହୁ ଚ୍ୟାଲେଞ୍ଜ ରହିଛି । ପ୍ରଥମତଃ ଅଙ୍ଗନବାଡି କେନ୍ଦ୍ରଗୁଡିକରେ ଛୋଟ ଛୋଟ ପିଲାମାନଙ୍କୁ ଚୂନା ମାଛ ଦିଆଯିବ । ସରକାର ଅଙ୍ଗନବାଡି କେନ୍ଦ୍ରରେ ପ୍ରତି ସପ୍ତାହରେ ଦିନେ ବା ଦୁଇ ଚୂନା ମାଛ ଦେଇପାରନ୍ତି । ନିୟମିତ ଭାବେ ଚୂନା ମାଛ ଦିଆଯାଇପାରିବ କି ? କାରଣ ବର୍ଷା ଋତୁକୁ ଛାଡିଦେଲେ ଅନ୍ୟ ଋତୁରେ ଏହି ମାଛ କମ୍ ମିଳେ । ଅଙ୍ଗନବାଡି କେନ୍ଦ୍ରରେ ସକାଳ ବେଳା ପିଲାମାନଙ୍କୁ ଖାଇବାକୁ ଦିଆଯିବ । ଏହି ସମୟରେ ଚୂନା ମାଛ ଆଣି ରୋଷେଇ କରିବା କେତେ ଦୂର ସମ୍ଭବ ?  ଚୂନା ମାଛ ଅଧିକ ସମୟ ରହିଲେ ପଚି ଯିବାର ଆଶଙ୍କା ରହିଛି । ତେଣୁ ମାଛର ଷ୍ଟୋରେଜ ପାଇଁ ଫ୍ରିଜର ଆବଶ୍ୟକତା ପଡିପାରେ ।

ରାଜ୍ୟର ସବୁ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଘର ନାହିଁ । ସବୁ ଅଙ୍ଗନବାଡି କେନ୍ଦ୍ରରେ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ନାହିଁ । ହାଇକୋର୍ଟରେ ଚାଲିଥିବା ଏକ ମାମଲାରେ ସରକାର ଏହା ସ୍ୱୀକାର କରିଥିଲେ । ଏଭଳି ସ୍ଥିତିରେ ଚୂନା ମାଛ ଦିଆଯିବ କେମିତି ? ସବୁଠି ରୋଷେଇ ଘର ମଧ୍ୟ ନାହିଁ ।

ମାଛ ଉତ୍ପାଦନରେ ଓଡିଶା ଅଗ୍ରଗତି  କରିଛି । କିନ୍ତୁ ଏବେ ବି ଆନ୍ଧ୍ରା ମାଛ ଉପରେ ଆମକୁ ନିର୍ଭର କରିବାକୁ  ପଡୁଛି । ଗାଁ ଗହଳିରେ  ସବୁ ମାସରେ ଚୂନା ମାଛ ମିଳି ନପାରେ । ଏଥିପାଇଁ ମାଛ ଇଣ୍ଡ୍ୟୁସ୍ଡ ବ୍ରିଡିଂ କରାଯାଇ ମାଛ ଚାଷ କରାଗଲେ ଅନ୍ୟ ଋତୁରେ ମଧ୍ୟ ଚୂନା ମାଛ ମିଳିପାରେ । କିନ୍ତୁ ୧୨ ମାସ ମିଳିବା ସମ୍ଭବ ହୋଇନପାରେ । ଗାଁ ପୋଖରୀ ଉପରେ ନିର୍ଭର କରାଗଲେ ସବୁବେଳେ ଏହି ମାଛ ମିଳିନପାରେ । ତେଣୁ ମାଛ ଚାଷକୁ ଅଧିକ ବ୍ୟାପକ କରାଯିବା ଉପରେ ବିଶେଷଜ୍ଞମାନେ ମତ ଦେଉଛନ୍ତି ।

 

 

 

। ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ଏନେଇ ଏକ ଭର୍ଚୁଆଲ ବୈଠକ ବସିଥିଲା ।

 

You might also like