ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ କୃଷକ କଲ୍ୟାଣ କାର୍ଡ ବଣ୍ଟା ହେଉଥିବା ଅଭିଯୋଗ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ କୃଷକ କଲ୍ୟାଣ କାର୍ଡ ବଣ୍ଟା ହେଉଛି।  ଏହାସହ ଚିକିତ୍ସା ପାଇଁ ୫ ଲକ୍ଷ ବଦଳରେ କେବଳ ୭୦ ହଜାର ଟଙ୍କା ମିଳୁଥିବା ଅଭିଯୋଗ ହୋଇଛି। ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିବା ରୋଗୀ ଏଭଳି ଅଭିଯୋଗ ଆଣିଛନ୍ତି। ତେବେ ହସ୍ପିଟାଲ ଓ ରୋଗ ଅନୁସାରେ ସହାୟତା ମିଳିବ ବୋଲି ସିଡିଏମଓ କହିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ଠକେଇ ନେଇ ଅଭିଯୋଗ ହୋଇଛି। ବ୍ରହ୍ମପୁର ମହାନଗର ନିଗମର ୪ ନମ୍ବର ୱାର୍ଡରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ କୃଷକ କଲ୍ୟାଣ କାର୍ଡ ବଣ୍ଟନ କରାଯାଇଥିବା ଅଭିଯୋଗ ଆସିଛି।

ଏହି କାର୍ଡକୁ ନେଇ ବ୍ରହ୍ମପୁର ସିଟି ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ୫ଲକ୍ଷ ବଦଳରେ କେବଳ ୭୦ ହଜାର ଟଙ୍କାର ସହାୟତା ମିଳିବ ବୋଲି ଜଣାପଡ଼ିବା ପରେ ଅସନ୍ତୋଷ ଦେଖାଦେଇଛି। ଏହି କାର୍ଡରେ ମାତ୍ର ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ରହିଥିବା ସିଟି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ନେଇ କୌଣସି ନିର୍ଦ୍ଦେଶନାମା ଆସିନଥିବା ମଧ୍ୟ ମେଡିକାଲ୍‌ ପକ୍ଷରୁ କୁହାଯାଇଛି। ଫଳରେ ରୋଗୀ ଆସି ହଇରାଣରେ ପଡ଼ୁଛନ୍ତି।

ତେବେ ଏଭଳି ଅଭିଯୋଗକୁ ସିଡିଏମଓ ଅସ୍ୱୀକାର କରିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଆସି ନଥିବାରୁ ପୂର୍ବରୁ ଯୋଗାଇ ଦିଆଯାଇଥିବା କୃଷକ କଲ୍ୟାଣ କାର୍ଡ ମାଧ୍ୟମରେ ଏବେ ସହାୟତା ମିଳୁଛି। ବଡ଼ ହସ୍ପିଟାଲରେ ସବୁ ପ୍ରକାର ସୁବିଧା ମିଳିବ ବୋଲି ସେ କହିଛନ୍ତି। ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସହାୟତା ରାଶି ନେଇ ସିଡିଏମଓ କୌଣସି ସ୍ପଷ୍ଟ ଉତ୍ତର ଦେଇନାହାନ୍ତି।

ସେପଟେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କୃଷକ କଲ୍ୟାଣ କାର୍ଡ ଯୋଗାଇବା ଓ ସହାୟତା ରାଶି ୭୦ ହଜାର ମିଳିବା ଘଟଣାରେ ବିରୋଧୀ ସରକାରଙ୍କୁ ଘେରିଛନ୍ତି।

(ବ୍ରହ୍ମପୁରରୁ ଫିନୋଜଙ୍କ ସହ ଜଗନ୍ନାଥ ସାହୁଙ୍କ ରିପୋର୍ଟ)

 

 

You might also like