ଓଡ଼ିଶାରେ ହେବ ଦେଶର ପ୍ରଥମ ବଜ୍ରପାତ ଗବେଷଣା କେନ୍ଦ୍ର

ଭୁବନେଶ୍ୱର: ଭାରତରେ ପ୍ରତିଷ୍ଠା ହେବ ବଜ୍ରପାତ ଗବେଷଣା କେନ୍ଦ୍ର। ଦେଶରେ ପ୍ରଥମର ଥର ପାଇଁ ଏପରି ଏକ ଗବେଷଣା କେନ୍ଦ୍ର  ପ୍ରତିଷ୍ଠା ହେବାକୁ ଯାଉଛି।  ଆଉ ଖୁସିର କଥା ଏହି ଅନୁଷ୍ଠାନ ଓଡ଼ିଶାରେ ହେବ।  ଖୁବ୍‌ ଶୀଘ୍ର ଏହି କେନ୍ଦ୍ର ବାଲେଶ୍ୱରରେ ପ୍ରତିଷ୍ଠା ହେବ ବୋଲି  ସୂଚନା ଦେଇଛନ୍ତି IMD ମହାନିର୍ଦ୍ଦେଶକ ଡର ମୃତ୍ୟୁଞ୍ଜୟ ମହାପାତ୍ର ।

ଦେଶରେ ପ୍ରଥମ ଥର ଲାଗି ଏଭଳି ଏକ ଅନୁଷ୍ଠାନର ପରିକଳ୍ପନା ଭୂ-ବିଜ୍ଞାନ ମନ୍ତ୍ରଣାଳୟର ନିଷ୍ପତି କ୍ରମେ ନିଆଯାଇଛି। IMD, ISRO, DRDO ସହଯୋଗରେ ବାଲେଶ୍ୱର ନିକଟରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏହି ଗବେଷଣା କେନ୍ଦ୍ର ଆରମ୍ଭ ହେଲେ ବଜ୍ରାଘାତ ସମ୍ବନ୍ଧରେ ଆହୁରି ସଠିକ୍ ଓ ନିର୍ଭୁଲ ଭାବରେ ଆକଳନ କରାଯାଇ ପାରିବ । ଏହା  ଭାରତରେ ପ୍ରଥମ । ଏହାବ୍ୟତୀତ ମନସୁନ ଷ୍ଟଡି ପାଇଁ ଅନ୍ୟ ଏକ ଅନୁଷ୍ଠାନ ଭୋପାଲ ନିକଟରେ କରିବାକୁ ଯୋଜନା ହେଉଛି। କହିଛନ୍ତି  ବୋଲି IMD ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ।

ଏ ନେଇ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ‘ସାଧାରଣତଃ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରକୁ ଅଧିକ ବଜ୍ରପାତ ଭୟ ଥାଏ। ବିଶେଷ କରି ଏପ୍ରିଲ-ଜୁନ୍ ମାସରେ ଭୟଙ୍କର ଘଡ଼ଘଡ଼ି ବିଜୁଳି ମାରିଥାଏ। ଘଡ଼ଘଡ଼ି, ବଜ୍ରପାତ ପାଇଁ ଅନେକ ଧନଜୀବନ ନଷ୍ଟ ହୋଇଥାଏ।  ଏହାକୁ ଆଖି ଆଗରେ ରଖି ଧନ ଜୀବନର ସୁରକ୍ଷା ପାଇଁ ଓଡିଶାରେ ପ୍ରତିଷ୍ଠା ହେବ ବଜ୍ରପାତ  ଗବେଷଣା କେନ୍ଦ୍ର । ଦେଶରେ ପ୍ରଥମ ଥର ଲାଗି ଏଭଳି ଏକ ଅନୁଷ୍ଠାନର ପରିକଳ୍ପନା କରିଛି ଭାରତୀୟ ପାଣିପାଗ ବିଭାଗ ।

ଡକ୍ଟର ମହାପାତ୍ର କହିଛନ୍ତି,  ଗୋଟିଏ ବଜ୍ରପାତର ସମୟ ଅଧଘଣ୍ଟାରୁ ତିନି ଘଣ୍ଟା ହୋଇପାରେ। ଏହା ଖୁବ୍‌ କମ୍‌ ଅଞ୍ଚଳକୁ ପ୍ରଭାବିତ କରିଥାଏ।  ତେଣୁ ଏହାକୁ ସଠିକ ଭାବେ ନିରୂପଣ କରିବାକୁ ହେଲେ ଏହା ବିଷୟରେ ସଠିବ ବିବରଣୀ ହାସଲ କରିବା ଦରକାର। ଏଇ ଡାଟାକୁ ନେଇ ଆମର  ସିଷ୍ଟମକୁ ବିକଶିତ କରିବା ଦରକାର। ଅଧିକ ସଠିକତାର ସହ  ଝଡ଼, ପବନ, ବିଜୁଳି, ବର୍ଷାର ପୁର୍ବାନୁମାନ କରିବା ନିମନ୍ତେ ବାଲେଶ୍ୱର ନିକଟରେ ଏକ ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା ପାଇଁ ଯୋଜନା ହେଉଛି। ଏହାଦ୍ୱାରା ତେଣୁ ବିହାର, ଝାଡ଼ଖଣ୍ଡ, ଓଡ଼ିଶାର ସ୍ଥିତିକୁ ନେଇ ଗବେଷଣା କରାଯିବ।

ଏଠାରେ କେନ୍ଦ୍ର ପ୍ରତିଷ୍ଠା ହେଲେ,  ରାଡର, ୱିଣ୍ଡ ପ୍ରୋଫାଇଲର ଆଦି ଅତ୍ୟାଧୁନିକ ଇନ୍‌ଷ୍ଟୁମେଣ୍ଟ ରହିବ। ଏପ୍ରିଲ-ଜୁନ୍‌ ମାସରେ ହେଉଥିବା କାଳ ବୈଶାଖୀ ବିହାର, ଝାଡ଼ଖଣ୍ଡରୁ ସୃଷ୍ଟି ହୋଇ ପରେ ଉତ୍ତର ପଶ୍ଚିମ ଦିଗରୁ ଦକ୍ଷିଣ ପୂର୍ବ ଦିଗକୁ ଗତି କରିଥାଏ।  ଓଡ଼ିଶା, ପଶ୍ଚିମବଙ୍ଗ ଦେଇ ଯିବା ବେଳେ ଏହା ବଙ୍ଗୋପସାଗରରୁ ଜଳୀୟ ବାଷ୍ପ ସଂଗ୍ରହ କରିଥାଏ। ତେଣୁ ଏହାର ରୂପରେଖ ଜାଣିବାକୁ ସମଗ୍ର ଅଞ୍ଚଳରେ ପର୍ଯ୍ୟବେକ୍ଷଣ କେନ୍ଦ୍ର ବଢ଼ାଇବାକୁ ବଢ଼ିବ।

ତେବେ କେବେ ସୁଦ୍ଧା ଏହି କେନ୍ଦ୍ର ପ୍ରତିଷ୍ଠା ହେବ ? ଏହାର ଉତ୍ତର ଦେଇ ଡକ୍ଟର ମହାପାତ୍ର କହିଛନ୍ତି, ଏହା ପ୍ରାଥମିକ ସ୍ଥିତିରେ ରହିଛି। ଏନେଇ ଏକ ରିପୋର୍ଟ ତିଆରି କରାଯାଇଛି। ତେବେ ଏହାର ସମ୍ପୂର୍ଣ୍ଣ ରୂପରେଖ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ା। IMD,ISRO,DRDO ମିଳିତ ଭାବେ ଏହାକୁ ପ୍ରତିଷ୍ଠା କରିବେ। ଆଇଆଇଟି ଖଡ଼ଗପୁର, ଆଇଆଇଟି ଭୁବନେଶ୍ୱର,  ଏଫ୍‌ଏମ୍‌ ୟୁନିଭରସିଟି , ଉତ୍ତର ୟୁନିଭରସିଟି ଓ କଲିକତା ୟୁନିଭରସିଟି ମିଶିକି କାମ କରିପାରିବେ। ଏଥିନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ା।   ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଯନ୍ତ୍ରାଂଶ ବ୍ୟବହାର କରାଯାଇ ତଥ୍ୟ ସଂଗ୍ରହ ହେବ।  ସଠିକ୍‌ ସୂଚନା ମିଳିବା ଦ୍ୱାରା ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ।

You might also like