ଦେଶ ପ୍ରତି ଏଭଳି ନିଃସ୍ୱାର୍ଥପର ସେବା ଓ ଭଲପାଇବା କେବେ ଦେଖିଛନ୍ତି ?

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନ ଓ ତେଲ ଲୁଣର ସଂସାର ଭିତରେ କିଏ ବା ସମାଜ କି ଦେଶ ପାଇଁ ଚିନ୍ତା କରୁଛି ?  ହେଲେ ଆଜି ଆମେ ଏମିତି ଏକ ବ୍ୟକ୍ତିତ୍ୱଙ୍କୁ ଆପଣଙ୍କ ସାମ୍ନାକୁ ଆଣୁଛୁ, ଯିଏ ବିନା ପାରିଶ୍ରମିକ ଓ ବିନା ସ୍ୱାର୍ଥରେ କରି ଚାଲିଛନ୍ତି ସେବା। ମୋଦିଙ୍କ ସ୍ୱଚ୍ଛ ଭାରତ ନାରାରେ ପ୍ରଭାବିତ ହୋଇ ନିଜ ସହରକୁ ସ୍ୱଛ କରିବା ନିଶାରେ ସେ ମସ୍‌ଗୁଲ। ତାଙ୍କ ନାଁ ସେକ୍ ମନାନ୍। ବାଲେଶ୍ୱର ସହରର ସେକ୍ ମନାନ୍‌ଙ୍କ ଅବଦାନ ଏବଂ ଉତ୍ସର୍ଗୀକୃତ ସେବାର କାହାଣୀ ଆସନ୍ତୁ ଜାଣିବା।

ଦେହରେ ଧଳା କୁର୍ତ୍ତା, ମୁଣ୍ଡରେ ଧଳା ଗାମୁଛା ତାସହ ମନ ବି ସଫା। ରାତି ପାହିଲେ ସାଇକେଲ ଧରି ବାହାରିପଡ଼ନ୍ତି ଝାଡ଼ୁଧରି। ଚର୍ଚ୍ଚ ହେଉ କି ମସଜିଦ୍, ମନ୍ଦିର ହେଉ କି ମେଡିକାଲ୍ ଟିକିଏ ବି ହେଳା ନକରି ନିଜର କର୍ତ୍ତବ୍ୟ କରିଚାଲନ୍ତି ବାଲେଶ୍ୱର ସହରର ସାଇ ବାବା ନାମରେ ପରିଚିତ ସେକ୍ ମନାନ୍। ସ୍ୱଚ୍ଛତାକୁ ବ୍ରତ କରି ନିଜ ସହରକୁ ସଫାସୁତୁରା ରଖିବା ପାଇଁ ବିନା ସ୍ୱାର୍ଥରେ କରନ୍ତି ଏଭଳି କାମ। ଏଥିପାଇଁ ସେ କୌଣସି ପାରିଶ୍ରମିକ ବି ନିଅନ୍ତି ନାହିଁ। ଦେଶ ପ୍ରତି ଭଲ ପାଇବା ତାଙ୍କୁ ଏଭଳି କାମ କରିବାକୁ ଉତ୍ସାହିତ କରିଥାଏ ବୋଲି ସେ କହିଛନ୍ତି।

ବାଲେଶ୍ୱର ସହରର ସୁନହଟ କଂସେଇ ମହଲାରେ ନିଜର ୨ ପୁଅ, ଗୋଟିଏ ଝିଅ ଓ ପତ୍ନୀଙ୍କ ସହ ରୁହନ୍ତି ମନାନ୍ ସେକ୍। ନିଜର ଚିକେନ୍ ସେଣ୍ଟରକୁ ଲିଜ୍‌ରେ ଦେଇଛନ୍ତି ସେ। ସେଥିରୁ ଯାହା ଟଙ୍କା ପାଆନ୍ତି ସେଥିରେ ପରିବାର ପ୍ରତିପୋଷଣ କରନ୍ତି।

ଆଜୀବନ ଏହି ମହତ୍ କାମ କରି ଦେଶ ପ୍ରତି ନିଜର କର୍ତ୍ତବ୍ୟ ପାଳନ କରିବାର ଆଶା ରଖିଛନ୍ତି ମନାନ୍। ତାଙ୍କର ଏହି ମହତ୍ କାମ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

You might also like