ଖୋଲୁଛି ଆଶ୍ରମ ମୁଖ୍ୟ ବାବା ମୁରାରୀଙ୍କ ବେଆଇନ କାମର ଗୁମର

ଢେଙ୍କାନାଳ କଳ୍ପତରୁ ଆଶ୍ରମରେ ପିଲାଙ୍କୁ ନିର୍ଯାତନା ଅଭିଯୋଗ

ଢେଙ୍କାନାଳ  : ପୁଣି ଚର୍ଚ୍ଚାରେ ଢେଙ୍କାନାଳ। ବେଲଟିକିରି ସେଲ୍‌ଟର ହୋମ୍ କେଳେଙ୍କାରୀ ଠାରୁ ବି ଆସିଛି ଆହୁରି ସାଂଘାତିକ ଅଭିଯୋଗ। ସହର ଉପକଣ୍ଠ ଗୋବିନ୍ଦପୁରରେ ବେଆଇନ ଭାବେ ଚାଲିଥିବା କଳ୍ପତରୁ ଆଶ୍ରମରୁ ଜଣେ ଛାତ୍ର ନିଖୋଜ ହେବା ପରେ ଖୋଲିଛି ଏଠାରେ ଚାଲିଥିବା ବେଆଇନ କାର୍ଯ୍ୟକଳାପର ଗୁମର।

ଢେଙ୍କାନାଳ ସହର ଠାରୁ ମାତ୍ର ତିନି କିଲୋମିଟର ଦୂର ଗୋବିନ୍ଦପୁରରେ ଥିବା ଏହି କଳ୍ପତରୁ ଆଶ୍ରମ। ଏଠାରେ ରହୁଥିବା ୧୦ ବର୍ଷର ବାଳକ ଛୋଟୁ ରୋହିଦାସ ନିଖୋଜ ହୋଇଯିବା ପରେ ଏଠାରେ ଚାଲିଥିବା ବେଆଇନ କାମର ଗୁମର ଖୋଲୁଛି।

ଗତ ୨୩ ତାରିଖରେ ଆଶ୍ରମ ମୁଖ୍ୟ ବାବା ମୁରାରି ଦାସ୍ ,ଗୁହାଳ ସଫା କରିନପାରିବା କାରଣରୁ ଛୋଟୁକୁ ପ୍ରବଳ ମାଡ଼ ମାରିଥିବା ତାଙ୍କ ବାପା ମାଆ ଅଭିଯୋଗ କରିଛନ୍ତି। ଏହା ପରଠାରୁ ତାଙ୍କର ପତ୍ତା ମିଳୁନାହିଁ। ତେବେ ରାତି ସାଢେ ନଅଟାରେ ଛୋଟୁ ଘରକୁ ଚାଲିଯାଇଥିବା ନେଇ ବାବା ଫୋନ୍ କରି ଜଣାଇଥିବା ତାର ବାପା-ମାଆ କହିଛନ୍ତି।

ତେବେ ବାବାଙ୍କ ମାଡ଼ରେ ପୁଅର ମୃତ୍ୟୁ ହୋଇଥାଇପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି। ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଥିବା ବେଳେ ବାବା ମୁରାରୀ ଦାସ୍ ଫେରାର ହୋଇଯାଇଛନ୍ତି।

ଏପଟେ ଛୋଟୁ ନିଖୋଜ ହେବା ପରେ ବାବା ମୁରାରୀ ଦାସ ଆଶ୍ରମରେ ଚଳାଇଥିବା ବେଆଇନ କାମ ଉପରୁ ପରଦା ହଟିବାରେ ଲାଗିଛି। ସରକାରୀ ଜମିକୁ କିଛି ପ୍ରଭାବଶାଳୀ ଲୋକଙ୍କ ସହାୟତାରେ ବାବା ଜବର ଦଖଲ କରିଥିବା ଅଭିଯୋଗ ହୋଇଛି।

ସେହିପରି ଏହାକୁ ଗୋଶାଳା ଭାବେ ପଞ୍ଜୀକୃତ କରାଇ ବାବା ଏଠାରେ ବେଆଇନ ଆଶ୍ରମ କରି ୪୦ରୁ ଅଧିକ ପିଲାଙ୍କୁ ରଖିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଆଶ୍ରମ ପରିସରରେ ଏକ ସରକାରୀ ସ୍କୁଲ ମଧ୍ୟ ରହିଛି। ଏଠାକୁ ନିୟମିତ ସରକାରୀ ଅଧିକାରୀଙ୍କ ଯା’ଆସ ଲାଗି ରହିଥିଲେ ମଧ୍ୟ କେହି କେମିତି ବାବାଙ୍କ ବେଆଇନ କାମ ସଂପର୍କରେ ଜାଣି ପାରିଲେନି, ନା ସବୁ ଜାଣି ଚୁପ୍ ବସିଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ଅନୁସାରେ ଆଶ୍ରମ ପରିସରରେ ଥିବା ସ୍କୁଲରେ ବାବା ପିଲାଙ୍କୁ ୫ମ ଶ୍ରେଣୀ ଯାଏଁ ପଢାନ୍ତି, ତେବେ ଆଶ୍ରମର ସଂସ୍କୃତ ସ୍କୁଲରେ ପିଲା ପଢୁଥିବା କହି ସେମାନଙ୍କୁ ଆଶ୍ରମର ଯାବତୀୟ କାମରେ ନିୟୋଜିତ କରନ୍ତି। କାମରେ ତ୍ରୁଟି ହେଲେ ବାବା ଛୋଟ ଛୋଟ ପିଲାଙ୍କୁ ନିର୍ମମ ଭାବେ ମାଡ଼ ମାରୁଥିବା ଅଭିଯୋଗ ହୋଇଛି। ସେପଟେ ବାବାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ତଦନ୍ତ ହେଉଥିବା ପୁଲିସ କହିଛି।

ଛାତ୍ର ନିଖୋଜ ଘଟଣା ପରେ ଶିଶୁ ମଙ୍ଗଳ କମିଟି ପକ୍ଷରୁ ଆଶ୍ରମରେ ଚଢାଉ କରାଯାଇଛି। ସେହିପରି ଏଠାରେ ରହୁଥିବା ପିଲାମାନଙ୍କୁ ଉଦ୍ଧାର କରାଯିବ ବୋଲି ସୂଚନା ମିଳିଛି।

You might also like