ମହିଳା ସଭାନେତ୍ରୀଙ୍କ ସାଂଘାତିକ ଅଭିଯୋଗ ; ସୁନ୍ଦରୀ ମହିଳାଙ୍କୁ ନିରଞ୍ଜନ କରୁଛନ୍ତି ପ୍ରାର୍ଥୀ

ଭୁବନେଶ୍ୱର : ଟିକେଟ ବଣ୍ଟନକୁ ନେଇ ପିସିସି ସଭାପତିଙ୍କ ବିରୋଧରେ ସୁମିତ୍ରାଙ୍କ ସଙ୍ଗୀନ ଅଭିଯୋଗ। ନିରଞ୍ଜନ ଟଙ୍କା ନେଇ ମଦ ବେପାରୀଙ୍କୁ ଟିକେଟ୍ ଦେଇଛନ୍ତି। କେବଳ ସେତିକି ନୁହେଁ, ରାଜ୍ୟ ମହିଳା କଂଗ୍ରେସର ତାଲିକା ଦେଖି ନୁହେଁ ବରଂ ସୁନ୍ଦରୀ ମହିଳାଙ୍କୁ ନିରଞ୍ଜନ ଟିକେଟ ଦେଇଥିବା ଅଭିଯୋଗ ବାଢ଼ିଛନ୍ତି ସୁମିତ୍ରା।

ତାସହିତ ତାଙ୍କ ଉପରେ କଂଗ୍ରେସ୍ ଭବନରେ ଯେଉଁମାନେ ଆକ୍ରମଣ କରିଥିଲେ, କାର୍ଯ୍ୟାନୁଷ୍ଠାନ ବଦଳରେ ଓଲଟା ସେମାନଙ୍କୁ ଟିକେଟ ଦିଆଗଲା ସୁମିତ୍ରା ଅଭିଯୋଗ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ନିରଞ୍ଜନଙ୍କ ଉପରେ ଅଭିଯୋଗର ବର୍ଷା ପରେ ସୁମିତ୍ରା ଦଳ ଛାଡ଼ିଛନ୍ତି। ସୁମିତ୍ରାଙ୍କ ଭଳି ନିରଞ୍ଜନଙ୍କ ବିରୋଧରେ ଅଭିଯୋଗ କରି ଦଳ ଛାଡ଼ିଛନ୍ତି ରାଜ୍ୟ ମହିଳା କଂଗ୍ରେସ୍‌ର ସଂପାଦିକା ସୁଜାତା ଜେନା।

ସେପଟେ ଧର୍ମଶାଳା ବିଧାନସଭା କ୍ଷେତ୍ରକୁ ନେଇ ଧର୍ମ ସଙ୍କଟରେ ପିସିସି। ନାମାଙ୍କନ ପତ୍ର ଦାଖଲ କରିବା ବଦଳରେ ଟିକେଟ ପାଇଁ ପିସିସି ସଭାପତିଙ୍କ ବାସଭବନରେ ଡେରା ପକାଇଥିଲେ ଧର୍ମଶାଳା ପାଇଁ ନାଁ ଘୋଷଣା ହୋଇଥିବା କଂଗ୍ରେସ୍ ନେତା କିଷାନ ପଣ୍ଡା। ଦଳ ପକ୍ଷରୁ ତାଙ୍କ ନାଁ ଘୋଷଣା କରାଯାଇଥିଲେ ମଧ୍ୟ ଶେଷ ପର୍ଯ୍ୟନ୍ତ ଟିକେଟ ନ ମିଳିବାରୁ ସେ ବାଧ୍ୟ ହୋଇ ବିନା ଟିକେଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ସେପଟେ ଟିକେଟ ଫେରାଇଥିବା ନେତାଙ୍କ ସଂଖ୍ୟା ବଢ଼ି ଗଲାଣି। ପୂର୍ବରୁ ରାଉରକେଲାରୁ ମୁକ୍ତିକାନ୍ତ ବିଶ୍ୱାଳ, ପିପିଲିର ଯୁଧିଷ୍ଠିର ସାମନ୍ତରାୟ, ବେଗୁନିଆରୁ ପୃଥ୍ୱୀବଲ୍ଲଭ ପଟ୍ଟନାୟକ, ତିର୍ତ୍ତୋଲରୁ ବିଭୁ ପ୍ରସାଦ ତରାଇ କଂଗ୍ରେସ ଟିକେଟକୁ ପ୍ରତ୍ୟାଖ୍ୟାନ କରିଥିଲେ।

ସେହପିର ଗତକାଲି ନିମାପଡ଼ାରୁ ସତ୍ୟବ୍ରତ ପାତ୍ର ଓ ବଡ଼ଚଣାରୁ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର ବି ଟିକେଟ୍ ଫେରାଇ ଦେଇଥିଲେ। ସେପଟେ ପିସିସି ସଭାପତି କହିଛନ୍ତି ଯେ, ବଡ଼ ଦଳରେ ଅସନ୍ତୋଷ ରହିବା ସ୍ୱାଭାବିକ।

କଂଗ୍ରେସ୍ ମୋଟ୍ ୧୪୭ଟି ଆସନରୁ ୧୪୦ଟି ଆସନରେ ପ୍ରାର୍ଥୀ ଦେଇଛି। ତେବେ ଜୟଦେବ ଆସନରେ ଦଳୀୟ ପ୍ରାର୍ଥୀ ସୁକାନ୍ତ ତିଆଡ଼ି ଭୋଇଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଥିଲା। ଏ ତମାମ ଘଟଣା ପରେ କଂଗ୍ରେସ ବିଜେପି ଓ ବିଜେଡିକୁ ଟକ୍କର ଦେବା ତ ପଛ କଥା, ନିଜ ଅସ୍ତିତ୍ୱ କିଭଳି ବଞ୍ଚାଇବ, ତାଉପରେ ନଜର।

You might also like