ଫେଲ୍ ମାରିଛି ସରକାରଙ୍କ ଶିଳ୍ପାୟନ ପ୍ରୟାସ, ରାଜ୍ୟରୁ ମୁହଁ ଫେରାଉଛନ୍ତି ଶିଳ୍ପସଂସ୍ଥା

ଭୁବନେଶ୍ୱର: ୨୦୧୬ ପ୍ରଥମ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମିଳିଥିବା ପୁଞ୍ଜି ନିବେଶ ପ୍ରସ୍ତାବର ଦୁଇ ତୃତୀୟାଂଶ କାର୍ଯ୍ୟକାରିତାର ବିଭିନ୍ନ ପର୍ଯ୍ୟାୟରେ ରହିଛି। ଏସବୁ ପ୍ରକଳ୍ପରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ନିବେଶ ଲକ୍ଷ୍ୟ ରହିଥିବା ୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଉଦଘାଟନୀ ଅଭିଭାଷଣରେ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ନିକଟରେ ଶିଳ୍ପମନ୍ତ୍ରୀ ବିଧାନସଭାରେ ରଖିଥିବା ଉତ୍ତର ଭିନ୍ନ କଥା କହୁଛି।

ଶିଳ୍ପମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ୨୦୧୬ କନକ୍ଲେଭ ଅବସରରେ ୮୪ଟି ଶିଳ୍ପସଂସ୍ଥାା ରାଜ୍ୟରେ ପୁଞ୍ଜି ନିବେଶ ଲାଗି ଆଗ୍ରହ ପ୍ରକାଶ କରିଥିଲେ। ତେବେ ସେଥି ମଧ୍ୟରୁ ମାତ୍ର ୬ଟି ପ୍ରକଳ୍ପ ଏଯାଏଁ କାର୍ଯ୍ୟକ୍ଷମ ହୋଇଛି, ଅନ୍ୟ ୨୫ଟି ପ୍ରକଳ୍ପ କାର୍ଯ୍ୟକାରିତାର ବିଭିନ୍ନ ପର୍ଯ୍ୟାୟରେ ରହିଛି ଅର୍ଥାତ୍ ୨୦୧୬ରେ ଆସିଥିବା ପ୍ରାସ୍ତାବର ମାତ୍ର ଏକ ତୃତୀୟାଂଶରୁ ସାମାନ୍ୟ ଅଧିକ ବାସ୍ତବତାର ରୂପ ନେଇଛି।

ଶିଳ୍ପମନ୍ତ୍ରୀ ରଖିଥିବା ଉତ୍ତର ଅନୁଯାଯୀ ରାଜ୍ୟକୁ ପୁଞ୍ଜି ଟାଣିବା ଲାଗି ବିଭିନ୍ନ କନ୍ସଲ୍ଟାନ୍ସି ଏଜେନ୍ସି ଜରିଆରେ ଇପିକଲ୍ ଖର୍ଚ୍ଚ କରିଛି ୨୦ କୋଟିରୁ ଅଧିକ ଟଙ୍କା। ସେହିପରି ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମରେ ବିଜ୍ଞାପନ ବାବଦକୁ ବି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେବେ ଘୋଡା ୬ ଟଙ୍କାକୁ ଦାନା ୯ଟଙ୍କା ୨୦୧୬ ଓ ୨୦୧୮ କନକ୍ଲେଭ ମାଧ୍ୟମରେ ୬ ଲକ୍ଷ ୨୬ ହଜାର କୋଟି ଟଙ୍କାର ୨୮୬ଟି ପୁଞ୍ଜି ନିବେଶ ପ୍ରସ୍ତାବ ଆସିଥିଲା। ସେଥିରୁ ୧୫୪ଟି ପ୍ରକଳ୍ପରୁ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ମଞ୍ଜୁରି ଦିଆଯାଇଛି।

ମାତ୍ର ସେଥିରୁ କେବଳ ୧୧ଟି ପ୍ରକଳ୍ପ ଆଂଶିକ କିମ୍ବା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଅନ୍ୟ ୮୧ଟି ପ୍ରକଳ୍ପର କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ରହିଛି। ଶିଳ୍ପ ବିଶେଷଜ୍ଞଙ୍କ କହିବା କଥା, ଓଡ଼ିଶା ଉପରେ ନିବେଶକଙ୍କ ଭରସା ପାଉନି। ରାଜ୍ୟ ସରକାରଙ୍କ ସୁନେଲି ସ୍ୱପ୍ନ ଉପରେ ସେମାନଙ୍କର ବିଶ୍ୱାସ ନାହିଁ। ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା ନାଁକୁ ମାତ୍ର, ମଞ୍ଜୁରି ମିଳିବା ପରେ ବି ନିବେଶକଙ୍କୁ ବିଭିନ୍ନ ବିଭାଗକୁ ଦୌଡ଼ିବାକୁ ପଡ଼ୁଛି। ତେଣୁ ଓଡ଼ିଶାରୁ ମୁହଁ ମୋଡୁଛନ୍ତି ଶିଳ୍ପ ସଂସ୍ଥା। ତେବେ ଏନେଇ ଶିଳ୍ପ ବିଭାଗ କିମ୍ବା ସରକାରଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ: କପିଳେନ୍ଦ୍ର ପ୍ରଧାନ
You might also like