ଶଟ୍‌ ଡାଉନ ବେଳେ କ’ଣ ବନ୍ଦ ରହିବ ?

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ନେଲେ କଠୋର ପଦକ୍ଷେପ। ୨୧ ଦିନିଆ ଲକ୍‌ଡାଉନ ଚାଲିଥିବାବେଳେ ଆଜି ସରକାର ପୁଣି ଲାଗୁ କରିଛନ୍ତି ୪୮ ଘଣ୍ଟିଆ ଶଟ୍‌ଡାଉନ। ତେବେ କ’ଣ ଏହି ଶଟ୍‌ଡାଉନର ଅର୍ଥ ? ଏମିତି ତ ସବୁ ବନ୍ଦ ଥିଲା, ପୁଟି କ’ଣ ବନ୍ଦ ହେବ ? ଏମିତି ପ୍ରଶ୍ନ ମନକୁ ଆସୁଛି।

ଲକ୍‌ଡାଉନ ଠାରୁ ଆହୁରି କଡାକଡି ହେବ ଶଟ୍‌ଡାଉନର ଗାଇଡଲାଇନ। ଲକ୍‌ଡାଉନବେଳେ ଗ୍ରୋସରୀ, ପରିବା, କ୍ଷୀର, ମାଛ, ମାଂସ ଆଦି ଦୋକାନ ଖୋଲା ରହୁଥିଲା। ହେଲେ ଶଟଡାଉନ ବେଳେ ଏସବୁ କିଛି ବି ଖୋଲିବ ନାହିଁ। କେବଳ ଔଷଧ ଦୋକାନ ଖୋଲିବ। ତାହା ପୁଣି ଅଳ୍ପ ସଂଖ୍ୟାରେ।  ତେବେ କେଉଁ ଔଷଧ ଦୋକାନ ଖୋଲାଯିବ ତାହାର ସ୍ଥାନୀୟ ଅଧିକାରୀଙ୍କ ନିଷ୍ପତ୍ତିରେ ହେବ। ତେଣୁ ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା ପାଇଁ ଲୋକେ ଘରୁ ବାହାରି ପାରିବେ ନାହିଁ।

ଯଦି କେହି ଏହି ନିୟମ ଭାଙ୍ଗିବ ତେବେ ପୋଲିସ ତାକୁ  ଉଠାଇ ନେଇଯିବ ଏବଂ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ରେ ରଖିବ ବୋଲି କୁହଯାଇଛି।

ସୂଚନାଥାଉ କି, ରାଜ୍ୟରେ ୫ ଜଣ କରୋନା ପଜିଟିଭ ବାହାରିଥିବାବେଳ ୪ ଜଣ ଭୁବନେଶ୍ୱରର ଏବଂ ଜଣେ ଭଦ୍ରକ ଜିଲ୍ଲାର। ଭୁବନେଶ୍ୱରର ୫ମ ଆକ୍ରାନ୍ତଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ ଏବଂ ସେ କାହା କାହା ସଂସ୍ପର୍ଶରେ ଆସିଥିଲେ ତାହା ଜଣା ପଡ଼ି ନାହିଁ।  ତେଣୁ କ’ଣ ପାଇଁ ଏପରି ଘଟିଲା, ତା’ର ସଂପୂର୍ଣ୍ଣ ଛାନ୍‌ଭିନ୍ କରିବାକୁ ୪୮ ଘଣ୍ଟା ପାଇଁ ଶଟ୍ ଡାଉନ୍ ଘୋଷଣା କରାଯାଇଛି।   ସେହିପରି ଭଦ୍ରକ ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ପାଖରେ କୌଣସି ଲକ୍ଷଣ ନ ଥିଲା। ହେଲେ ପରେ ପଜିଟିଭ ଆସିଥିଲା। ଏହାକୁ ଲକ୍ଷ୍ୟରେ ରଖି ସରକାର ହଠାତ୍‌ ଏପରି ଶଟ୍‌ ଡାଉନ ଘୋଷଣା କରିଥିବା ଜଣାଯାଇଛି।

You might also like