ଫୁଲ୍ ଫିଲ୍ମି ଷ୍ଟାଇଲ୍ରେ ବୟସ୍କ ଦମ୍ପତିଙ୍କ ଠାରୁ ଲୁଟିନେଲେ
ଭୁବନେଶ୍ୱର: ପୁଣି ଲୁଟେରାଙ୍କ ଟାର୍ଗେଟ୍ରେ ବରିଷ୍ଠ ନାଗରିକ। ହେଲେ ଏଥର ଫୁଲ୍ ଫିଲ୍ମି ଷ୍ଟାଇଲ୍, ଜବରଦସ୍ତ ପ୍ରି ପ୍ଲାନିଂ ନିଜକୁ କ୍ରାଇମବ୍ରାଞ୍ଚ ଅଧିକାରୀ କହି, ସଚେତନ କରିବା ନାଁରେ ବୟସ୍କ ଦମ୍ପତିଙ୍କ ଠାରୁ ଲୁଟିନେଲେ ସୁନା ଗହଣା। ଘଟଣା ଘଟିଛି ଭୁବନେଶ୍ୱର ପଟିଆ ସ୍ୱର୍ଣ୍ଣପୁରୀ ରୋଡ୍ RJ ଲଞ୍ଜ୍ ସମ୍ମୁଖରେ। ସିସିଟିଭିରେ କଏଦ୍ ହୋଇଛି ଗତ ସୋମବାରର ପୁରା ଘଟଣା। ଅଭିଯୋଗ ଅନୁସାରେ, ବାସୁଦେବ ଏନକ୍ଲେଭରେ ରହୁଥିବା ବିଶ୍ୱରଞ୍ଜନ ଆଚାର୍ଯ୍ୟଙ୍କ ବାପା ବିଭୂତି ଭୂଷଣ ଓ ମାଆ ବିଜୟଲକ୍ଷ୍ମୀ ଇଭନିଂ ଓ୍ୱାକ୍ରୁ ଫେରୁଥିବା ବେଳେ, ୨ ଜଣ ଲୋକ ନିଜକୁ କ୍ରାଇମବ୍ରାଞ୍ଜ ଅଧିକାରୀ କହି ସେମାନଙ୍କୁ ପାଖକୁ ଡାକିଥିଲେ। ସେହି ରାସ୍ତାରେ ପୂର୍ବରୁ ସୁନାଗହଣା ଛିନତାଇ ହେଉଥିବାରୁ ସେମାନେ ସେଠାରେ ସିଭିଲ୍ ଡ୍ରେସ୍ରେ ଜଗିଥିବା କହିଥିଲେ।
ଅନ୍ୟଜଣେ ଯୁବକଙ୍କୁ ସଚେତନ କରି ଛାଡ଼ିବା ପରେ ସେମାନେ ବିଭୂତି ଓ ବିଜୟଲକ୍ଷ୍ମୀଙ୍କୁ ବି ବେକରେ ପିନ୍ଧିଥିବା ସୁନାଚେନ୍ ଓ ହାତରୁ ସୁନା ମୁଦି କାଢିବାକୁ କହିଥିଲେ। ତାକୁ ମଧ୍ୟ କାଗଜରେ ମୋଡ଼ି, ବିଭୂତିଙ୍କ ରୁମାଲ୍ରେ ଗୁଡ଼ାଇ ତାଙ୍କ ପକେଟ୍ରେ ଭର୍ତ୍ତି କରିଦେଇଥିଲେ ଓ ଲୁଟେରାଙ୍କ ପ୍ରତି ସାବଧାନ ରହିବାକୁ କହିଥିଲେ। ହେଲେ କିଛି ବାଟ ଗଲା ପରେ ବିଭୂତି ନିଜ ପକେଟ୍ରୁ ରୁମାଲ୍ ପୁଡ଼ିଆ କାଢି ଦେଖନ୍ତି ତ, ସେଥିରେ ସୁନା ଗହଣା ନାହିଁ, ଅଛି କେବଳ ଗୋଟିଏ ପଥର।
ପ୍ରଥମେ ନିଜକୁ ପୋଲିସ ବୋଲି କହି ବିଶ୍ୱାସ ଜନ୍ମାଇବା ଓ ପରେ ଆଖିରେ ଧୂଳି ଦେଇ, ସୁନା ଗହଣା ଲୁଟ୍ କରିବା ଗତ ୨ ବର୍ଷ ଭିତରେ ଟୁଇନ ସିଟି ସହିତ ପୁରୀ, ରାଉରକେଲା ଓ ବ୍ରହ୍ମପୁରରୁ ବି ଏଭଳି ତରିକାରେ ଲୁଟ୍ ହୋଇଥିବା କହିଛନ୍ତି ଭୁବନେଶ୍ୱର ଡିସିପି। ସେ କହିଛନ୍ତି, ଏମାନେ ବାହାର ରାଜ୍ୟରୁ ଆସି ଓଡ଼ିଶାରେ ଏଭଳି କାରନାମା ଚଲାଇଛନ୍ତି। ନିଜକୁ କେତେବେଳେ ପୋଲିସ, କେତେବେଳେ ସିବିଆଇ ତ ଆଉ କେତେବେଳେ କ୍ରାଇମବ୍ରାଞ୍ଚ ଅଧିକାରୀ କହି ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍ କରୁଛନ୍ତି। ଏଥିପ୍ରତି ସାବଧାନ ରହିବାକୁ ଓ ପୋଲିସରେ ତୁରନ୍ତ ଖବର ଦେବାକୁ ଅପିଲ୍ କରିଛି କମିଶନରେଟ୍ ପୋଲିସ।