ଏ ଗାଁକୁ କେମିତି ଛୁଇଁଲାନାହିଁ କରୋନା?

ଗଞ୍ଜାମର କରୋନା ମୁକ୍ତ ଗାଁ

ଭୁବନେଶ୍ୱର: କରୋନାର କୋପରେ ସାରା ଦୁନିଆ ତ୍ରାହି ତ୍ରାହି ଡାକୁଥିବା ବେଳେ ଆଜି ବି ରାଜ୍ୟର ଏମିତି ବି କିଛି ଅଞ୍ଚଳ ଅଛି, ଯେଉଁଠି କି ଏଯାଏଁ ପଶିପାରିନି ମହାମାରୀ। ଏପରିକି କରୋନାର ପ୍ରଥମ ଲହରରେ ସବୁଠୁ ଅଧିକ ପ୍ରଭାବିତ ଗଂଜାମ ଜିଲ୍ଲାର କିଛି ଗାଁ ଏବେ ବି କରୋନାମୁକ୍ତ ରହିଛି। କରୋନା ଯୋଦ୍ଧାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଲୋକଙ୍କ ଭିତରେ ସଚେତନତା ହିଁ ଏହି ଅଞ୍ଚଳ ପାଇଁ ତିଆରି କରିଛି ସୁରକ୍ଷାର ଅଭେଦ୍ୟ ବଳୟ।

ଅଙ୍ଗନଓ୍ୱାଡ଼ି କର୍ମୀ ଓ ଏଏନ୍ଏମ୍ କର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମ, ପ୍ରଶାସନର ତତ୍ପରତା ଓ ସର୍ବୋପରି ଲୋକଙ୍କ ସଚେତନତା କରୋନାର ଦୁଇ ଦୁଇଟି ଲହରରୁ ଏପର୍ଯ୍ୟନ୍ତ ସୁରକ୍ଷିତ ଗଂଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକର କଙ୍କିଆ ପଞ୍ଚାୟତ। କାରଣ ସ୍ୱାସ୍ଥ୍ୟକର୍ମୀ ଓ ପଞ୍ଚାୟତ କର୍ମଚାରୀ ଫି ଦିନ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି। ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତ୍ୱ ରକ୍ଷାର ମହତ୍ତ୍ୱ ଲୋକଙ୍କୁ ବୁଝାଉଛନ୍ତି। କରୋନାକୁ ଦୂରେଇ ରଖିବା ପାଇଁ କଣ କରିବାକୁ ହେବ, ତାର ବାଟ ବି ବତାଉଛନ୍ତି। ଆଉ ଗାଁ ଲୋକେ ବି ସେହି ପରାମର୍ଶକୁ ଅକ୍ଷରେ ଅକ୍ଷରେ ପାଳୁଛନ୍ତି। ସେଇଥିପାଇଁ ତ ଏ ଅଞ୍ଚଳର ୨୧ଟି ଗାଁରେ ପ୍ରାୟ ୩ ହଜାର ଲୋକ ରହୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କେହିି ଜଣେ ବି କରୋନା ପଜିଟିଭ ଚିହ୍ନଟ ହୋଇ ନାହାଁନ୍ତି।

ସେହିପରି ସୋରଡ଼ା ବ୍ଲକର ଗାଜଲବାଡ଼ି ପଞ୍ଚାୟତରେ ବି ସମାନ ସ୍ଥିତି। ୩୦ଟି ଆଦିବାସୀ ଗାଁରେ କୌଣସି ଜଣଙ୍କୁ ବି ଏଯାଏଁ ଆକ୍ରାନ୍ତ କରିପାରିନାହିଁ ମହାବିନାଶୀ ଅଦୃଶ୍ୟ ଭୂତାଣୁ। କାରଣ ଲୋକେ ବେଶ୍ ସଚେତନ ଅଛନ୍ତି। ଜରୁରୀ କାମ ନ ଥିଲେ କେହିଁ ଗାଁରୁ ବାହାରକୁ ଯାଉନାହାନ୍ତି। କରୋନା ଗାଇଡ୍ଲାଇନର ସବୁ ନିୟମ ମାନୁଛନ୍ତି। ସହରରେ ସାମାଜିକ ଦୂରତ୍ୱର ଧଜିଆ ଉଡୁଥିଲା ବେଳେ, ମହାମାରୀକୁ ରୋକିବାରେ ଗଞ୍ଜାମ ଜିଲ୍ଲାର କିଛି ମଫସଲ ଅଞ୍ଚଳରୁ ଆସୁଥିବା ଏ ବଡ଼ ସନ୍ଦେଶକୁ ନେଇ ଏବେ ସବୁଠି ଚର୍ଚ୍ଚା  ଚାଲିଛି।

ସୂଚନା ଅନୁସାରେ, ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ହେଁ ବିପଦ ଟଳିନି। ସଂକ୍ରମିତଙ୍କ ହାର ଏବେ ବି ଚିନ୍ତାଜନକ। ଗତକାଲି ରାଜ୍ୟରୁ ୬,୦୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ଏହି ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଗତ  ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫,୨୩୫ କରୋନା ଆକ୍ରାନ୍ତ।  ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୨୯୫୭ ଓ ଲୋକାଲ କଣ୍ଟାକ୍ଟ ୨୨୭୮ ଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି। l ସେହିପରି ୨୪ ଘଣ୍ଟାରେ ୪୩ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି।

ଗଂଜାମ ଜିଲ୍ଲା କୁକୁଡ଼ାଖଣ୍ଡି କଙ୍କିଆରୁ କ୍ୟାମେରା ପର୍ସନ ପ୍ରଶାନ୍ତଙ୍କ ସହିତ ଜଗନ୍ନାଥ ସାହୁ ଓ ସୋରଡ଼ାରୁ ରାଜେଶ କୁମାର ପଣ୍ଡାଙ୍କ ରିପୋର୍ଟ

You might also like