‘ନବୀନଙ୍କ ପ୍ରଦର୍ଶନ ଅପେକ୍ଷା ଓଡ଼ିଶାରେ ଲୋକପ୍ରିୟ ମୋଦିଙ୍କ ଶାସନ’

ଇଣ୍ଡିଅା ଟୁଡେ ପଲିଟିକାଲ୍ ଷ୍ଟକ୍ ଏକ୍ସଚେଞ୍ଜ ଜନମତର ତଥ୍ୟ

ଭୁବନେଶ୍ୱର : ମୋଦି ବନାମ୍ ନବୀନ । ୨୦୧୯ ଲଢେଇରେ ହେବ ଟକ୍କର । ଇଣ୍ଡିଅା ଟୁଡେର ପଲିଟିକାଲ୍ ଷ୍ଟକ ଏକ୍ସଚେଞ୍ଜର ସର୍ଭେର ଏଭଳି ରେଜଲ୍ଟକୁ ନେଇ ଏବେ ଚର୍ଚ୍ଚା। ଏହା ଅନୁଯାୟୀ ୫୯ ପ୍ରତିଶତ ଭୋଟ୍ ସହ ମୁଖ୍ୟମନ୍ତ୍ରିତ୍ୱ ଦୌଡ଼ରେ ଏକ ନମ୍ବରରେ ଅଛନ୍ତି ନବୀନ ପଟ୍ଟନାୟକ।

୨୧ ପ୍ରତିଶତ ଭୋଟ ସହ ଦ୍ୱିତୀୟରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ମାତ୍ର ୫ ପ୍ରତିଶତ ଭୋଟ ପାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ ସର୍ଭେ କହୁଛି ବ୍ୟକ୍ତିତ୍ୱ ହିସାବରେ ନବୀନ ଯେତିକ ଲୋକପ୍ରିୟ ସରକାରଙ୍କ ପ୍ରଦର୍ଶନ କିନ୍ତୁ ସେହି ତୁଳନାରେ ଅାଖିଦୃଶିଅା ନୁହେଁ। ୪୪ ପ୍ରତିଶତ ଲୋକ ନବୀନ ସରକାରଙ୍କ ପ୍ରଦର୍ଶନରେ ଖୁସି। ୧୯ ପ୍ରତିଶତ ଅସନ୍ତୁଷ୍ଟ ଓ ୩୨ ପ୍ରତିଶତ କୌଣସି ମତାମତ ଦେବାକୁ ଚାହିଁ ନାହାଁନ୍ତି। ଯାହା ବଢୁଥିବା ସରକାର ବିରୋଧୀ ଜନମତକୁ ସୂଚାଉଛି।

ସେପଟେ ମୋଦିଙ୍କ ଶାସନ ନେଇ ଓଡିଶାର ୫୨ ପ୍ରତିଶତ ଲୋକ ସନ୍ତୋଷ ପ୍ରକାଶ କରିଥିବା ବେଳେ ୧୨ ପ୍ରତିଶତ ଲୋକ ଅସନ୍ତୁଷ୍ଟ ଅଛନ୍ତି, ବାକି ୩୧ ପ୍ରତିଶତ କୌଣସି ମତାମତ ଦେବାକୁ ଚାହିଁ ନାହାଁନ୍ତି। ତେଣୁ ଏହି ପୋଲ୍ ଅନୁଯାୟୀ ସରକାରର ପ୍ରଦର୍ଶନକୁ ଦେଖିଲେ ମୋଦି ନବୀନଙ୍କ ଠାରୁ ଅାଗରେ ଅଛନ୍ତି।

ଇଣ୍ଡିଅା ଟୁଡେର ଏ ସର୍ଭେ ଅନୁଯାୟୀ ବିଜେପି ପୂର୍ବ ଅପେକ୍ଷା ସ୍ଥିତି ସୁଧାରି ଦ୍ୱିତୀୟ ସ୍ଥାନକୁ ଅାସିଛି, ଯାହା ଅାଗାମୀ ନିର୍ବାନରେ ବିଜେଡିକୁ କଡ଼ା ଟକ୍କର ସଙ୍କେତ ଦେଇଛି। ଏଭଳି ସ୍ଥିତିରେ ବିଜେଡି ସାଂସଦ ପିନାକୀ ମିଶ୍ର ଗତକାଲି ଇଣ୍ଡିଅା ଟୁଡେ ଚ୍ୟାନେଲ୍‌ର ବିତର୍କରେ କହିଛନ୍ତି ଓଡିଶାରେ ବିଜେଡିର ଲୋକସଭା ଅାସନ ଗତଥର ଠାରୁ  କମିପାରେ।

ଏହି ସର୍ଭେରେ ରାହୁଲଙ୍କ ସପକ୍ଷରେ ଓଡ଼ିଶାରେ ୨୧ ପ୍ରତିଶତ ମତ କଂଗ୍ରେସର ଶୋଚନୀୟ ସ୍ଥିତିକୁ ଦର୍ଶାଉଥିବା ବେଳେ ପିସିସି ସଭାପତି କିନ୍ତୁ ଏହାକୁ ମାନିବାକୁ ନାରାଜ।

ରାଜ୍ୟରେ ପିଇବା ପାଣି ସମସ୍ୟା ସବୁଠୁ ବଡ ପ୍ରସଙ୍ଗ ହେବ ବୋଲି ଇଣ୍ଡିଅା ଟୁଡେର ଏହି ସର୍ଭେରେ ଦର୍ଶାଯାଇଛି। ତା ପରକୁ କୃଷିକ୍ଷେତ୍ରରେ ସମସ୍ୟା ଓ ସ୍ୱାସ୍ଥ୍ୟ ସମସ୍ୟା ବି ପ୍ରମୁଖ ପ୍ରସଙ୍ଗ ରହିଛି। ୨୧ଟି ସଂସଦୀୟ କ୍ଷେତ୍ରର ୮୨୩୨ ଲୋକଙ୍କ ମତାମତ ନିଅାଯାଇ ଏହି ସର୍ଭେ ରିପୋର୍ଟ ପ୍ରକାଶ ପାଇଛି ।

You might also like