୩ ମାସରେ ୧୧ ବରିଷ୍ଠ ଓଏଏସ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଦୁର୍ନୀତି ପ୍ରତି ରାଜ୍ୟ ସରକାରଙ୍କ ଜିରୋ ଟଲରେନ୍ସ। ରାଜସ୍ୱ ବିଭାଗରେ ଗତ ୩ ମାସ ମଧ୍ୟରେ ୧୧ ଜଣ ବରିଷ୍ଠ ଓଏଏସ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨ଜଣଙ୍କୁ ଚାକିରିରୁ ବିଦା କରାଯାଇଥିବା ବେଳେ ୯ ଜଣଙ୍କ ପେନସନ ଓ ଗ୍ରାଚ୍ୟୁଇଟି ବନ୍ଦ କରାଯାଇଛି।

ବହିଷ୍କାର ହୋଇଥିବା ଅଧିକାରୀ ହେଲେ ବଲାଙ୍ଗିର ଲୋଇସିଂହାର ପୂର୍ବତନ ତହସିଲଦାର ବିଜୟିନୀ ବିଶ୍ୱାଳ ଓ କୋମନା ବ୍ଲକର ପୂର୍ବତନ ବିଡିଓ ପ୍ରଦୀପ କୁମାର ବେହେରା। ସେହିପରି ମୟୂରଭଞ୍ଜ ପୂର୍ବତନ ଡିପିସି ବଂଶୀଧର ନାୟକ, ପୂର୍ବତନ ବିଡିଓ ଗଣେଷ ପ୍ରସାଦ ନାୟକ, ପୂର୍ବତନ ତହସିଲଦାର ସନ୍ତୋଷ କୁମାର ମହାନ୍ତି ମଧ୍ୟ ବହିଷ୍କାର ହୋଇଛନ୍ତି।

ପୂର୍ବତନ ପୁରୀ ତହସିଲଦାର ପ୍ରଭାତ କୁମାର ମହାରଣା, ନୂଆପଡ଼ା ପୂର୍ବତନ ବିଡିଓ ସୁନିଲ କୁମାର ସାହୁ, ବାଲେଶ୍ୱର ପୂର୍ବତନ ତହସିଲଦାର ନିରାକାର ପରିଡ଼ା, ବରଗଡ଼ ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ନବୀନ ସେଠ, ନୟାଗଡ଼ ଖଣ୍ଡପଡ଼ାର ପୂର୍ବତନ ବିଡିଓ ସନାତନ ସେଠୀ ଏବଂ କୋରାପୁଟର ପୂର୍ବତନ ଆଞ୍ଚଳିକ ପରିବହନ ଅଧିକାରୀ ପୁରନ୍ଦର ପୂଜାରୀଙ୍କ ପେନସନ ବନ୍ଦ କରାଯାଇଛି।

ରାଜସ୍ୱ ବିଭାଗରେ ୭୩ ଜଣ ଓଏଏସ୍‌ ଏବଂ ବରିଷ୍ଠ ଅଧିକାରୀଙ୍କ ନାଁରେ ଏବେ ବି ଦୁର୍ନୀତି ଅଭିଯୋଗର ତଦନ୍ତ ଚାଲିଛି। ଏନେଇ ୨୦୧୭ ଜୁଲାଇରେ ତତ୍କାଳୀନ ରାଜସ୍ୱ ବିଭାଗ ପ୍ରମୁଖ ସଚିବ ଚନ୍ଦ୍ରଶେଖର କୁମାର ୧୨ଟି ଜିଲ୍ଲାପାଳଙ୍କୁ ସଂପୃକ୍ତ ଅଧିକାରୀଙ୍କ ତଦନ୍ତ ରିପୋର୍ଟ ସମ୍ପର୍କରେ ଜଣାଇବାକୁ ପତ୍ର ଲେଖିଥିଲେ ମଧ୍ୟ ବିଭାଗର ରିପୋର୍ଟ ହସ୍ତଗତ ହୋଇନଥିବା ଜଣାପଡିଛି।

You might also like