କେବେ ବନ୍ଦ ହେବ? ରାଜ୍ୟରେ ଏବେ ବି ବେଧଡକ୍ ଚାଲିଛି ବାଲ୍ୟ ବିବାହ

ମାଲକାନଗିରି/ବରଗଡ଼/ ଭୁବନେଶ୍ୱର : ରାଜ୍ୟରେ ଏବେ ବି ବେଧଡକ୍ ଚାଲିଛି ବାଲ୍ୟ ବିବାହ। ଜାତୀୟ ହାର ତୁଳନାରେ ରାଜ୍ୟରେ ସ୍ଥିତି ସାମାନ୍ୟ ଭଲ ଥିଲେ ବି କିଛି ଅଞ୍ଚଳରେ ସ୍ଥିତି ବେଶ୍  ଉଦ୍‌ବେଗଜନକ ରହିଛି।

ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ଏହି ହାର ୩୯ ପ୍ରତିଶତ ଥିବା ବେଳେ ବାଲେଶ୍ୱର ଓ ଗଞ୍ଜାମ ଭଳି ଜିଲ୍ଲାରେ ବି ୧୮ ବର୍ଷରୁ କମ୍ ବୟସରେ ପ୍ରତି ୪ ଜଣରୁ ଜଣେ ଯୁବତୀ ବିବାହ କରୁଛନ୍ତି। ୨୦୩୦ ସୁଦ୍ଧା ବାଲ୍ୟ ବିବାହ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ରାଜ୍ୟ ସରକାର ଟାର୍ଗେଟ୍ କରିଥିବା ବେଳେ ଏଥିପାଇଁ ପ୍ରସ୍ତୁତ ହୋଇଛି ଡ୍ରାଫଟ୍ ଆକସନ୍ ପ୍ଲାନ୍।

ମାଲକାନଗିରି ସଦର ମହକୁମା ବୁଟିଗୁଡ଼ାର ଗୁଲଟି ପଡିଆମୀ । ମାତ୍ର ୧୭ ବର୍ଷ ବୟସରେ କୋଳରେ ୯ ମାସର ଛୁଆ, ଆଉ ଗୁଲଟି ଏବେ ରୋଗଗ୍ରସ୍ତ। ଖୁବ୍ କମ୍ ବୟସରୁ ବିବାହ, ତାପରେ ମାଆ ହେବା ପରେ ଗୁଲଟିଙ୍କର ଏଭଳି ଅବସ୍ଥା ।

ଆଉଜଣେ ସେହି ବୁଟିଗୁଡ଼ାର ସୁନୀତା ରାଉତ। ସେ ବି ମାତ୍ର ୧୬ ବର୍ଷ ବୟସରେ ଘର ସଂସାର ଆରମ୍ଭ କରିଥିଲେ। ୬ ମାସ ତଳେ ସନ୍ତାନ ପ୍ରସବ କରିଥିଲେ ବି କିଛିଦିନ ତଳେ ଶିଶୁଟିର ମୃତ୍ୟୁ ଘଟିଛି। କେବଳ ଏ ଦୁଇଟି ଉଦାହରଣ ନୁହେଁ, ତଥ୍ୟ କହୁଛି- ବାଲ୍ୟ ବିବାହ କ୍ଷେତ୍ରରେ ସବୁଠୁ ଆଗରେ ରହିଛି ମାଲକାନଗିରି। ଜିଲ୍ଲାରେ ବାଲ୍ୟ ବିବାହ ହାର ୩୯ ପ୍ରତିଶତ ଥିବା ଜଣାପଡ଼ିଛି।

୨୦୧୫-୧୬ର ନ୍ୟାସନାଲ୍ ଫ୍ୟାମିଲି ହେଲଥ୍ ସର୍ଭେ-NFHS ଅନୁସାରେ ଜାତୀୟ ସ୍ତରରେ ବାଲ୍ୟ ବିବାହ ହାର ୨୬.୮ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ରହିଛି ୨୧.୩ ପ୍ରତିଶତ। ତଥ୍ୟ ଅନୁସାରେ ପ୍ରତି ୫ ଜଣରେ ଜଣେ ଯୁବତୀ ୧୮ ବର୍ଷରୁ କମ୍ ବୟସରେ ବିବାହ କରୁଥିବା ବେଳେ ୨୧ ବର୍ଷ ମଧ୍ୟରେ ପ୍ରତି ୧୦ ଜଣରେ ଜଣେ ଯୁବକ ବିବାହ କରୁଛନ୍ତି। ତେବେ ଆଦିବାସୀ ଇଲାକାରେ ବାଲ୍ୟ ବିବାହ ସ୍ଥିତି ବେଶ୍ ଗମ୍ଭୀର ରହିଛି। ୨୦୨୪ ସୁଦ୍ଧା ବାଲ୍ୟ ବିବାହ ହାର ୧୦ ପ୍ରତିଶତ ଏବଂ ୨୦୩୦ ସୁଦ୍ଧା ଏହାକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ପ୍ରସ୍ତୁତ ହୋଇଛି ଆକ୍ସନ ପ୍ଲାନ୍।  ଏହାକୁ କାର୍ଯ୍ୟକାରୀ କରିବାକୁ ଏକ ମ୍ୟାନେଜମେଣ୍ଟ ଇନଫର୍ମେସନ ସିଷ୍ଟମ୍ ପ୍ରସ୍ତୁତ ହେବ। ଝିଅମାନଙ୍କ ବିକାଶ ଓ ସୁରକ୍ଷା ପାଇଁ ପଞ୍ଚାୟତରୁ ରାଜ୍ୟସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠନ ହେବ।

ଆଇନ୍ ଓ ସଚେତନତା ସତ୍ତ୍ୱେ ଅନେକ ସ୍ଥାନରେ ବାଲ୍ୟ ବିବାହ ଜାରି ରହିଛି। ଯାହାର ସିଧାସଳଖ ପ୍ରଭାବ ପଡୁଛି ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ। ମାତୃ ଓ ଶିଶୁ ମୃତ୍ୟୁ କ୍ଷେତ୍ରରେ ଏହା ଏକ ପ୍ରମୁଖ କାରଣ ବୋଲି କହାଯାଉଛି। ଆକସନ୍ ପ୍ଲାନ୍ ମାଧ୍ୟମରେ ଏହାକୁ କେତେଦୂର ରୋକାଯାଇପାରିବ ତା ଉପରେ ନଜର ରହିଛି।

You might also like