ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ

ଲାଞ୍ଚ ନଦେବାରୁ ହିତାଧିକାରୀଙ୍କୁ ମିଳୁନି ଘର!

କଲ୍ୟାଣସିଂହପୁର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି। ଲାଞ୍ଚ ନଦେବାରୁ ଘର ଅନ୍ୟ କାହାକୁ ଦିଆଯାଇଥିବା ଅଭିଯୋଗ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ଖରଜୋଡ଼ା ଗାଁର ଅଙ୍ଗଦ ମହାନନ୍ଦିଆ ଏନେଇ ଅଭିଯୋଗ କରିଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୬-୧୭ ଆର୍ଥିକ ବର୍ଷରେ ତାଲିକାରେ ତାଙ୍କ ନାଁ ରହିଥିଲା। ମାତ୍ର ହାତଗୁଞ୍ଜା ନଦେଇପାରିବାରୁ ତାଙ୍କ ନାଁରେ ଆସିଥିବା ଘର ଅନ୍ୟ ଜଣଙ୍କୁ ଦିଆଯାଇଛି। ଏମିତି କି ତାଙ୍କ ନାଁରେ ଘର ଥିଲେ ବି ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଆସିଛି ଟଙ୍କା।

ତେବେ କେମିତି ହିତାଧିକାରୀଙ୍କ ଅର୍ଥ ଅନ୍ୟ କାହା ଆକାଉଣ୍ଟଙ୍କୁ ଗଲା, ତାକୁ ନେଇ ପ୍ରଶ୍ନ ଉଠିଛି। ଭଙ୍ଗା ଦଦରା ଘରେ ରହୁଛନ୍ତି ଅଙ୍ଗଦ ମହାନନ୍ଦିଆ। ବର୍ଷା ଦିନେ ଘରେ ପାଣି ଗଳୁଛି। ରାତିରେ ଦେଖାଯାଉଛି ଜହ୍ନ, ତାରା। ଦୟନୟୀ ଅବସ୍ଥାରେ ଚଳୁଥିବା ଅଙ୍ଗଦଙ୍କୁ ଗାଁ ଲୋକେ ପଲ୍ଲୀସଭା କରି ତାଙ୍କୁ ଆବାସ ଯୋଜନାରେ ସାମିଲ୍ କରିଥିଲେ।

କିନ୍ତୁ ଏବେ ଘର ଟଙ୍କା ଆଉ କାହାକୁ ମିଳିଥିବା ଜାଣିବା ପରେ ହତାଶ ହୋଇପଡିଛନ୍ତି ଅଙ୍ଗଦ। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଲୋକେ ଦାବି କରିଛନ୍ତ।

ସେପଟେ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଡ଼ିଓ କହିଛନ୍ତି।

You might also like