କରୋନା ସୁପରସ୍ପ୍ରେଡର କିଏ? ଗବେଷଣା କହୁଛି ସଂକ୍ରମିତ ନୁହଁନ୍ତି!

ଭୁବନେଶ୍ୱର: ବିଶ୍ୱକୁ ଘାରିଛି ମହାମାରୀ ଚିନ୍ତା। ସାରା ବିଶ୍ୱରେ ସାଂଘାତିକ ସ୍ଥିତିରେ ପହଞ୍ଚିଛି କରୋନା ସଂକ୍ରମଣ। ଦିନକୁ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୦ ହଜାର ପାଖାପାଖି ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୧୮ ଲକ୍ଷ ପାଖାପାଖି ପହଞ୍ଚିଲାଣି। ବିଶେଷ କରି ଆମେରିକା, ସ୍ପେନ, ଇଟାଲୀ ଏବଂ ଫ୍ରାନ୍ସରେ ସ୍ଥିତି ଅଧିକ ସଂଗୀନ ରହିଛି। ସେହିପରି ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଇତି ମଧ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ବିଶ୍ୱର ଅନେକ ରାଷ୍ଟ୍ର ଗବେଷଣା ଆରମ୍ଭ କରିଦେଇଛନ୍ତି। କିନ୍ତୁ ଏହି ଭୂତାଣୁ ପାଇଁ ପ୍ରତିଷେଧକ ଔଷଧ ଉଦ୍ଭାବନ କରିବା ତ ଦୂରର କଥା, ରୋଗୀ ଠାରେ ପ୍ରାରମ୍ଭିକ ଅବସ୍ଥାରେ କରୋନାର ଲକ୍ଷଣକୁ କିପରି ଜଣାପଡ଼ିବ ସେନେଇ ଫେଲ ମାରିଛି ଚିକିତ୍ସା ବିଜ୍ଞାନ। ଅର୍ଥାତ କରୋନା ଆକ୍ରାନ୍ତଙ୍କ ଠାରେ ଯେଉଁ ଭଳି ଲକ୍ଷଣ ଦେଖା ଦେବା କଥା ତାହା ପ୍ରାରମ୍ଭିକ ସମୟରେ କୌଣସି ଲକ୍ଷଣ ଜଣାପଡୁନାହିଁ।

କରୋନା ଆକ୍ରାନ୍ତଙ୍କ ଠାରେ ବିଭିନ୍ନ ଲକ୍ଷଣ ଦେଖାଯାଏ ବୋଲି ଆମେ ସାଧାରଣତଃ ଭାବିଥାଉ। ଯେପରିକି ରୋଗୀକୁ କାଶ ଓ ଛିଙ୍କ ହେବା, ଜ୍ୱର ଲାଗି ରହିବା, ଝାଡ଼ା ବାନ୍ତି ହେବା, ଗଳା ଫୁଲିବା ଏବଂ ଶ୍ୱାସକ୍ରିୟାରେ ଯନ୍ତ୍ରଣା ଅନୁଭବ କରିବା ପରି ଅନେକ ଲକ୍ଷଣ ଦେଖାଦିଏ। କିନ୍ତୁ ଏହା ଭାବିବା ସମ୍ପୂର୍ଣ୍ଣ ଭୁଲ। ଜଣେ ନିଜକୁ ସୁସ୍ଥ ବୋଲି ଭାବୁଥିବା ବ୍ୟକ୍ତିଙ୍କୁ କରୋନା ହୋଇଥାଇପାରେ। ହେଲେ ପ୍ରାରମ୍ଭିକ ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କୌଣସି ଲକ୍ଷଣ ଦେଖାଦେଇନଥାଏ।

ନୋଭେଲ କରୋନା ଭୂତାଣୁ ସଂକ୍ରମଣକୁ ନେଇ ଆମେରିକା ସରକାର ମଧ୍ୟ ଅନେକ ତଥ୍ୟ ସାମନାକୁ ଆଣିଛନ୍ତି। କରୋନା ଭୂତାଣୁ ଜଣେ ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ଆସିଲେ ବି ପ୍ରାରମ୍ଭିକ ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରେ କୋଣସି ଲକ୍ଷଣ ଦେଖାଦେଉନାହିଁ। ଯାହା ବିଶ୍ୱର ୬୦ ପ୍ରତିଶତ ଏପରି ରୋଗୀଙ୍କୁ ଚିହ୍ନଟ କରାଯାଉଛି। ଏପରିକି ଏକ ନିଦ୍ଦିଷ୍ଟ କ୍ଲଷ୍ଟରରେ ଅତିକମ୍‌ରେ ୮୨ କରୋନା ପଜିଟିଭ କେସ୍‌ଙ୍କ ଠାରେ ଏପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାଯାଇନାହିଁ। ଏହିପରି ଡଜନ୍ ଡଜନ୍ କେସ୍ ଷ୍ଟଡି ରହିଛି ବୋଲି ଆମେରିକା କହିଛି।

କିନ୍ତୁ ଯେଉଁ ଦେଶରେ ଏପରି କେସ୍ ଷ୍ଟଡି ଅଧିକ ରହିଛି, ଏହାର ପରିଣାମ ଅଧିକ ମାତ୍ରାରେ ସମ୍ପୃକ୍ତ ଦେଶ ଉପରେ ପଡିଛି। ଏହା ଦ୍ୱାରା ଅନେକ ଲୋକ ନିଜକୁ ସୁସ୍ଥ ଭାବି ବହୁ ଲୋକଙ୍କ ସଂସ୍ପର୍ଶରେ ଆସନ୍ତି। ଫଳରେ ଏମାନଙ୍କ ଦ୍ୱାରା ସଂକ୍ରମଣ ସଂଖ୍ୟା ୧୦ ଗୁଣ ବଢିବାର ସମ୍ଭାବନା ରହିଛି ବୋଲି ଗବେଷଣାରୁ ଜଣାପଡ଼ିଛି।

ଆମେରିକାର ମାନବ ସେବା ଓ ସ୍ୱାସ୍ଥ୍ୟ ସଚିବ ଆଲେକ୍ସ ଆଝାର ଗଣମାଧ୍ୟମକୁ ସୂଚନା ଦେଇଥିଲେ ଯେ ବାସ୍ତବିକ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ଠାରୁ ଅଧିକ ସଂକ୍ରମିତ ହେଉନାହିଁ ବରଂ ଲକ୍ଷଣ ଦେଖାଦେଇନଥିବା ଆକ୍ରାନ୍ତଙ୍କ ଠାରୁ ଏହା ଅଧିକ ସଂକ୍ରମଣ ହେଉଛି। ଫଳରେ ଦେଶରେ ଅଧିକରୁ ଅଧିକ କରୋନା ଭାଇରସ୍ ଚିହ୍ନଟ ହେଉଛନ୍ତି।

ସେହିପରି ଆମେରିକାର କରୋନା ଭାଇରସ୍ ରେସପନ୍ସ କୋର୍ଡିନେଟର ଡ. ଦେବୋରାହ ବ୍ରାକ୍ସ କହିଛନ୍ତି ଯେ ଚିହ୍ନଟ ହୋଇପାରିନଥିବା ନୂଆ ସଂକ୍ରମିତଙ୍କ ଠାରୁ ଏହି ଭାଇରସ୍ ଅଧିକ ବେଗରେ ସଂକ୍ରମିତ ହେଉଛି। ବିଶେଷ କରି ୨୦ ବର୍ଷରୁ କମ୍ ବୟସର ପିଲାମାନଙ୍କ ସାଂଗ ମେଳ ଯୋଗୁଁ ଅଧିକ ସଂକ୍ରମିତ ହେଉଛନ୍ତି।

ଏପରି ଅବସ୍ଥା ଭାରତରେ ମଧ୍ୟ ଦେଖାଦେଇଛି। ଭାରତରେ ଚିହ୍ନଟ ହୋଇଥିବା ଅନେକ ଆକ୍ରାନ୍ତଙ୍କ ମଧ୍ୟରେ କୌଣସି ଲକ୍ଷଣ ଦେଖାଯାଉନାହିଁ। ରାଜ୍ୟରେ ଚିହ୍ନଟ ହୋଇଥିବା ୫୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ଲକ୍ଷଣହୀନ। କରୋନାର କୌଣସି ଲକ୍ଷଣ ନଥିଲେ ବି ଟେଷ୍ଟ ପରେ ପଜିଟିଭ ଚିହ୍ନଟ ହୋଇଥିବା କହିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ର ରାଜ୍ୟ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ବିନା ଲକ୍ଷଣରେ ମଧ୍ୟ ଶରୀରରେ କରୋନା ଥିବା ସନ୍ଦେହ କରାଯାଉଥିବାରୁ ଏବେ ବିଭିନ୍ନ ପଞ୍ଚାୟତରେ ଶିବିର କରାଯାଇ ନମୁନା ନିଆଯାଉଥିବା ସେ ସୂଚନା ଦେଇଛନ୍ତି।

ଯେତେ ଅଧିକ ଟେଷ୍ଟ ହେବ, ସେତେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇପାରିବେ। କରୋନା ଆକ୍ରାନ୍ତମାନେ ତୁରନ୍ତ ଚିହ୍ନଟ ହେଲେ ହିଁ ଆମେ କରୋନାକୁ ଶୀଘ୍ର କାବୁ କରିପାରିବା ବୋଲି ଏନଏଚଏମ୍ ନିର୍ଦ୍ଦେଶିକା କହିଥିଲେ। ଏହାର ଅର୍ଥ ହେଲା, କରୋନା ରୋଗୀଙ୍କ ସଂଖ୍ୟା ଗଣିବା ଅପେକ୍ଷା କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ତାହା ହେଉଛି ଚ୍ୟାଲେଞ୍ଜର ବିଷୟ।

କିନ୍ତୁ ଏହା ସତ ଯେ ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ସଂକ୍ରମଣର ବ୍ୟାପିବା ରେଟ୍ ବହୁତ କମ୍ ରହିଛି। ଏହାର ସବୁଠାରୁ ବଡ଼ ଅମୋଗ ଅସ୍ତ୍ର ସାଜିଛି ଲକ୍‌ଡାଉନ୍ ଓ ସାମାଜିକ ଦୂରତ୍ୱ। ଯଦି ନିଜକୁ ଅନ୍ୟ ଠାରୁ ଯେତେ ଦୂରତ୍ୱ ରକ୍ଷା କରିପାରିବା ସେତେ ଶୀଘ୍ର କରୋନା ଲଢେଇରେ ଜିତିପାରିବା।  

You might also like