ଅର୍ଥାଭାବ କାରଣରୁ କରୋନା ଚିକିତ୍ସାରୁ କେହି ବଞ୍ଚିତ ହେବେ ନାହିଁ
ଭୁବନେଶ୍ୱର: ରାଜଧାନୀର ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆଜି ପାଳିତ ହୋଇଯାଛି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ରାଜ୍ୟବାସୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସହିଦ କୋଭିଡ ଯୋଦ୍ଧାଙ୍କ ପ୍ରତି ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଲେ।
ସାହସର ସହ କରୋନା ମୁକାବିଲା ପାଇଁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ କହିଥିଲେ, କରୋନା ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାରେ କୋଭିଡ ହସ୍ପିଟାଲ ହୋଇଛି। ରାଜ୍ୟରେ ପ୍ଲାଜମା ଥେରାପି ଚିକିତ୍ସା ପାଇଁ ପ୍ଲାଜମା ବ୍ୟାଙ୍କ ହୋଇଛି। ଅର୍ଥାଭାବରୁ କରୋନା ଚିକିତ୍ସାରୁ କେହି ବଞ୍ଚିତ ହେବେ ନାହିଁ।
କରୋନା ଯୋଦ୍ଧାଙ୍କ ସେବାର ତୁଳନା ନାହିଁ। ସେମାନଙ୍କ ପାଇଁ ଆମ ଦେଶରେ ମୃତ୍ୟୁ ହାର କମ୍ ରହିଛି। କେବଳ ଭାରତ ନୁହେଁ, ସାରା ବିଶ୍ୱ ପାଇଁ ସଙ୍କଟ ଆଣିଛି କରୋନା। ଶିକ୍ଷା,ସ୍ୱାସ୍ଥ୍ୟ, ଅର୍ଥନୀତି, ପର୍ଯ୍ୟଟନ, ପରିବହନ ସେବା ପ୍ରଭାବିତ, ବିଶ୍ୱର କୋଟି କୋଟି ଲୋକ କରୋନା ପାଇଁ ଜୀବିକା ହରାଇଛନ୍ତି।
ଭ୍ୟାକ୍ସିନ ଆସି ସାରିଲେ ହିଁ କରୋନା ନିୟନ୍ତ୍ରଣକୁ ଆସିପାରିବ । କ୍ଷତି ଭରଣା ପାଇଁ ସମସ୍ତଙ୍କୁ ସାହସର ସହ କାମ କରିବାକୁ ପଡ଼ିବ। ମୋର ବିଶ୍ୱାସ କରୋନା ଶୀଘ୍ର ଦୂର ହେବ। ସ୍କୁଲ୍ରେ ପୁଣି ଘଣ୍ଟା ବାଜିବ। କୃଷି, ନିର୍ମାଣ ଓ କର୍ମ ସଂସ୍ଥାନ ସୃଷ୍ଟି ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ଓଡ଼ିଶାକୁ ୧୨ ହଜାର କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି। ମହାରାଷ୍ଟ୍ରକୁ ପଛରେ ପକାଇ ଓଡ଼ିଶା ପୁଞ୍ଜି ନିବେଶରେ ନମ୍ବର-୧। ୨୦୧୯-୨୦ରେ ଦେଶରେ କୃଷି ଅଭିବୃଦ୍ଧି ୨.୮%; ରାଜ୍ୟରେ ୭.୬୧।
ସୂଚନାଥାଉ କି, ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କୋଭିଡ୍ କଟକଣା ଭିତରେ ପାଳିତ ହେଉଛି। ଏଥର ସ୍ୱାଧୀନତା ଦିବସ ପାଳନ କରିବାକୁ ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ପରେଡ ସ୍ଥଳରେ ଆମନ୍ତ୍ରିତ ଅତିଥି ଓ କୋଭିଡ ଯୋଦ୍ଧା ଉପସ୍ଥିତ ରହିଥିଲେ। ତେବେ ଜନସାଧାରଣଙ୍କୁ ପରେଡ ସ୍ଥଳକୁ ଯିବାକୁ ଅନୁମତି ମିଳିନ ଥିଲା।