• translate
Satyendu Shekher Mishra

ଭୁବନେଶ୍ୱର: ବିଜେଡିରେ କୁହୁଳୁଛି କି ଦଳୀୟ ଅସନ୍ତୋଷ ? କିଛି ନେତା ଦଳରେ ପ୍ରଭାବ ବିସ୍ତାର କରିଥିବା ବେଳେ ଅନ୍ୟମାନେ ନିଜକୁ କୋଣଠେସା ମନେ କରୁନାହାନ୍ତି ତ ? ବିଧାୟକ ସୌମ୍ୟରଞ୍ଜନଙ୍କ ବିଷୋଦଗାର ପରେ ସାଂସଦ ଭର୍ତ୍ତୃହରିଙ୍କ କଟାକ୍ଷ ଏଭଳି ଚର୍ଚ୍ଚାକୁ ବଳ ଦେଇଛି ।

ସୌମ୍ୟଙ୍କ ପରେ ପରେ ଭର୍ତ୍ତୃହରି । ଦଳରେ ଭିନ୍ନମତ କ’ଣ ନେତା ବିରୋଧୀ ? ନିଜ ଆଲେଖ୍ୟ ମାଧ୍ୟମରେ ରାଜ୍ୟ ରାଜନୈତିକ ଦୃଶ୍ୟପଟ୍ଟକୁ ନେଇ ତୀର୍ଯକ ବାଣ ମାରିଛନ୍ତି କଟକ ସାଂସଦ । ଦଳୀୟ ନେତାଙ୍କ ସ୍ୱାର୍ଥ ବିରୋଧୀ, କିନ୍ତୁ ଦେଶ ଓ ରାଜ୍ୟ ସପକ୍ଷରେ ମତବ୍ୟକ୍ତ କରୁଥିବା ନେତାଙ୍କୁ ଦଳ ବିରୋଧୀ ଭାବେ ଚିତ୍ରିତ କରିବାକୁ ଦୁଇ ମିନିଟ୍ ଲାଗୁନାହିଁ । ଯଦି ଜଣେ ସରକାରର ତ୍ରୁଟି ବିଚ୍ୟୁତିକୁ ଗଠନମୂଳକ ଭାବେ ସମାଲୋଚନା କଲା, ତେବେ ଚାକୁ ଦଳ ବିରୋଧୀ କୁହାଯିବ କିପରି ବୋଲି ପଚାରିଛନ୍ତି ଭର୍ତ୍ତୃହରି ।

କିଛି ପଣ୍ଡିତ ଅଫିସର ହିଁ ସରକାରଙ୍କ ନୀତି ନିର୍ଦ୍ଧାରଣ କରି ତାକୁ ଶାସକ ଦଳର ନୀତି ଭାବେ ଲଦି ଦେଉଛନ୍ତି । କୌଣସି ପ୍ରସଙ୍ଗରେ ଭିନ୍ନମତ ପ୍ରକାଶ ପାଇବା ଓ ତା ଉପରେ ଆଲୋଚନା ଲାଗି ସୁଯୋଗ ନାହିଁ । ଏପରି ହେଲେ ତାକୁ ଦଳ ବିରୋଧୀ କୁହାଯାଉଛି । ତେବେ ଏହା ଦଳ ବିରୋଧୀ ନା ନେତାଙ୍କ ସ୍ୱାର୍ଥ ବିରୋଧୀ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଯେଉଁ ରାଜନୈତିକ ଦଳର ବିଚାର ବିମର୍ଷ ବନ୍ଦ ହୋଇଯାଉଛି ବା ସଙ୍କୁଚିତ ହୋଇଯାଉଛି, ସେ ଦଳଠାରୁ ଗଣତାନ୍ତ୍ରିକ ବ୍ୟବହାର ଆଶା କରିବା ବୃଥା ବୋଲି ଲେଖିଛନ୍ତି ଭର୍ତ୍ତୃହରି । କଂଗ୍ରେସ ଓ ବିଜେପି ଏହି ପ୍ରସଙ୍ଗରେ ଭର୍ତ୍ତୃହରିଙ୍କୁ ସମର୍ଥନ କରିଥିବା ବେଳେ ଏହା ବିଜେଡିର ଅର୍ନ୍ତଦ୍ୱନ୍ଦ୍ୱର ପ୍ରତିଫଳନ ବୋଲି ମତ ଦେଇଛନ୍ତି ।

କରୋନା ମୃତ୍ୟୁ ପ୍ରସଙ୍ଗକୁ ନେଇ ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ବିଜେଡିକୁ କାଠଗଡ଼ାରେ ଠିଆ କରିଥିବା ବେଳେ ସାଂସଦ ଭର୍ତ୍ତୃହରିଙ୍କ ଆକ୍ଷେପ ରାଜନୈତିକ ପାଣିପାଗରେ ଉଷ୍ମତା ଆଣିଛି । ନିଜସ୍ୱ ଗଣମାଧ୍ୟମ ଥିବାରୁ ସୌମ୍ୟ ଓ ଭର୍ତ୍ତୃହରି ମତ ରଖିବାକୁ ସକ୍ଷମ ହୋଇଛନ୍ତି । ମାତ୍ର ବିଜେଡି ଭିତରେ ଅସନ୍ତୋଷର ନିଆଁ କୁହୁଳୁଥିବା କହିଛନ୍ତି ରାଜନୈତିକ ବିଶ୍ଳେଷକ ।

ବିଜେଡିର ଦୁଇ ଜଣ ବରିଷ୍ଠ ନେତା ଲେଖା ମାଧ୍ୟମରେ ନିଜ ଅସନ୍ତୋଷ ପ୍ରକାଶ କରିବା ପରେ ଦଳରେ ସବୁ କିଛି ଠିକ୍ ନଥିବା ସ୍ପଷ୍ଟ ଇଙ୍ଗିତ ମିଳୁଛି । ତେବେ ଦଳ ଏହି ଦୁଇ ନେତାଙ୍କ ସମାଲୋଚନାକୁ ସକାରତ୍ମକ ଭାବେ ନେଉଛି ନା ଶୃଙ୍ଖଳାଭଙ୍ଗ ଅଭିଯୋଗରେ ଏମାନଙ୍କ ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ କରୁଛି ଏବେ ତା ଉପରେ ସମସ୍ତଙ୍କ ନଜର ।

Other Stories