ନିଶାସକ୍ତ ଅବସ୍ଥାରେ ସଟ୍‌ଡାଉନ୍‌ରେ ବୁଲୁଥିଲେ, ପୋଲିସ୍‌ ଅଟକାଇବାରୁ କହିଲେ-ଚାକିରି କ’ଣ ପିତା ଲାଗିଲାଣି ?

‍ଭୁବନେଶ୍ୱର: ‘ଚାକିରି କ’ଣ ପିତା ଲାଗିଲାଣି ? ଗୋଟିଏ ସେକେଣ୍ଡରେ ମୁଁ ତୁମ୍ଭମାନଙ୍କ ବର୍ଦ୍ଦି ଉତାରି ଦେବି’…ନିଶାସକ୍ତ ଅବସ୍ଥାରେ ଜଣେ ଯୁବକ ଏଭଳି କିଛି କହିଛନ୍ତି। ଭୁବନେଶ୍ୱର ଫାୟାର୍ ଷ୍ଟେସନ ଛକରେ ଗତକାଲି ଜଣେ ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଥିଲା। ସଟ୍‌ଡାଉନ୍‌ରେ ବିନା ହେଲ୍‌ମେଟ୍‌ରେ, ପୁଣି ନିଶାସକ୍ତ ଅବସ୍ଥାରେ ସ୍କୁଟି ଚଳାଇ ଯାଉଥିବା ବେଳେ ଧରାପଡ଼ିବା ପରେ ଯୁବକ ଜଣକ ପୋଲିସ କର୍ମଚାରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିବା ଦେଖିବାକୁ ମିଳିଛି। ଏପରିକି ଚାକିରି ପିତା ଲାଗିଲାଣି କହି ସମ୍ପୃକ୍ତ ଯୁବକ ପୋଲିସ କର୍ମଚାରୀଙ୍କୁ ଧମକ ବି ଦେଇଥିଲେ। ଏହାପରେ ଯୁବକ ଜଣକ ଫୋନ୍‌ରେ କାହା ସହ କଥା ହେବାସହ ଏହି ସମୟରେ ସେ ମିତା ଦିଦି, ମିତା ଦିଦି ଫୋନରେ କହୁଥିବା ନଜର ଆସିଥିଲା।

ଯୁବକଙ୍କ ଏହି ପୁରା କାରନାମାର ଭିଡିଓ ଟ୍ରାଫିକ୍ ପୋଲିସ କର୍ମଚାରୀ ରେକର୍ଡ କରିଛନ୍ତି। ଏଥିସହ ସେ ନିଜକୁ ଜଣେ ମନ୍ତ୍ରୀଙ୍କ ପୁଅ ବୋଲି କହି ପୋଲିସକୁ ଧମକ ଦେଉଥିବା କହିଛନ୍ତି ଟ୍ରାଫିକ୍ କନଷ୍ଟେବଲ। ତେବେ ସେ କେଉଁ ମନ୍ତ୍ରୀଙ୍କ କଥା କହୁଥିଲେ କିଛି ସ୍ପଷ୍ଟ ହୋଇନି। ଏସମସ୍ତ ଘଟଣା ପରେ ପିସିଆର୍‌ ପହଞ୍ଚି ତାଙ୍କୁ ଖଣ୍ଡଗିରି ଥାନାକୁ ନେଇଥିବା ସୂଚନା ମିଳିଛି।

ଘଟଣାକୁ ନେଇ ଜଣେ ମହିଳା ଟ୍ରାଫିକ କନଷ୍ଟେବଲ୍‌ କହିଛନ୍ତି, ‘ଯୁବକ ଜଣକ ଏତେ ମାତ୍ରାରେ ମଦ୍ୟପାନ କରିଥିଲେ ଯେ, ନିଜକୁ ସମ୍ଭାଳି ନପାରି ଆଉ ଏକ ଗାଡ଼ିକୁ ଧକ୍କା ଦେଇଥିଲେ। ଏହାପରେ ଆମେ ତାଙ୍କ ଗାଡ଼ି ଅଟକାଇବାରୁ ସେ ନିଜ ଭୁଲ୍‌ ମାନିନଥିଲେ। ଜଣେ ମନ୍ତ୍ରୀଙ୍କ ନାଁ ନେଇ କହିଲେ ମୁଁ ତାଙ୍କ ପୁଅ। ସମ୍ପୃକ୍ତ ଯୁବକ ଆମ୍ଭମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତୁମେ ମୋର କ’ଣ ଉଖାଡି ପାରିବ ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ଗୋଟିଏ ସେକେଣ୍ଡରେ ମୁଁ ତୁମ୍ଭମାନଙ୍କ ବର୍ଦ୍ଦି ଉତାରି ଦେବି। ଯେହେତୁ ସେ ଅଶ୍ରାବ୍ୟ ଭାଷା ବ୍ୟବହାର କରି ଆମ ଷ୍ଟାଫ୍‌ମାନଙ୍କୁ ଗାଳିଗୁଲଜ କରିଛନ୍ତି, ସେଥିପାଇଁ ଆମ୍ଭେ ତାଙ୍କର ଭିଡିଓ ରେକର୍ଡିଂ କରିଛୁ।’

You might also like