ରାଜ୍ୟ ସରକାରଙ୍କ ଶିଳ୍ପାୟନ ପ୍ରୟାସ୍ ଫେଲ୍

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ହୋଇଥିବା ୩୦୧ଟି ଏମଓୟୁ ମଧ୍ୟରୁ କାର୍ଯ୍ୟକାରୀ ହୋଇଛି ମାତ୍ର ୫୧ଟି। ତେବେ ଏଥିରୁ ୧୦ଟି ସଂସ୍ଥା ସଂପୂର୍ଣ ବନ୍ଦ ବି ହୋଇଯାଇଛି। ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଦେଇଥିବା ଏଭଳି  ତଥ୍ୟ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଓ ନିଯୁକ୍ତି ସୁଯୋଗ ସୃଷ୍ଟି ନେଇ ସରକାରଙ୍କ ଆନ୍ତରିକତାର ମୁଖା ଖୋଲିଛି।

ଗତ ୪ ବର୍ଷରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ୧୦ଟି ଦେଶରେ ରୋଡସୋ କରିଥିଲେ ବି ସେମିତି କିଛି ସଫଳତା ମିଳିନି। ଏପଟେ ବନ୍ଦ ଶିଳ୍ପସଂସ୍ଥାଗୁଡିକର ପୁନରଉଦ୍ଧାର ଓ ଶ୍ରମିକ ଛଟେଇ ପ୍ରତିବାଦରେ ବର୍ଷ ବର୍ଷ ଧରି ବିକ୍ଷୋଭ ଚାଲିଥିଲେ ବି ସରକାରଙ୍କ ନିଦ ଭାଙ୍ଗୁନି।

କେନ୍ଦୁଝରର ଓଡ଼ିଶା ସ୍ପଞ୍ଜ ଆଇରନ କାରଖାନା ୨୦୧୨ ଅକ୍ଟୋବର୍‌ରୁ ଏଠି ତାଲା ଝୁଲୁଛି। ଛଟେଇ ହୋଇଛନ୍ତି ୪ଶହ ଚୁକ୍ତି ଭିତ୍ତିକ କର୍ମଚାରୀ। ୪୫୪ ନିୟମିତ କର୍ମଚାରୀଙ୍କ ଭିତରୁ ୨୪୭ ଜଣ ଅବସର ନେଇଥିବା ବେଳେ କିଛି ଆରପାରିକୁ ଚାଲିଗଲେଣି। କାରଖାନା ପରିସରରେ ଚାଲିଥିବା ଶ୍ରମିକଙ୍କ ଆନ୍ଦୋଳନର ୧୫୩୭ ଦିନ ବିତିଲାଣି। ଅର୍ଥାତ୍ ୪ ବର୍ଷରୁ ଅଧିକ ଦିନ ହେଲାଣି ଏମିତି ନିରବଛିନ୍ନ ଭାବେ ନ୍ୟାୟ ପାଇଁ ଧାରଣା ଦେଇଛନ୍ତି କର୍ମଚାରୀ। ଛଟେଇ ପରେ ଅଭାବ ଅନଟନ ଓ ମାନସିକ ଦୁଶ୍ଚିନ୍ତାରୁ ୨୪ ଜଣଙ୍କର ମୃତ୍ୟୁ ହେଲାଣି। ଯଦିଓ ହାଇକୋର୍ଟ ଏହି ଶ୍ରମିକଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ତଥାପି ଏହା କାର୍ଯ୍ୟକାରୀ ହେଉ ନଥିବାର ଅଭିଯୋଗ ହୋଇଛି।

କେବଳ କେନ୍ଦୁଝର ସ୍ପଞ୍ଜ ଆଇରନ୍ ନୁହେଁ, ଗତ ୧୦ ବର୍ଷରେ ଏମିତି ୧୦ଟି ବୃତ ଶିଳ୍ପ ସଂସ୍ଥା ସଂପୂର୍ଣ ବନ୍ଦ ହୋଇଯାଇଛି। ଶିଳ୍ପ ବନ୍ଦ ହେବା ଯୋଗୁ ଛଟେଇ ହୋଇଛନ୍ତି ହଜାର ହଜାର କର୍ମଚାରୀ। ତେବେ ଏଗୁଡ଼ିକ ବନ୍ଦ ହେବା ପଛରେ ସରକାରଙ୍କ ମୁଣ୍ଡରୁ ଦୋଷ ଛଡ଼ାଇ ଭିନ୍ନ କାରଣ ଦର୍ଶାଇଛନ୍ତି ବିଭାଗୀୟ ମନ୍ତ୍ରୀ କ୍ୟାପ୍ଟେନ୍‌ ଦିବ୍ୟଶଙ୍କର ମିଶ୍ର।

ସରକାରଙ୍କ ଶିଳ୍ପ ପ୍ରତିଷ୍ଠାର ଆନ୍ତରିକତା କେତେ ତାହା ଶିଳ୍ପ ସ୍ଥାପନ ଅବସ୍ଥା ଦେଖିଲେ ଠିକ୍‌ ଜଣାପଡ଼ୁଛି। ଗତ ୪ ବର୍ଷ ଭିତରେ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଦେଶ ଭିତରେ ଓ ବାହାରେ ୨୪ ଟି ରୋଡ୍ ଶୋ’ କରିଛି ଶିଳ୍ପ ବିଭାଗ। ୨୦୧୮ର ମେକ୍ ଇନ୍‌ ଓଡ଼ିଶା ଅଭିଯାନ ଅନ୍ତର୍ଗତ ଜାପାନ କୋରିଆ, ଚାଇନା, ଓ ଇଟାଲିୀ ଓ ସାଉଦୀ ଆରବ ଭଳି ଦେଶରେ  ରୋଡ୍ ଶୋ’ ହୋଇଥିଲା।

ଶିଳ୍ପ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ୧୦ ବର୍ଷ ଭିତରେ ୩୦୧ଟି ଏମ୍‌ଓୟୁ ହୋଇଛି। କିନ୍ତୁ ବିଡ଼ମ୍ବନା ହେଉଛି ଶିଳ୍ପ ପ୍ରତିଷ୍ଠା ପାଇଁ ଆସିଛନ୍ତି ମାତ୍ର ୫୧ ଟି ସଂସ୍ଥା। ୩୮ଟି ସଂପୂର୍ଣ୍ଣ କାର୍ଯ୍ୟକାରୀ ହୋଇଥିବା ବେଳେ ୧୩ ଟି ଆଂଶିକ କାର୍ଯ୍ୟକାରୀ କରାଯାଇପାରିଛି।  ଏହି ୩୦୧ ପ୍ରସ୍ତାବରେ ୫ ଲକ୍ଷ ୫୦ ହଜାର ୧୪୯ କୋଟିର ପୁଞ୍ଜିନିବେଶ ପାଇଁ ଲକ୍ଷ୍ୟ ଥିବା ବେଳେ ଏଯାଏ ମାତ୍ର ୪୬ ହଜାର ୩୨୨ କୋଟିର ପୁଞ୍ଜି ନିବେଶ ହୋଇଛି।

ଶିଳ୍ପ ସଂସ୍ଥାକୁ ଆକୃଷ୍ଟ କରିବା ତଥା ଶିଳ୍ପ ଅନୁକୁଳ ବାତାବରଣ ସୃଷ୍ଟି ପାଇଁ ଅନେକ ପ୍ରଚେଷ୍ଟା ଭିତରେ ଏବେ ବି ୧୧ ଟି ଜିଲ୍ଲା ଶିଳ୍ପ କ୍ଷେତ୍ରରେ ଅନଗ୍ରସର ବୋଲି ଶିଳ୍ପମନ୍ତ୍ରୀ ବିଧାନସଭାରେ କହିଛନ୍ତି।

 

You might also like