ସତ ହେଲା ଆଶଙ୍କା, ଭାରତରେ ପହଞ୍ଚିଲା କରୋନା ବ୍ରିଟେନ୍‌ ଷ୍ଟ୍ରେନ୍, ଭ୍ୟାକ୍ସିନ୍‌ କାମ ଦେବ କି ନାଁ ଏମିତି କହିଲେ ବିଶେଷଜ୍ଞ‌

ଭୁବନେଶ୍ୱର: ଭାରତରେ ଉପସ୍ଥିତି ଜାହିର କଲା କରୋନାର ବ୍ରିଟେନ୍ ଷ୍ଟ୍ରେନ୍। ବିଶ୍ୱର ପ୍ରାୟ ୧୩ଟି ଦେଶରେ ଠାବ ହୋଇ ପୁଣି ଶଙ୍କା ବଢାଇଥିବା କରୋନାର ଏ ପରିବର୍ତ୍ତିତ ରୂପ ୬ ଜଣ ବ୍ରିଟେନ ଫେରନ୍ତାଙ୍କ ନିକଟରେ ମିଳିବା ପରେ ଅଧିକ ସଜାଗ ହୋଇଛନ୍ତି ସରକାର। ନଭେମ୍ବର ୨୩ ପରେ ଦେଶକୁ ଫେରିଥିବା ପ୍ରାୟ ୩୩ ହଜାର ଲୋକଙ୍କୁ ଠାବ, ଟେଷ୍ଟିଂ ସହ ସେମାନଙ୍କ ଜେନମ୍ ଜାଣିବାକୁ ଉଦ୍ୟମ ଚାଲିଛି। ଏପଟେ ଓଡ଼ିଶାରେ ବି ପ୍ରାୟ ୧୮୧ ଜଣ ବ୍ରିଟେନ୍ ଫେରନ୍ତା ଥିବା ବେଳେ ସେଥିରୁ ୬୨ଜଣଙ୍କ ବାବଦରେ ସଠିକ ତଥ୍ୟ ମିଳୁନଥିବାରୁ ଚିନ୍ତାରେ ଅଛନ୍ତି କର୍ତ୍ତୃପକ୍ଷ।

ନଭେମ୍ବର ୨୩ ତାରିଖ ପରେ ଭାରତ ଫେରିଥିବା ପ୍ରବାସୀଙ୍କ ମଧ୍ୟରୁ କରୋନାର ପରିବର୍ତ୍ତିତ ରୂପରେ ସଂକ୍ରମିତ ହୋଇଛନ୍ତି ୬ ବ୍ରିଟେନ୍ ଫେରନ୍ତା। ବେଙ୍ଗଲୁରୁର ନିମ୍‌ହାନ୍ସ ଲ୍ୟାବ୍‌ରୁ ୩ ଜଣ, ହାଇଦ୍ରାବାଦ୍ CCMBରୁ ୨ ଜଣ ଏବଂ ପୁଣେ NIV ଲ୍ୟାବ୍‌ରୁ ଜଣଙ୍କ ନମୁନା ପଜିଟିଭ୍ ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

କରୋନାର ସବୁ ଲକ୍ଷଣ ଥିବା ଏ ଆକ୍ରାନ୍ତଙ୍କୁ ଏବେ ସଂପୃକ୍ତ ରାଜ୍ୟ ସରକାର ସିଙ୍ଗଲ ରୁମ୍ ଆଇସୋଲେସନରେ ରଖି ଚିକିତ୍ସା କରୁଥିବା ବଳେ ଆକ୍ରାନ୍ତମାନଙ୍କର ନିକଟ ସମ୍ପର୍କୀୟମାନେ କ୍ୱାରେଣ୍ଟିନରେ ରହିଛନ୍ତି। ବିଶେଷଜ୍ଞଙ୍କ ମତରେ ଏ ନୂଆ ଷ୍ଟ୍ରେନ୍ ୭୦ ପ୍ରତିଶତ ଅଧିକ ସଂକ୍ରମଣକ୍ଷମ ହୋଇଥିବାରୁ ଅନ୍ୟମାନଙ୍କୁ ବ୍ୟାପିବା ପୂର୍ବରୁ ସଂପୃକ୍ତ ବ୍ରିଟେନ୍ ଫେରନ୍ତାଙ୍କ କଂଣ୍ଟାକ୍ଟ ଟ୍ରେସିଂକୁ ଜୋରଦାର କରାଯାଇଛି। ସେପଟେ କରୋନାର ପରିବର୍ତ୍ତିତ ରୂପ ମଧ୍ୟରୁ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ଅଧିକ ମାରାତ୍ମକ ହୋଇଥିବାରୁ ଏଥିପ୍ରତି ଅଧିକ ସତର୍କ ରହିବା ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।

ଏଣେ ବ୍ରିଟେନ୍ ଷ୍ଟ୍ରେନ୍‌କୁ ନେଇ ଓଡ଼ିଶାରେ ବି ଚିନ୍ତା କାରଣ ବଢ଼ୁଛି।  ନଭେମ୍ବର ୨୩ ତାରିଖ ପରେ ଯୁକ୍ତରାଜ୍ୟରୁ ଓଡ଼ିଶାକୁ ୧୮୧ ଜଣ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୬୨ ଲୋକଙ୍କ ସଠିକ୍ ଠିକଣା ମିଳୁନଥିବାରୁ ସେମାନଙ୍କ ପରୀକ୍ଷା କେମିତି ହେବ, ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ସେପଟେ ଜାଣିଶୁଣି କିଛି ଲୋକ ଭୂଲ ଠିକଣା ଦେଇଥିବା କୁହାଯାଉଥିବାରୁ ତାହା ବି ସମସ୍ୟା ବଢ଼ାଇଛି।

ତେବେ ଏଭଳି ଲୋକଙ୍କ ସନ୍ଧାନ ପାଇଁ ସ୍ୱତନ୍ତ୍ର ଟିମ୍ କାର୍ଯ୍ୟ କରୁଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ଦେଶର ହିତ ଦୃଷ୍ଟିରୁ ୟା ଭିତରେ ବ୍ରିଟେନରୁ ଫେରିଥିବା ଲୋକେ ନିଜଆଡୁ ସୂଚନା ଦେବାକୁ ସେ ଅପିଲ୍ ବି କରିଛନ୍ତି।

ଏଣେ ବ୍ରିଟେନ୍ ଫେରନ୍ତାଙ୍କ ମଧ୍ୟରୁ ଅଧିକାଂଶ ଭୁବନେଶ୍ୱରର ବାସିନ୍ଦା ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୭ ଜଣଙ୍କ ତାଲିକା ବିଏମ୍‌ସିର ହସ୍ତଗତ ହୋଇଥିବା ବେଳେ ୨୦ ଜଣ ଚିହ୍ନଟ ହୋଇଛନ୍ତି। ତା ଭିତରୁ ୩ ପଜିଟିଭ୍‌ଙ୍କ ଠାରେ ନୂଆ ଷ୍ଟ୍ରେନ୍ ରହିଛି କି ନାହିଁ, ସେ ରିପୋର୍ଟକୁ ଅପେକ୍ଷା କରିଛି ବିଏମ୍‌ସି। ଏଣେ ଦ୍ୱିତୀୟ ପର୍ଯ୍ୟାୟରେ ୬୦ରୁ ଅଧିକ ଲୋକଙ୍କ ତାଲିକା ମିଳିବା ପରେ ସେମାନଙ୍କୁ ଯୋଗାଯୋଗ ଓ କଣ୍ଚା କ୍ଟ ଟ୍ରେସିଂ ଲାଗି ଉଦ୍ୟମ କରୁଛି ବିଏଏମ୍‌ସି।

ଏପଟେ କୋରନାକୁ ମାତ୍ ଦେବାକୁ ଦେଶରେ ଟିକା ବଣ୍ଟନର ଡ୍ରାଏ ରନ୍ ଆରମ୍ଭ ହୋଇଛି। ଟିକା ଆସିଲେ, ଏହାର ସଂରକ୍ଷଣ କେମିତି କରାଯିବ ଏବଂ ଲୋକେ କିଭଳିି ପାଇବେ, ସେ ନେଇ ଆଜି ଦ୍ୱିତୀୟ ଦିନରେ ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଗୁଜରାଟ ଓ ଆସାମରେ ରିହରସାଲ୍ ବି ହୋଇଛି।

ଏପଟେ କରୋନାର ନୂଆ ଷ୍ଟ୍ରେନ୍ କ୍ଷେତ୍ରରେ ଭ୍ୟାକ୍ସିନ୍ କାମ ଦେବା ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତା ପ୍ରଫେସର୍ କେ. ବିଜୟ ରାଘବନ୍। ବ୍ରିଟେନ୍ ଓ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍ କ୍ଷେତ୍ରରେ ମଧ୍ୟ ଏବେ ପ୍ରଚଳିତ ହେଉଥିବା କୋଭିଡ୍ ଟିକା ଫଳପ୍ରଦ ହେବ ବୋଲି ସେ କହିଛନ୍ତି। ଏବେ ଭାରତ ଓ ବିଦେଶରେ ବିକଶିତ ଓ ପ୍ରଚଳିତ ହେଉଥିବା କରୋନା ଟିକା, ଏହି ରୂପାନ୍ତରିତ ଭୂତାଣୁ ଠାରୁ ସୁରକ୍ଷା ଦେବ ନାହିଁ ବୋଲି କୌଣସି ପ୍ରମାଣ ମିଳିନଥିବା ସେ କହିଛନ୍ତି।

ସେପଟେ ICMR ଡିଜି ବଳରାମ ଭାର୍ଗବ୍ ସତର୍କ କରାଇଛନ୍ତି ଯେ, କରୋନା ଚିକିତ୍ସା କ୍ଷେତ୍ରରେ ଫଳପ୍ରଦ ହେଉନଥିବା ଥେରାପିର ଆଉ ବ୍ୟବହାର ହେବା ଉଚିତ ନୁହେଁ। ଏହାଦ୍ୱାରା କରୋନା ଭୂତାଣୁ ଉପରେ ଅଧିକ ଚାପ ପଡ଼ିବ ଏବଂ ଏହା ବାରମ୍ବାର ରୂପ ବଦଳାଇବାର ଆଶଙ୍କା ସୃଷ୍ଟି ହେବ। ତେଣୁ କେବଳ ଲାଭ ଦେଉଥିବା ଥେରାପିର ନ୍ୟାୟୋଚିତ ପ୍ରୟୋଗ ହେବା ଉଚିତ ବୋଲି ସେ କହିଛନ୍ତି।

ସେହିପରି ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ. ପଲ୍ ଦେଶବାସୀଙ୍କୁ ସାବଧାନ କରାଇ କହିଛନ୍ତି, ଏବେବି ଥଣ୍ଡା ଜଳବାୟୁରେ ଜନସଂଖ୍ୟାର ସିଂହଭାଗ କୋଭିଡ୍ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ୟୁକେ ଷ୍ଟ୍ରେନ୍ ଭାରତ ଓ ଅନ୍ୟ ଦେଶରେ ପ୍ରବେଶ କରିସାରିଥିବାରୁ, ଆମକୁ ଖୁବ୍ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି।

You might also like