ଭାଙ୍ଗ ନା ଗଞ୍ଜେଇ କଣ ଖାଇ କାମ କରୁଛନ୍ତି କର୍ମଚାରୀ? ମରିବା ପରେ ସମ୍ପର୍କୀୟଙ୍କୁ ଫୋନ୍‌ କରି ପଚାରୁଛନ୍ତି ରୋଗୀ କେମିତି ଅଛନ୍ତି?

ରାଜ୍ୟରେ କରୋନା ପରିଚାଳନାଗତ ତ୍ରୁଟିର ମାଳମାଳ ଅଭିଯୋଗ

  • ରାଜ୍ୟରେ କରୋନା ପରିଚାଳନାଗତ ତ୍ରୁଟିର ମାଳମାଳ ଅଭିଯୋଗ
  • ରୋଗୀ ମୃତ୍ୟୁ ପରେ ସ୍ବାସ୍ଥ୍ୟବସ୍ଥା ବୁଝିବାକୁ ସମ୍ପର୍କୀୟଙ୍କୁ ଆସୁଛି କଲ୍
  • ମୃତକଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଭଲମନ୍ଦ ପଚାରୁଛନ୍ତି କଲ ସେଣ୍ଟର କର୍ମଚାରୀ

ଭୁବନେଶ୍ୱର: କରୋନା ରୋଗୀଙ୍କର ମୃତ୍ୟୁ ହୋଇସାରିଥିଲେ ବି ଜୀବିତ ଥିବା ଓ ଚିକିତ୍ସା ଚାଲିଥିବା ନେଇ କୋଭିଡ୍ ହସ୍ପିଟାଲରୁ ସମ୍ପର୍କୀୟଙ୍କ ପାଖକୁ ଆସୁଛି ଫୋନ୍ କଲ। ଆତ୍ମୀୟଙ୍କୁ ହରାଇ ମାନସିକ ଯନ୍ତ୍ରଣା ଭୋଗୁଥିବା ପରିବାର ଲୋକଙ୍କୁ ଫୋନ୍ କରି ମୃତ୍ୟୁ ହୋଇସାରିଥିବା ରୋଗୀର ଭଲମନ୍ଦ ପଚାରି କଟା ଘାରେ ଚୂନ ଦେଉଛନ୍ତି କୋଭିଡ୍ ନାଇଣ୍ଟିନ୍ କଲ ସେଣ୍ଟର କର୍ମଚାରୀ। ଗତକାଲି ରାଜଧାନୀର ଏକ ପ୍ରତିଷ୍ଠିତ ହସ୍ପିଟାଲରେ ଏପରି ତ୍ରୁଟି ପଦାକୁ ଆସିବା ପରେ କିଛି ଦିନ ତଳେ ବରଗଡ଼ ଜିଲ୍ଲାରେ ଘଟିଥିବା ଏଭଳି ଏକାଧିକ ଘଟଣା ସାମ୍ନାକୁ ଆସିଛି। ସେହିଭଳି ବାରିପଦାରେ ରୋଗୀଙ୍କ ସମ୍ପର୍କରେ କୋଭିଡ୍ ହସ୍ପିଟାଲରୁ ସୂଚନା ନପାଇ ପରିବାର ଲୋକେ ହିନସ୍ତା ଭୋଗିବା ଏବଂ କେନ୍ଦୁଝରରେ କୋଭିଡ୍ ହସ୍ପିଟାଲରୁ ରୋଗୀ ଆସି ବାହାରେ ବୁଲିବା ଏବଂ କିଛି ସମୟ ପରେ ତାଙ୍କ ମୃତଦେହ ଉଦ୍ଧାର ହେବା ଭଳି ଏକାଧିକ ଘଟଣା ଏବେ କୋଭିଡ୍ ହସ୍ପିଟାଲ ପରିଚାଳନା ପଛରୁ ତ୍ରୁଟିକୁ ପୁଣି ପଦାରେ ପକାଇଛି।

କୋଭିଡ୍ ହସ୍ପିଟାଲରେ ରୋଗୀ ମୃତ୍ୟୁର ୪ ଦିନ ପରେ ଆସୁଛି ଫୋନ୍ କଲ। ମୃତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଓ ହାଲ ଚାଲ ବୁୁଝୁଛନ୍ତି କୋଭିଡ୍ ନାଇଣ୍ଟିନ୍ କଲ ସେଣ୍ଟର କର୍ମଚାରୀ। ଗତକାଲି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଏବେ ବରଗଡ଼ ଜିଲ୍ଲାରୁ ଆସିଛି ତାଠୁ ଆହୁରି ସଂଗୀନ ମାମଲା। ଗତ ଏପ୍ରିଲ ୨୭ରେ ବରଗଡ଼ କୋଭିଡ୍ ହସ୍ପିଟାଲରେ ଆଡମିଶନ୍ ହୋଇଥିଲେ ୫୫ ବର୍ଷୀୟ ଗୋପାଳ ପାଣ୍ଡେ। ତା ପରଦିନ ଅର୍ଥାତ ୨୮ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ମେ ୩ରେ ଗୋପାଳଙ୍କ ସମ୍ପର୍କୀୟଙ୍କୁ ଆସିଥିଲା ପ୍ରଥମ କଲ୍।

ଆଉ ଫୋନ କଲର ଆସିବା ପରେ ଧେର୍ଯ୍ୟର ସହ ଉତ୍ତର ଦେଇଥିଲେ ସମ୍ପର୍କୀୟ। ତେବେ କୋଭିଡ୍ ନାଇଣ୍ଟିନ୍ କଲ ସେଣ୍ଟର କର୍ମଚାରୀଙ୍କ ହରକତ ସେତିକିରେ ସରି ନଥିଲା। ତା ପରଦିନ ଅର୍ଥାତ ମେ ୪ ତାରିଖରେ ପୁଣି ଆସିଥିଲା ଦ୍ୱିତୀୟ କଲ। ଆଉ ଧୈର୍ଯ୍ୟ ନଥିବାରୁ କଲ ସେଣ୍ଟରର ବରିଷ୍ଠ ଅଧିକାରୀଙ୍କ ସହ କଥା ହେବାକୁ ଚାହିଁଥିଲେ ଗୋପାଳଙ୍କ ସମ୍ପର୍କୀୟ। ଏତେସବୁ ପରେ ବି ୫ ତାରିଖରେ ପୁଣି ସେହି ସମାନ ନମ୍ବରରୁ ଆଉ ଥରେ କଲ୍ କରିଥିଲେ କଲ ସେଣ୍ଟର କର୍ମଚାରୀ। ତେବେ କେବଳ ମୃତ ଗୋପାଳଙ୍କ ସମ୍ପର୍କୀୟଙ୍କୁ ନୁହେଁ, ବରଗଡ଼ ଜିଲ୍ଲାରେ ଆହୁରି କେତେଜଣ ମୃତକଙ୍କ ପରିବାର ଲୋକଙ୍କୁ ଏଭଳି କଲ ଆସିଥିବା ଅଭିଯୋଗ କରିଛନ୍ତି ସେମାନଙ୍କ ସମ୍ପର୍କୀୟ।

ସରକାରୀ କୋଭିଡ୍ ହସ୍ପିଟାଲରେ ରୋଗୀଟିଏ ଭର୍ତ୍ତି ହେବା ପରେ ସେ କେଉଁଠି, କେମିିତି ଏବଂ କିପରି ଅବସ୍ଥାରେ ଅଛନ୍ତି ତାହା ଜାଣିବାକୁ ତାଙ୍କ ପରିବାର ଲୋକେ ବ୍ୟଗ୍ର ହେଉଥିଲେ ବି ଏପଟେ କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ କେତେ ସମ୍ବେଦନହୀନ ତାର ଇଏ ଉଦାହରଣ କହିଲେ ଭୁଲ ହେବ ନାହିଁ। ଅଭିଯୋଗ ଅନୁସାରେ ଗତ ୩ ତାରିଖରେ ମୟୂରଭଞ୍ଜ ଶୁକ୍ରୁଳି ବ୍ଲକ୍ ଧଡ଼ିପାଣି ଗାଁର ଅଖିଳ ନାୟକ କୈାଣସି କାମରେ ବାହାରକୁ ଆସି ରାସ୍ତାରେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଲୋକେ ଉଦ୍ଧାର କରି କରଞ୍ଜିଆ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ପଜିଟିଭି ଚିହ୍ନଟ ପରେ ସ୍ଥାନୀୟ ପ୍ରଶାସନ ତାଙ୍କୁ ତାଟୋ ସ୍ଥିତ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି କରିଥିଲା। ଏପଟେ ଖବର ପାଇ ତାଟୋ କୋଭିଡ୍ ହସ୍ପିଟାଲକୁ ଦୁଇ ଦିନ ଧରି ଦୌଡୁଛନ୍ତି ପରିବାର ଲୋକେ। ମେଡିକାଲ ହେଲ୍ପ ଡେସ୍କକୁ ବାରମ୍ବାର ଫୋନ୍ ସତ୍ତ୍ୱେ ସେମାନଙ୍କୁ କୌଣସି ସଠିକ୍ ଉତ୍ତର ମିଳୁନଥିବାରୁ ବାଧ୍ୟ ହୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅଖିଳଙ୍କ ସମ୍ପର୍କୀୟ।

କୋଭିଡ୍ ମେଡିକାଲ ଅବ୍ୟବସ୍ଥା ଓ ରୋଗୀ ଅବହେଳାର ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି କେନ୍ଦୁଝରରେ କୋଭିଡ୍‌ ହସ୍ପିଟାଲରେ। ମାତ୍ର କେଇ ମିଟର ଦୂରରେ ପଡ଼ିଥିବା ମରଶରୀର ଜଣେ କରୋନା ଆକ୍ରାନ୍ତଙ୍କର ବୋଲି ସୂଚନା ମିଳିଛି। ତେଲକୋଇ ଅଞ୍ଚଳର ହୃଷିକେଶ ସାହୁ ପଜିଟିଭ ଚିହ୍ନଟ ପରେ ଗତ ୧୧ ତାରିଖରେ କୋଭିଡ୍ ମେଡିକାଲରେ ଆଡମିଶନ୍ ହୋଇଥିଲେ। ତେବେ ତାର କିଛି ସମୟ ପରେ ହସ୍ପିଟାଲ ବାହାରେ ତାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ତେବେ ସେ କେମିତି, କେଉଁ ପରିସ୍ଥିତିରେ ପ୍ରାଣ ହରାଇଲେ ଏବଂ ମୃତଦେହ ବାହାରକୁ କେମିତି ଆସିଲା ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ପୁରା ଘଟଣାର ସିସିଟିଭି ଫୁଟେଜ୍ ଯାଞ୍ଚ ସହ ଘଟଣାର ତଦନ୍ତ କରାଯାଉଥିବା କହିଛନ୍ତି କେନ୍ଦୁଝର ଜିଲ୍ଲାପାଳ।

ବରଗ଼ଡରୁ ଦୀପକ ଶର୍ମା,ବାରିପଦାରୁ ମାଣିକକଲାଲ୍ ପାଣି ଏବଂ କେନ୍ଦୁଝରରୁ ପ୍ରଣୟ ପାଣିଙ୍କ ରିପୋର୍ଟ

You might also like