କରୋନା ପାଇଁ ଚଳିତବର୍ଷ ବନ୍ଦ ହେଲା ମା ବୁଢୀ ଠାକୁରାଣୀଙ୍କ ଯାତ୍ରା

ହେବ ନି ବୁଢୀ ଠାକୁରାଣୀ ଯାତ୍ରା

ବ୍ରହ୍ମପୁର: ଏବର୍ଷ ହେବନି ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା। ଗତ ରାତିରେ ମାଙ୍କ ଶୁଭ ଖୁଣ୍ଟି ଆସିବା ନେଇ ସମସ୍ତ ପ୍ରସ୍ତୁତି ହୋଇଥିଲା କିନ୍ତୁ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ସହ ଯାତ୍ରା ମୁଖ୍ୟ ଦେଶୀ ବେହେରାଙ୍କ ଆଲୋଚନା ପରେ ହଠାତ ଯାତ୍ରା କୁ ସ୍ଥଗିତ ରଖାଯାଇଛି। ଏନେଇ ସୂଚନା ଦେଇଛନ୍ତି ଯାତ୍ରା ମୁଖ୍ୟ ଦେଶି ବେହେରା। ବିଏମସି କମିଶନର କୋଭିଡ଼ କଟକଣା ମଧ୍ୟରେ ଯାତ୍ରା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ପରେ ସଂକ୍ରମଣ ଆଶଙ୍କାରେ ଯାତ୍ରାକୁ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା। ଏନେଇ ଯାତ୍ରା କମିଟି ସହ ବାରମ୍ବାର ଆଲୋଚନା ମଧ୍ୟ ହୋଇଥିଲା।

ଏହାପରେ ପ୍ରଶାସନ ପକ୍ଷରୁ ମିଳିଥିବା ଯାତ୍ରାର ଅବଧି ଏବଂ କୋଭିଡ ଗାଇଡଲାଇନରେ ଯାତ୍ରା ହୋଇପାରିବନି ବୋଲି ଯାତ୍ରା ପରିଚାଳନା ମୁଖ୍ୟ ଦେଶୀ ବେହେରା ସୂଚନା ଦେଇଛନ୍ତି।

ତେବେ ଆୟୋଜକ କହିଛନ୍ତି ଯେ, ରାଜ୍ୟରେ କରୋନା ବଢିବାରେ ଲାଗିଛି। ଆଉ ଏପରି ପରିସ୍ଥିତିରେ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ବନ୍ଦ କରିବାକୁ ଆମେ ନିଷ୍ପତ୍ତି ନେଇଛୁ। କରୋନା ପୁଣି ଥରେ କାୟା ବିସ୍ତାର କରୁଛି, ତେଣୁ ସବୁ ଆଡ଼କୁ ନଜରରେ ରଖି ପ୍ରଶାସନ ସହ ଆଲୋଚନା ପରେ ଏମିତି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।

ସେପଟେ ବିଏମସି କମିଶନର କହିଛନ୍ତି ଯେ, ଯାତ୍ରା ଲାଗି ଆମେ ଦିନ କମାଇଥିଲୁ। ପୂର୍ବରୁ ୨୫ ଦିନ ଧରି ଏହି ଯାତ୍ରା ହେଉଥିଲା। କିନ୍ତୁ ଏବେ କରୋନା ପୁଣି ଥରେ ବଢୁଥିବାରୁ ଯାତ୍ରାକୁ କମ କରିବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଥିଲା। ଏହାସହ ଯେପରି ଭାବରେ ପ୍ରତିଥର ମାଆ ପ୍ରତି ଗାଁକୁ ଯାଆନ୍ତି ଏଥର ତାହା ଉପରେ ମଧ୍ୟ କଟକଣା ଲାଗିଛି। କାରଣ ଏମିତି ଯାତ୍ରା ହେଲେ ଲୋକ ଏକତ୍ରୀତ ହେବେ ଆଉ କରୋନା ମଧ୍ୟ ବ୍ୟାପିପାରେ। ତେଣୁ କରୋନା କେମିତି ନବ୍ୟାପିବ ସେନେଇ ପଦକ୍ଷେପ ନିଆଯାଉଥିବା କମିଶନର କହିଛନ୍ତି।

You might also like