ଜନସ୍ୱାସ୍ଥ୍ୟ ଓ ପାନୀୟଜଳ ସମସ୍ୟା ଦୂର ଉପରେ ଦିଆଯାଉଛି ଗୁରୁତ୍ୱ: ରାଜ୍ୟପାଳ

ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ମୋ ସରକାରର ଲକ୍ଷ୍ୟ

ଭୁବନେଶ୍ୱର: କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍। ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନର ଆରମ୍ଭରେ ଆଜି ରାଜ୍ୟପାଳ ନିଜ ଅଭିଭାଷଣରେ କହିଛନ୍ତି ଯେ, କରୋନା ତାଲା ବନ୍ଦ ବେଳେ ଲୋକଙ୍କ ଜୀବନ ଜୀବିକା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଆଗୁଆ ଭତ୍ତା ବଣ୍ଟନ, ଖାଦ୍ୟ ସାମଗ୍ରୀ ଯୋଗାଣ, ମାଗଣା ଖାଦ୍ୟ ରନ୍ଧନ ଦ୍ୱାରା ଏହାକୁ ସୁଧାରା ଯାଇପାରିଛି। ଏହାସହ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ସରକାର ବିଭିନ୍ନ ବ୍ୟବସ୍ଥା କରିଛନ୍ତି।

ଭିନ୍ନକ୍ଷମ, ନିରାଶ୍ରୟ, ବରିଷ୍ଠ ନାଗରିକଙ୍କ ସାମାଜିକ ନିରାପତ୍ତା ପାଇଁ ପ୍ରତିଶ୍ରୁତିବଦ୍ଧ। ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ମୋ ସରକାରଙ୍କ ଲକ୍ଷ୍ୟ ବୋଲି ରାଜ୍ୟପାଳ କହିଛନ୍ତି। ଏହାସହ କରୋନା ବେଳେ ଅଙ୍ଗନବାଡ଼ି ଦ୍ୱାରା ପିଲାଙ୍କ ପୁଷ୍ଟିସାଧନ ବି ସମ୍ଭବ ହୋଇପାରିଛି। କରୋନା ମହାମାରୀ ସତ୍ତ୍ୱେ ପିଲାଙ୍କ ପାଠପଢ଼ାରେ ବ୍ୟାହତ ହୋଇନି। ଶିକ୍ଷା ସଂଯୋଗ, ଦୀକ୍ଷା ଆପ୍, ଶିକ୍ଷା ଦର୍ପଣ ପ୍ରଦ୍ଧତି ଅବଲମ୍ବନ କରାଯାଇଛି। ୨୦୨୧ ଜାନୁଆରୀ ମାସ ସୁଦ୍ଧା ୩୮ ହଜାର ୭୬୦ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଛି। ଯାହା ଗତବର୍ଷ ତୁଳନାରେ ୭ ଦଶମିକ ୩ ପ୍ରତିଶତ ଅଧିକ।

କୋଭିଡ ପାଇଁ ରାଜ୍ୟର ଜରୁରୀକାଳୀନ ପାଣ୍ଠି ୪ ଶହ କୋଟିରୁ ୨ ହଜାର କୋଟିକୁ ବୃଦ୍ଧି କରାଯାଇଛି। ମାଲକାନଗିରିରେ ନୂଆ ଏୟାରଷ୍ଟ୍ରିପ୍ ନିର୍ମାଣ ପାଇଁ ଯୋଜନା ରହିଥିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ରାଜ୍ୟପାଳ। ନଦୀଜଳ ସଂରକ୍ଷଣ ପାଇଁ ୧୧ ହଜାର ୭ ଶହ କୋଟି ଟଙ୍କା ପୁଞ୍ଜି ବିନିଯୋଗ ହେବ। ଜନସ୍ୱାସ୍ଥ୍ୟ ଓ ପାନୀୟଜଳ ସମସ୍ୟା ଦୂର ଉପରେ ସରକାର ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ୭୫୦୦ କୋଟି ଟଙ୍କା ବ୍ୟୟରେ ୬୬ ଲକ୍ଷ ବ୍ୟକ୍ତିଗତ ଶୌଚାଳୟ ନିର୍ମାଣର ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି।

ପଢନ୍ତୁ : ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ, ବିରୋଧୀ କଲେ କକ୍ଷତ୍ୟାଗ

ଷ୍ଟାର୍ଟ୍-ଅପର ଉନ୍ନତି ପାଇଁ ଷ୍ଟାର୍ଟ୍-ଅପ୍ ଓଡ଼ିଶା ଉପକ୍ରମ ଆରମ୍ଭ ହୋଇଛି। ହସ୍ତତନ୍ତ ଶିଳ୍ପର ବିକାଶ ପାଇଁ ୫୨ କୋଟି ଟଙ୍କା ଯୋଗାଇଦିଆଯାଇଛି। ସରକାର ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ଯୋଗାଇବା ପାଇଁ ପ୍ରତିବଦ୍ଧ ଅଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି। ୨୦୨୧ ସୁଦ୍ଧା ରାଜ୍ୟର ସବୁ ପୌରାଞ୍ଚଳରୁ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ହେବ ବୋଲି କହିବା ସହ ସୁନ୍ଦରଗଡ଼ରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି। ତୃଣମୂଳ ସ୍ତରରୁ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ସରକାରଙ୍କ ଉଦ୍ଦେଶ୍ୟ ବୋଲି ରାଜ୍ୟପାଳ ଅଭିଭାଷଣରେ କହିଛନ୍ତି। ରାଜ୍ୟପାଳ ଅଭିଭାଷଣ ଆରମ୍ଭରୁ ଦିବଂଗତ ପୂର୍ବତନ ସଦସ୍ୟ, ସହିଦ ଯବାନ ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ବୋଲି ସୂଚନା ରହିଛି।

 

You might also like