ମଣ୍ଡି ପରିଚାଳନାରେ ଦୁର୍ନୀତି: ୩୭ ଲ୍ୟାମ୍ପସ୍‌ ଏମ୍‌ଡିଙ୍କ ବିରୋଧରେ ମାମଲା

କୋରାପୁଟ: ମଣ୍ଡି ପରିଚାଳନାରେ ବ୍ୟାପକ ଅର୍ଥ ଆତ୍ମସାତ ଘଟଣାରେ ଜୟପୁର ଭିଜିଲାନ୍ସ ବିଭାଗ୍ ମାମଲା ରୁଜୁ କରିଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ୩୭ ଜଣ ଲ୍ୟାମ୍ପସ୍‌ ଏମ୍‌ଡିଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ସରକାରଙ୍କ ବିନା ମଞ୍ଜୁରିରେ ମଣ୍ଡିପରିଚାଳନା ବାବଦରେ ଅଧିକ ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇଥିଲା। ସମସ୍ତ କାଗଜପତ୍ର ଯାଞ୍ଚ ପରେ ପ୍ରମାଣକୁ ଭିତ୍ତି କରି ଭିଜିଲାନ୍ସ ବିଭାଗ ସମ୍ପୃକ୍ତ ଲ୍ୟାମ୍ପସ ଏମଡିଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି।

ଅବିଭକ୍ତ କୋରାପୁଟ ଜିଲ୍ଲାରେ ୨୦୧୨-୧୩ରୁ ୨୦୧୪-୧୫ରେ ୪୮ଟି ଲ୍ୟାମ୍ପସ୍‌କୁ ମଣ୍ଡିରୁ ଧାନ କିଣିବାକୁ ଦାୟିତ୍ୱ ଦିଆଯାଇଥିଲା।  ମଣ୍ଡିରେ ଧାନ କିଣିବା ବେଳେ ଚାଷୀଙ୍କ ଧାନ ବସ୍ତାରୁ ଖୋଲିବା, ଓଜନ କରିବା ଓ ପରେ ଏହାକୁ ମିଲରଙ୍କ ବସ୍ତାରେ ରିପ୍ୟାକିଂ କରିବା ବ୍ୟବସ୍ଥାରେ ସରକାର ଧାନ କ୍ୱିଣ୍ଟାଲ୍ ପିଚ୍ଛା ୫ ଟଙ୍କା ୬୭ ପଇସା ସ୍ୱତନ୍ତ୍ର ଦର ଧାର୍ଯ୍ୟ କରିଥିଲେ। ହେଲେ ନିୟମ ଉଲଂଘନ କରି କ୍ୱିଣ୍ଟାଲ ପିଚ୍ଛା ୮ ଟଙ୍କା ୮ ପଇସା ଲେଖାଏ ଖର୍ଚ୍ଚ କରିଥିବା ଦେଖାଇଥିଲେ। ଏପରି ଭାବେ ଦୁଇ ବର୍ଷ ସରକାରଙ୍କ ୪ କୋଟି ୧୦ ଲକ୍ଷ ୩୬ ହଜାର ୨୭୯ ଟଙ୍କା ଅଧିକ ଖର୍ଚ୍ଚ ହୋଇଥିଲା। ଏହାକୁ ନେଇ ତନାଘନା ପରେ ସମସ୍ତ ତଥ୍ୟ ଏବେ ପଦାକୁ ଆସିଛି।

You might also like