ସ୍ୱଳ୍ପ ସଞ୍ଚୟ ଯୋଜନାରେ ସୁଧ ହାର ବୃଦ୍ଧି

ନୂଆଦିଲ୍ଲୀ: ସ୍ୱଳ୍ପ ସଞ୍ଚୟ ଯୋଜନାରେ ନିବେଶ କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର। କାହିଁକି ନା ଏହି ଯୋଜନା ଉପରେ ମିଳୁଥିବା ସୁଧ ହାରକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ଜାତୀୟ ସଞ୍ଚୟ ସାର୍ଟିଫିକେଟ (ଏନ୍‌ଏସ୍‌ସି) ଓ ପବ୍ଲିକ୍‌ ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌ (ପିପିଏଫ୍‌) ଭଳି ସ୍ୱଳ୍ପ ସଞ୍ଚୟ  ଯୋଜନାର ସୁଧ ହାରରେ ୦.୪% ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଏନେଇ କେନ୍ଦ୍ର ସରକାର ଆଜି ଏକ ଘୋଷଣା କରିଛନ୍ତି।

୨୦୧୮ ମସିହା ଅକ୍ଟୋବର ୧ ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ କେତେକ ସ୍ୱଳ୍ପ ସଞ୍ଚୟ ଯୋଜନାର ସୁଧ ମୂଲ୍ୟ ସଂଶୋଧିତ ହୋଇଛି। ଏନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ସ୍ୱଳ୍ପ ସଞ୍ଚୟ ଯୋଜନାରେ ସୁଧ ହାର ପ୍ରତି ତିନି ମାସରେ ଥରେ ସଂଶୋଧିତ ହୋଇଥାଏ।

ପିପିଏଫ୍‌ ଏବଂ ଏନ୍‌ଏସ୍‌ସି ପାଇଁ ସୁଧ ହାର ୭.୬% ରୁ ୮% କୁ ବୃଦ୍ଧି ପାଇଛି। ସେହିପରି କିଷାନ ବିକାଶ ପତ୍ର ପାଇଁ ବର୍ଷକୁ ୭. ୭% ସୁଧ ମିଳିବା ସହ ଏହାର ଅବଧି ୧୧୮ ମାସ ପରିବର୍ତ୍ତେ ୧୧୨ ମାସ ହେବ। ସେହିପରି କନ୍ୟା ସନ୍ତାନଙ୍କ ପାଇଁ ସୁକନ୍ୟା ସମୃଦ୍ଧି ସଞ୍ଚୟ ଯୋଜନା ପାଇଁ ସୁଧ ହାର  ୮. ୫% ହୋଇଛି। ଯାହାକି ବର୍ତ୍ତମାନ ମିଳୁଥିବା ସୁଧ ହାର ଠାରୁ ୦. ୪% ଅଧିକ।

୫ ବର୍ଷିଆ ଜମା ଅବଧିରେ ୭.୮%, ରେକରିଙ୍ଗ୍‌ ଡିପୋଜିଟ୍‌ରେ ୭.୩%, ସିନିୟର୍‌ ସିଟିଜେନ୍‌ ସେଭିଙ୍ଗ୍‌ସ୍‌ ସ୍କିମ୍‌ର ସୁଧ ୮. ୭%କୁ ବୃଦ୍ଧି କରାଯାଇଛି । ତେବେ ସେଭିଙ୍ଗ୍‌ ଡିପୋଜିଟ ପାଇଁ ସୁଧହାର ୪%ରେ ଅପରିବର୍ତ୍ତିତ ରହିଛି।

You might also like