ଭୁବନେଶ୍ୱର: ଖାଇବା ପଛେ ନମିଳୁ, କିନ୍ତୁ ପ୍ରଥମେ ପେଟରେ ନାଲିପାଣି ପଡୁ। ଦେଢ଼ ମାସ ହେଲାଣି ପାଟି ଆମ୍ବିଳା। ତେଣୁ ଗ୍ରୀନ ଜୋନ୍ରେ ନାଲି ପାଣି ମୁନ୍ଦେ ପାଇଁ ମଦୁଆ ବାଉଳା। ତେବେ ନିୟମ କୋହଳ ପରେ ଦେଶର ଗ୍ରୀନ ଜୋନ୍ରେ ଏହାର ବିକ୍ରି ଆରମ୍ଭ ହୋଇଥିବା କଥା ଶୁଣି ଲାଗିଛି ଲମ୍ବା ଲାଇନ୍। ସେଇ ମାଲ୍ ପାଣି ବୋତଲେ ପାଇଁ ଧାଡ଼ି କୁଆଡୁ ବାହାରିଛି କୁଆଡ଼େ ଯାଉଛି ଠଉରେଇବା ମୁସ୍କିଲ। ବୁଢ଼ା, ଟୋକା ସମସ୍ତେ ବ୍ୟଗ୍ର।
ପୋଲିସ କଥା ମାନି ସୁନା ପୁଅ ଭଳି ସୋସିଆଲ୍ ଡିଷ୍ଟାନସ୍ ମେଣ୍ଟେନ୍ ହେଉଛି, ହେଲେ ଯିଏ ଟିକେ ଫେଚକାମୀ ଦେଖାଇଲା ତାଙ୍କୁ ପିଟୁଛି। ରାଜଧାନୀ ଦିଲ୍ଲୀର ବସନ୍ତ ବିହାର ହେଉ କି ସେର ନାଇନ୍ ସବୁଠି ଲାଇନ୍ ଜଗି ଜଗି ପୋଲିସ୍ ନୟାନ୍ତ। ମଜା କଥା ହେଲା କାଉଣ୍ଟର ପାଖରେ ଯିଏ ପହଞ୍ଚି ଯାଉଥିଲା ତାକୁ ଯେମିତି ମିଳି ଯାଉଥିଲା କୋଟିନିଧି। ଯେମିତି ଆଗକୁ ଆଉ ଏ ଦରବ ମିଳିବନି।
ଲକଡାଉନ୍ ନିୟମ କୋହଳ ହେବା ପରେ ଆଜି ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ହେଲେ ବହୁ ସ୍ଥାନରେ ମଦ କିଣିବାକୁ ଲୋକେ ଏମିତି ପାଗଳ ଥିଲେ ଯେ, ସାମାଜିକ ଦୂରତ୍ୱ କଥା ବି ପାଶୋରି ଯାଇଥିଲେ। ଯଦି ଏମିତି ମଦ କିଣା ଚାଲେ ତାହାଲେ ତ ଦିନ କେଇଟାରେ କରୋନା ରୋଗୀ ଦିଗୁଣା ହୋଇଯିବେ।
ଏଣେ ଓଡ଼ିଶାରେ ବି ଗ୍ରୀନ ଜୋନ୍ ମାନଙ୍କରେ ଆଜି ମଦ କିଣିବାକୁ ଦେଖିବାକୁ ମିଳିଥିଲା ଗ୍ରାହକଙ୍କ ଜବରଦସ୍ତ ଭିଡ। କଟକରେ ବୋତଲେ ମଦ କିଣିବାକୁ ଅନେକେ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡ଼ା ହୋଇଥିଲେ। ତେବେ ରାଜ୍ୟର ଆଜି କେଉଁଠି ବି ମଦ ଦୋକାନ ଖୋଲିନଥିଲା ତେବେ ଲକ୍ଡାଉନ୍ ଅବଧି ବୃଦ୍ଧି ସମୟରେ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ନେଇ ଆପତ୍ତି ଉଠାଇଲେଣି ନିଶାମୁକ୍ତି ଆନ୍ଦୋଳନ ସଂଗଠନ। ସେମାନଙ୍କ ମତରେ କରୋନା ବିପତ୍ତି ସମୟରେ ଦୀର୍ଘ ଦେଢ଼ ମାସ ଧରି ମଦ ଦୋକାନ ବନ୍ଦ ନିଷ୍ପତ୍ତି ନେଇ ସରକାର ଯେଉଁ ମହାନ ପଦକ୍ଷେପ ନେଇଥିଲେ ତାହା ବଳବତ୍ତର ରଖିଥିଲେ ଅସୁବିଧା କେଉଁଠି ?
ଯଦିଓ ସରକାରଙ୍କ ରାଜସ୍ୱ ବୃଦ୍ଧିର ଏକ ମୁଖ୍ୟ ଆୟ ମଦ ହେଲେ ଏହାର ବିକ୍ରିବେଳେ ଲୋକେ ଯଥାସମ୍ଭବ ସାମାଜିକ ଦୂରତ୍ୱ ବଜାୟ ରଖିବା ଜରୁରୀ, ନହେଲେ ଆଗକୁ କରୋନା ବ୍ୟାପିବାରେ ନୂଆ ବାହକ ହୋଇପାରେ ଏହି ମଦ ବେପାର।